ଇମ୍ଫାଲ,୦୫/୦୧: ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ ଓ ମୋବାଇଲ୍‌ ସଟ୍‌ଡାଉନ୍‌ ସମୟରେ ଉଗ୍ରବାଦୀମାନେ ଏଲନ ମସ୍କଙ୍କର ଉପଗ୍ରହ ଆଧାରିତ ଷ୍ଟାରଲିଙ୍କ୍‌ ଡିଭାଇସ୍‌ ବ୍ୟବହାର  କରୁଛନ୍ତି । ଉଗ୍ରବାଦୀ ଗୋଷ୍ଠୀ ଓ ପୁଲିସରେ ଥିବା ସୂତ୍ର ଆଧାରରେ ‘ଦ ଗାର୍ଡିଆନ୍‌’ ନିଜର ରିପୋର୍ଟରେ ଏହା  ପ୍ରକାଶ କରିଛି । 

ଶୁକ୍ରବାର ପ୍ରକାଶିତ ସେହି ଆଲେଖ୍ୟ ଅନୁସାରେ, ଗତମାସରେ ସୁରକ୍ଷାକର୍ମୀମାନେ  ଇମ୍ଫାଲ ଇଷ୍ଟ ଜିଲ୍ଲାରେ କେଇରାଓ ଖୁନଉରେ  ଚଢ଼ଉ ସମୟରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ  ଜବତ କରିଥିଲେ । ଏଥିସହିତ ଷ୍ଟାରଲିଙ୍କ୍‌ ସାଟେଲାଇଟ ଇଣ୍ଟରନେଟ୍‌ ଡିଭାଇସ୍‌ ବି ମିଳିଥିଲା । 

ଷ୍ଟାରଲିଙ୍କ୍‌କୁ ଭାରତରେ କାର୍ଯ୍ୟ କରିବା ଲାଗି ସୁରକ୍ଷା କାରଣରୁ ଆଇନଗତ ଅନୁମତି ମିଳିନାହିଁ ।  ତେବେ ପଡ଼ୋଶୀ ମ୍ୟାମାଁରରେ ଏହାକୁ ଅନୁମତି  ରହିଛି । ମୈତେଇ ବିଚ୍ଛିନ୍ନତାବାଦୀ ସଂଗଠନ ପିପୁଲ୍ସ  ଲିବରେସନ୍‌ ଆର୍ମି ଅଫ୍‌ ମଣିପୁର(ପିଏଲ୍‌ଏ)ର  ଜଣେ ନେତା ମଧ୍ୟ ହିଂସା ସମୟରେ ଇଣ୍ଟରନେଟ୍‌ ବନ୍ଦବେଳେ ଷ୍ଟାରଲିଙ୍କ ଡିଭାଇସ୍‌ ବ୍ୟବହାର କରୁଥିବା  କଥାକୁ ସ୍ୱୀକାର କରିଛନ୍ତି । 

ତାଙ୍କ ଅନୁସାରେ, ସେମାନେ ପ୍ରଥମେ ମ୍ୟାଁମାରରେ ଏହାକୁ ବ୍ୟବହାର କରୁଥିଲେ ।  କିନ୍ତୁ ପରେ ମଣିପୁର ସୀମାରେ ବି ଏହା କାମ  କରୁଥିବା ଜାଣିବାକୁ ପାଇଥିଲେ । ତେବେ ରାଜ୍ୟରେ  କେତୋଟି ଉଗ୍ରବାଦୀ ସଂଗଠନ ଷ୍ଟାରଲିଙ୍କ ଡିଭାଇସ୍‌  ବ୍ୟବହାର କରୁଛନ୍ତି ସେ ସଂପର୍କରେ କୌଣସି ସ୍ପଷ୍ଟ  ସୂଚନା ମିଳିନାହିଁ । ଉତ୍ତରପୂର୍ବ ରାଜ୍ୟରେ ଷ୍ଟାରଲିଙ୍କ  ଡିଭାଇସ୍‌ ବ୍ୟବହାର ହେଉଥିବା ନେଇ ଅଭିଯୋଗ  ହେବା ପରେ ଏଲନ୍‌ ମସ୍କ କିଛି ଦିନ ତଳେ ଏଥିନେଇ  ପ୍ରତିକ୍ରିୟା ରଖିଥିଲେ । ଷ୍ଟାରଲିଙ୍କ ଉପଗ୍ରହ ବିମ୍‌  ଭାରତରେ ଅକ୍ଷମ ଥିବା ନେଇ ସେ ଦାବି କରିଥିଲେ।