ଭାଷା କେବଳ ଭାବର ବାହକ ନୁହେଁ, ଜ୍ଞାନବିଜ୍ଞାନର ବି ବାହକ । ଯେଉଁ ଜାତିର ଭାଷା ବଞ୍ଚିରହେ, ସେ ଜାତିର ଐତିହ୍ୟ ଓ ସଂସ୍କୃତି ମଧ୍ୟ ବଞ୍ଚିରହେ । ତେବେ ଭାଷା ବଞ୍ଚିବ କିମ୍ବା ମରିବ, ଏହାର ବ୍ୟବହାର ଉପରେ ନିର୍ଭର କରେ । ଯେଉଁ ଭାଷା ପରିବାର, ସମାଜ, ଶିକ୍ଷା, ସାହିତ୍ୟ, ଶାସନ, ବାଣିଜ୍ୟ, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ ଯେତେ ବ୍ୟବହାର ହୋଇପାରିବ, ସେ ଭାଷା ସେତେ ବଞ୍ଚି ରହିପାରିବ । ପିଢ଼ି ପରେ ପିଢ଼ି ଯଦି ଭାଷାକୁ ବ୍ୟବହାର ନକରିବେ, ତେବେ ଭାଷା ମରିଯିବ । ଭାଷାବିଜ୍ଞାନୀଙ୍କ ମତରେ, ପୃଥିବୀରେ ଏବେ ପ୍ରାୟ ସାତହଜାର ଭାଷା ଅଛି ଓ ଚାରିଶହରୁ ଅଧିକ ଭାଷା ଲୋପ ପାଇଗଲାଣି । ଚଳିତ ଶତାବ୍ଦୀରେ ଭାରତ ସମେତ ପୃଥିବୀର ଅର୍ଦ୍ଧାଧିକ ଭାଷା ଲୋପ ପାଇଯିବ ବୋଲି ସେମାନେ ଭବିଷ୍ୟବାଣୀ କରିଛନ୍ତି ।
ଏହି ଅବସରରେ ହଜାର ହଜାର ବର୍ଷ ଧରି ଓଡ଼ିଶାର ଲୋକଜୀବନ, ସଂସ୍କୃତି, ଧର୍ମ, ସାହିତ୍ୟ ଓ ସମାଜିକ ଚେତନାକୁ ଧାରଣ କରିଆସିଥିବା ଆମ ମାତୃଭାଷା ଓଡ଼ିଆର ଭବିଷ୍ୟତ କ’ଣ ହେବ? ସେ ସଂପର୍କରେ ବିଚାର ଓ ଆଲୋଚନା କରିବାର ସମୟ ଆସିଛି । ମାତୃଭାଷାର ସୁରକ୍ଷା ଓ ବିକାଶ ଜାତିର ଅସ୍ତିତ୍ୱର ବିକାଶ ସହ ସମାନ । କେବଳ ଶିଳ୍ପ, ବାଣିଜ୍ୟ ଓ ଗମନାଗମନର ବିକାଶ କଲେ ସେ ଦେଶର ବିକାଶ ହୋଇଯାଏନାହିଁ, ବରଂ ସେ ଦେଶରେ ବାସକରୁଥିବା ଲୋକମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତି, ବୌଦ୍ଧିକ ଆତ୍ମିକ ବିକାଶ ଘଟିଲେ ସେ ଦେଶର ସାମଗ୍ରିକ ବିକାଶ ହୋଇପାରିବ । ତେଣୁ ମାତୃଭାଷାର ସୁରକ୍ଷା ଓ ବିକାଶ ଏକାନ୍ତ ଆବଶ୍ୟକ । ଭାଷା ହେଉଛି ସ୍ୱାଧିକାର ଓ ସ୍ୱାଭିମାନର ପ୍ରତୀକ । ତେଣୁ ସ୍ୱାଧୀନତା ପରେ ଦେଶରେ ପ୍ରଥମେ ମାତୃଭାଷା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିଲା ।
ମାତୃଭାଷାକୁ ଶିକ୍ଷା, ଶାସନ, ନ୍ୟାୟାଳୟ ଓ ବ୍ୟବସାୟ ବାଣିଜ୍ୟର ଭାଷା କରିବାର ଥିଲା । ତାହା ତ ହୋଇପାରିଲା ନାହିଁ । ବରଂ ୧୯୫୪ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଆ ସରକାରୀ ଭାଷା ଆଇନ ପ୍ରଣୀତ ହୋଇଥିବା ସତ୍ତେ୍ୱ ଏଯାବତ୍ ତାହା ସଫଳ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ । ଓଡ଼ିଆ ଭାଷା ଆମ ଶାସନ, ନ୍ୟାୟବ୍ୟବସ୍ଥା ଓ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରୁ ଲୋପ ପାଇଗଲାଣି । ଶାସକ ଏବଂ ପ୍ରଶାସକମାନେ ଇଂରେଜୀ ଶବ୍ଦ ବ୍ୟବହାର କରି ଓଡ଼ିଆରେ ଲେଖିପାରୁନାହାନ୍ତି କି କହିପାରୁନାହାନ୍ତି । ବିଦ୍ୟାଳୟରେ ଓଡ଼ିଆ ପଢ଼ାଇବା ପାଇଁ ଓଡ଼ିଆ ଶିକ୍ଷକ ନାହାନ୍ତି । ଦୀର୍ଘବର୍ଷ ଧରି ସରକାରୀ ଭାଷା ଆଇନ କାର୍ଯକାରୀ ନହେବା ଯୋଗୁଁ ଇଂରାଜୀ ଏବଂ ହିନ୍ଦୀ ଭାଷାର ପ୍ରଭାବ ଆମର ଜନଜୀବନ, ଶିକ୍ଷା, ଶାସନ, ଗଣମାଧ୍ୟମ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରକୁ ବହୁଳ ଭାବରେ ପ୍ରଭାବିତ କରିଛି । ସେଥିପାଇଁ ହିଁ ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଓଡ଼ିଆ ଆମ ମାତୃଭାଷା । ଭାରତର ଅତ୍ୟନ୍ତ ସମୃଦ୍ଧ ଏବଂ ପ୍ରାଚୀନ ଭାଷାମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଆମ ସାଂସ୍କୃତିକ ଅସ୍ତିତ୍ୱର ଚିହ୍ନ । ଆମର ଚିନ୍ତା, ଭାବନା, ସ୍ମୃତି, ପରମ୍ପରା ଓ ପରିଚୟର ଭିତ୍ତି । ଆମ ଭାଷାର ଇତିହାସ ଦୀର୍ଘ ପଚିଶି ଶହ ବର୍ଷରୁ ଅଧିକ ପୁରୁଣା । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଠାରୁ ଆରମ୍ଭ କରି ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଦେଇ ବହୁ ତାମ୍ରଲେଖ, ତାଳପତ୍ର, ମାଦଳା ପାଞ୍ଜି ଓ ଚର୍ଯ୍ୟାପଦରେ ଏହାର ଆଦିରୂପ ବିଦ୍ୟମାନ । ସାରଳା, ଜଗନ୍ନାଥ, ବଳରାମ, ଅଚ୍ୟୁତାନନ୍ଦ ଆଦି ଏହି ଭାଷାରେ ଭକ୍ତିର ଧାରା ବୁହାଇଛନ୍ତି । ଉପେନ୍ଦ୍ର, ଅଭିମନ୍ୟୁ, ଦୀନକୃଷ୍ଣ, ଧନଞ୍ଜୟ ଆଦି ଶୃଙ୍ଗାର ରସ ବର୍ଷା କରିଛନ୍ତି । ରାଧାନାଥ, ଫକୀରମୋହନ, ମଧୁସୂଦନ ଆଦି ଆଧୁନିକ ଚିନ୍ତାଧାରାର ଆଭାସ ଦେଇଛନ୍ତି । ଗୋପୀନାଥ, କାହ୍ନୁଚରଣ, ସୁରେନ୍ଦ୍ର, ମନୋଜ, ପ୍ରତିଭା, ସଚ୍ଚି, ଗୁରୁପ୍ରସାଦ, ରମାକାନ୍ତ, ସୀତାକାନ୍ତ, ସୌଭାଗ୍ୟ ପ୍ରମୁଖ ତାର ଦିଗ୍ବଳୟକୁ ପ୍ରସାରିତ କରିଛନ୍ତି । ଆଜି ତାହା ଏକ ବ୍ୟାପକ ଦୃଷ୍ଟିରେ ସଂପୂର୍ଣ୍ଣ ମାନବ ଜଗତର ଭାବନାକୁ ମୂର୍ତ୍ତ କରି ରଖିଛି ।
୨୦୧୪ ମସିହାରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଦେଇଛନ୍ତି । ଏହି ସ୍ୱୀକୃତି କେବଳ ଏକ ପ୍ରଶାସନିକ ଘୋଷଣା ନୁହେଁ, ଏହା ଓଡ଼ିଆର ଐତିହ୍ୟ, ସାହିତ୍ୟିକ ସମୃଦ୍ଧି ଓ ସ୍ୱତନ୍ତ୍ରତାର ଅନ୍ତର୍ଜାତୀୟ ମାନ୍ୟତା । ଏହାଦ୍ୱାରା ଗବେଷଣା, ଅନୁବାଦ, ପ୍ରକାଶନ ଓ ଅଧ୍ୟୟନ ପାଇଁ ନୂତନ ସୁଯୋଗ ଖୋଲିଦେଇଛି । ଭବିଷ୍ୟତରେ ଓଡ଼ିଆ ଭାଷା ସଂପର୍କିତ ଅଧ୍ୟୟନକୁ ବିଶ୍ୱବିଦ୍ୟାଳୟ ଓ ଅନ୍ତର୍ଜାତୀୟ ଗବେଷଣା କ୍ଷେତ୍ରରେ ଆଗକୁ ନେବାର ସୁଯୋଗ ସୃଷ୍ଟି କରିଛି ।
ଆମେ ସାଧାରଣତଃ ଅତୀତ ଓ ବର୍ତ୍ତମାନକୁ ନେଇ ଗର୍ବ କରୁ, ଅନେକ ସ୍ୱପ୍ନ ଦେଖୁ । କିନ୍ତୁ ମନେରଖିବାକୁ ହେବ ଯେ ଆମେ ଯଦି କେବଳ ଅତୀତ ଓ ବର୍ତ୍ତମାନ ସର୍ବସ୍ୱ ହୋଇଯିବା ତେବେ ଆଦୌ ଭବିଷ୍ୟତକୁ ଆଗେଇ ପାରିବା ନାହିଁ । ଭବିଷ୍ୟତ ଆମର ଲକ୍ଷ୍ୟ, ବର୍ତ୍ତମାନ ଆମର କର୍ମଭୂମି, ଅତୀତ ଆମର ସାକ୍ଷୀ । ତେଣୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମେ ଆମ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ହେବ । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ, ଏପରିକି ସମଗ୍ର ବିଶ୍ୱରେ ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା ଉପୁଜାଇବାକୁ ହେବ ।
ଭାଷାର ଭବିଷ୍ୟତ ଶିକ୍ଷା ସହିତ ଗଭୀର ସଂପର୍କିତ । ଯଦି ଶିଶୁମାନେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପାଆନ୍ତି, ତେବେ ସେମାନଙ୍କର ବୌଦ୍ଧିକ ବିକାଶ ଓ ଚିନ୍ତନଶକ୍ତି ଅଧିକ ସୁଦୃଢ଼ ହେବ । ଓଡ଼ିଶାରେ ମାତୃଭାଷା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ମିଳୁଥିଲେ ମଧ୍ୟ ଅନେକ ଅଭିଭାବକ ଇଂରାଜୀ ମାଧ୍ୟମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଏଠାରେ ମୁଖ୍ୟ ସମସ୍ୟା ହେଉଛି ଭାଷାର ସମ୍ମାନ ଓ ଏହା ସହିତ ଚାକିରି ବା ରୋଜଗାରର ସଂପର୍କ। ଯଦି ଉଚ୍ଚଶିକ୍ଷା, ପ୍ରଯୁକ୍ତି ଓ ପେସାଗତ କ୍ଷେତ୍ରରେ ଓଡ଼ିଆର ବ୍ୟବହାର ବଢ଼ିବ, ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାକୁ ଜ୍ଞାନ-ବିଜ୍ଞାନର ଭାଷା ଭାବେ ବ୍ୟବହାର କରିବେ, ସର୍ବୋପରି ଓଡ଼ିଆ ଭାଷାରେ ପାଠ ପଢ଼ି ରୋଜଗାରକ୍ଷମ ହୋଇପାରିବେ, ତେବେ ସେମାନେ ନିଶ୍ଚିତ ଭାବେ ଏହାକୁ ଗ୍ରହଣ କରିବେ । ସେହିପରି ମାତୃଭାଷାରେ ବିଜ୍ଞାନ, ପ୍ରଯୁକ୍ତି, ଚିକିତ୍ସା ଓ ଆଇନ ସମ୍ବନ୍ଧୀୟ ପୁସ୍ତକ ରଚନା ଓ ଅନୁବାଦ ହେଲେ ଭାଷାର ପ୍ରୟୋଗାତ୍ମକ ମୂଲ୍ୟ ବି ବଢ଼ିବ ।
ରାଜ୍ୟ ପ୍ରଶାସନରେ ଭାଷାର ବ୍ୟବହାର ଏହାର ଭବିଷ୍ୟତ ନିର୍ଣ୍ଣୟ କରେ । ଓଡ଼ିଶାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ବ୍ୟବହାର ନିୟମ ରହିଛି, କିନ୍ତୁ ପ୍ରାୟୋଗିକ ଭାବେ ଅନେକ ସ୍ଥାନରେ ଇଂରାଜୀ ପ୍ରଭାବ ଦେଖାଯାଏ । ଯଦି ସରକାରୀ କାର୍ଯ୍ୟାଳୟ, ନ୍ୟାୟାଳୟ, ବ୍ୟାଙ୍କ ପରି ସେବା ଓ ବାଣିଜ୍ୟ-ବ୍ୟବସାୟରେ ଓଡ଼ିଆ ଭାଷାକୁ ଯଥାର୍ଥ ଭାବରେ ପ୍ରୟୋଗ କରାଯିବ, ତେବେ ଭାଷାର ସାମାଜିକ ପ୍ରତିଷ୍ଠା ବଢ଼ିବ । ଭାଷା ଯେତେବେଳେ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେବ, ସେତେବେଳେ ସେ ବଞ୍ଚିରହିବ । ତେଣୁ ପରିବାର ଭିତରେ, ପୂଜା ପାର୍ବଣରେ, ଯାନିଯାତ୍ରାରେ, ବଜାରରେ, ଶିକ୍ଷାଳୟରେ ଓ ସାମାଜିକ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରଚଳନ ଅତ୍ୟାବଶ୍ୟକ ।
ଏକବିଂଶ ଶତାବ୍ଦୀର ଯୁଗ ଇଣ୍ଟରନେଟ ଓ ମୋବାଇଲର ଯୁଗ । ଯୁବପିଢ଼ି ଯେଉଁ ଭାଷାରେ ସୋସିଆଲ ମିଡିଆରେ ଲେଖନ୍ତି, ସେ ଭାଷାରେ ଭବିଷ୍ୟତ ରହିଥାଏ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ସମ୍ଭାବନା ଅଧିକ । ୟୁନିକୋଡ ଫଣ୍ଟ, ଓଡ଼ିଆ କୀ-ବୋର୍ଡ, ଅନଲାଇନ ଖବରକାଗଜ, ୱେବ୍ସାଇଟ ଓ ଇ-ବୁକ ଓଡ଼ିଆ ଭାଷାର ପ୍ରଚାରକୁ ବଢ଼ାଇଛି । ଯଦି ଓଡ଼ିଆରେ ଅଧିକ ଡିଜିଟାଲ ସାମଗ୍ରୀ, ଯଥା- ବ୍ଲଗ, ଗବେଷଣା ପତ୍ର, ଉଇକିପିଡ଼ିଆ ଲେଖା, ଶିକ୍ଷାମୂଳକ ଭିଡିଓ ଓ ଅଡିଓ ବୁକ ତିଆରି ହେବ, ତେବେ ଭାଷାର ପ୍ରଚାର ଦ୍ରୁତଗାମୀ ହେବ । କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଯାନ୍ତ୍ରିକ ଅନୁବାଦ (ମେସିନ ଟ୍ରାନ୍ସଲେସନ) ଓ ଭଏସ ଟେକ୍ନୋଲୋଜି ଓଡ଼ିଆ ଭାଷା ପାଇଁ ନୂତନ ଦିଗ ଖୋଲିଦେବ ।
ଟେଲିଭିଜନ, ସିନେମା, ନାଟକ ଓ ସଙ୍ଗୀତ ଆଦି ମନୋରଞ୍ଜନଧର୍ମୀ ମଞ୍ଚଗୁଡ଼ିକ ଭାଷା ପ୍ରଚାରର ଗୋଟିଏ ଗୋଟିଏ ଶକ୍ତିଶାଳୀ ମାଧ୍ୟମ । ଓଡ଼ିଆ ସିନେମା ଓ ଗୀତ ଯୁବପିଢ଼ିକୁ ଭାଷା ସହିତ ଯୋଡ଼ି ରଖୁଛି । ଲୋକଗୀତ, ଲୋକନାଟକ ଓ ଯାତ୍ରା ଓଡ଼ିଆର ଲୋକସାଂସ୍କୃତିକ ଶକ୍ତିକୁ ଜୀବନ୍ତ କରି ରଖିଛି । ଯଦି ଭବିଷ୍ୟତରେ ଓଡ଼ିଆ ଭାଷାରେ ବେବ୍ ସିରିଜ, ପଡକାଷ୍ଟ, ଡକ୍ୟୁମେଣ୍ଟାରି ଭଳି ନୂତନ ସୃଜନଶୀଳ ମାଧ୍ୟମ ତିଆରି ହେବ, ତେବେ ଯୁବପିଢ଼ିର ଆଗ୍ରହ ଆହୁରି ବଢ଼ିବ ।
ଓଡ଼ିଆ ଭାଷାର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଲୋକଙ୍କ ମାନସିକତା । ଅନେକ ଲୋକ ଭାବନ୍ତି ଇଂରାଜୀ ହେଉଛି ଉନ୍ନତିର ଭାଷା ଓ ମାତୃଭାଷା ଓଡ଼ିଆ କେବଳ ଘରୋଇ କଥାବାର୍ତ୍ତାର ଭାଷା । କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍ । କାରଣ ଓଡ଼ିଆ ଭାଷାକୁ ଆପଣେଇ ବହୁ ବ୍ୟକ୍ତି ଉଚ୍ଚସ୍ତରରେ ପହଞ୍ଚିପାରିଛନ୍ତି ଓ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଯେଉଁ ଜାତି ନିଜ ଭାଷାକୁ ଭୁଲିଯାଏ, ସେ ନିଜ ସଂସ୍କୃତିକୁ ମଧ୍ୟ ହରାଇଥାଏ । ଦ୍ୱିତୀୟ ସମସ୍ୟା ହେଉଛି ଜଗତୀକରଣ ପ୍ରଭାବରେ ବିଭିନ୍ନ ସଂସ୍କୃତି ଓ ବିଭିନ୍ନ ଭାଷାର ମିଶ୍ରଣ । ଦୈନନ୍ଦିନ କଥାବାର୍ତ୍ତାରେ ଅତ୍ୟଧିକ ଇଂରାଜୀ ଓ ହିନ୍ଦୀ ଶବ୍ଦ ବ୍ୟବହାର ଓଡ଼ିଆର ଶୁଦ୍ଧତାକୁ କ୍ଷୀଣ କରୁଛି । ତେଣୁ ନୂତନ ଶବ୍ଦସୃଷ୍ଟି ଓ ସଠିକ୍ ଭାଷାଚର୍ଚ୍ଚା ମଧ୍ୟ ଆବଶ୍ୟକ ।
ଓଡ଼ିଆ ଭାଷାର ଭବିଷ୍ୟତ ଯେଉଁ ତିନୋଟି ଶକ୍ତି ଉପରେ ନିର୍ଭର କରୁଛି, ତାହା ହେଲା- ଶିକ୍ଷା, ପ୍ରଯୁକ୍ତି ଓ ସମାଜଚେତନା । ଏହା ମାଧ୍ୟମରେ ଆମ ଭାଷାକୁ ବଞ୍ଚାଇ ରଖିପାରିବା। ସେଥିପାଇଁ ନିମ୍ନୋକ୍ତ କେତୋଟି ବିଷୟ ଉପରେ ଧ୍ୟାନଦେବା ଆବଶ୍ୟକ । ଯଥା- ୧) ମାତୃଭାଷା ଆଧାରିତ ଶିକ୍ଷାକୁ ଶକ୍ତିଶାଳୀ କରିବା, ୨) ବିଜ୍ଞାନ ଓ ପ୍ରଯୁକ୍ତିରେ ଓଡ଼ିଆ ପାଠ୍ୟପୁସ୍ତକ ଓ ଗବେଷଣା ବଢ଼ାଇବା, ୩) ଡିଜିଟାଲ ମାଧ୍ୟମରେ ଓଡ଼ିଆ ବ୍ୟବହାରକୁ ପ୍ରୋତ୍ସାହନ ଦେବା, ୪) ପରିବାରରେ ଶିଶୁମାନଙ୍କୁ ଓଡ଼ିଆରେ କଥାହେବାର ଅଭ୍ୟାସ କରିବା ।
ଓଡ଼ିଆ ଭାଷାର ଭବିଷ୍ୟତ ଅନ୍ଧକାରମୟ ନୁହେଁ, ବରଂ ସମ୍ଭାବନାମୟ । ଏହାର ଶକ୍ତି ରହିଛି ତାହାର ସାହିତ୍ୟ, ସଂସ୍କୃତି, ଲୋକପରମ୍ପରା ଓ ଲୋକମନରେ । ଯଦି ଆମେ ଗର୍ବର ସହ ଓଡ଼ିଆ କହିବା, ଲେଖିବା ଓ ଚିନ୍ତା କରିବା, ତେବେ କୌଣସି ଶକ୍ତି ଏହାକୁ ଦୁର୍ବଳ କରିପାରିବନାହିଁ । ମାତୃଭାଷା ହେଉଛି ଆମ ଅସ୍ତିତ୍ୱର ଆତ୍ମା । ତେଣୁ ଓଡ଼ିଆକୁ ସୁରକ୍ଷିତ ରଖିବା କେବଳ ଭାଷାକୁ ବଞ୍ଚାଇବା ନୁହେଁ, ଆମର ସଂସ୍କୃତି ଓ ପରିଚୟକୁ ବଞ୍ଚାଇବା । ଆଜିର ପିଢ଼ି ଯଦି ଏହି ଦାୟିତ୍ୱ ଗ୍ରହଣ କରିବ, ତେବେ ଓଡ଼ିଆ ଭାଷାର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେବ ।