ନୂଆଦିଲ୍ଲୀ : ଆଜି ସବୁଠି AI କାୟା ମେଲିଛି। ସବୁ ସ୍ଥାନରେ AIକୁ ନେଇ ଚର୍ଚ୍ଚା। ଘର ହେଉ କି ଅଫିସ୍, ପ୍ରତ୍ୟେକ କାମରେ AI ପ୍ରବେଶ କରିବାରେ ଲାଗିଛି। ଏହି ସମୟରେ, Metaର CEO ମାର୍କ ଜୁକରବର୍ଗ ଏପରି ଏକ ବିବୃତ୍ତି ଦେଇଛନ୍ତି, ଯାହାକି ଲକ୍ଷ ଲକ୍ଷ ଲୋକଙ୍କୁ ଭାବିବାକୁ ବାଧ୍ଯ କରିଛି। ଜୁକରବର୍ଗ ସ୍ପଷ୍ଟ କହିଛନ୍ତି ଯେ, ଏବେ AI ଏତେ ଆଗକୁ ବଢ଼ି ଯାଇଛି ଯେ, ଜଣେ ହିଁ ବ୍ୟକ୍ତି AI ସାହାଯ୍ୟରେ ଏକ ଟିମ୍‌ର କାମ କରି ପାରିବେ। ଅର୍ଥାତ୍, ଯେଉଁ କାମ ପୂର୍ବରୁ ୫-୧୦ ଜଣ ଏକାଠି କରୁଥିଲେ, ସେହି କାମ ଏବେ ଜଣେ ବ୍ୟକ୍ତି ଏକା କରି ପାରିବ।

ଜୁକରବର୍ଗଙ୍କ ବିଶ୍ୱାସ ଯେ, AI ଏବେ ଲୋକଙ୍କ କାମ କରିବାର ପ୍ରଡକ୍ଟିଭିଟିକୁ ଏତେ ବୃଦ୍ଧି କରିପାରିବ ଯେ, ବଡ଼ ବଡ଼ ଟିମ୍‌ର ଆବଶ୍ୟକତା ହ୍ରାସ ହୋଇଯିବ। ଏ କଥା ଶୁଣିବାରେ ନିଶ୍ଚୟ ଭୟ ଲାଗୁଛି। କାରଣ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ, ଯଦି ଜଣେ ବ୍ୟକ୍ତି ଯଥେଷ୍ଟ, ତେବେ ଅନ୍ୟମାନେ କ'ଣ କରିବେ ? ମାର୍କ ଜୁକରବର୍ଗ ଏ କଥା ମେଟାର ଗୋଟିଏ ବୈଠକ ସମୟରେ କହିଥିଲେ, ଯେଉଁଠାରେ ସେ କମ୍ପାନୀର ଭବିଷ୍ୟତ ଏବଂ ଏଆଇ ଯୋଜନା ବିଷୟରେ ଆଲୋଚନା କରୁଥିଲେ। ସେ କହିଥିଲେ -ଏବେ ଏଆଇ ଆଉ କେବଳ ଏକ ଟୁଲ୍ ବା ଉପକରଣ ନୁହେଁ, ବରଂ ଏହା ଏକ ହେଲ୍ପ ଟୁଲ୍ ଅର୍ଥାତ୍ ସହାୟକ ଉପକରଣ ପାଲଟି ଯାଇଛି, ଯାହା ମଣିଷଙ୍କ ସହ ମିଶି ସମ୍ପୂର୍ଣ୍ଣ କାର୍ଯ୍ୟକୁ ପରିଚାଳନା କରି ପାରିବ।

AI ସାହାଯ୍ୟରେ ସବୁକିଛି କାର୍ଯ୍ୟ ହେଉଛି ସହଜ –

ପୂର୍ବରୁ କୌଣସି ଆପ୍ କିମ୍ୱା ଫିଚରକୁ ବିକଶିତ କରିବାରେ ଭିନ୍ନ ଭିନ୍ନ ଅନେକ ଲୋକଙ୍କ ଆବଶ୍ୟକତା ପଡ଼ୁ ଥିଲା। କେହି ଡିଜାଇନ୍ କରୁଥିଲେ , କେହି କୋଡ୍ ଲେଖୁ ଥିଲେ, କେହି ଟେଷ୍ଟ କରୁ ଥିଲେ ଏବଂ କେହି ପରିଚାଳନା କରୁ ଥିଲେ। କିନ୍ତୁ ଏବେ Al ସାହାଯ୍ୟରେ, ଜଣେ ବ୍ୟକ୍ତି ଏହିସବୁ କାମକୁ ଅତି ସହଜରେ ନିଜେ କରି ପାରବ। AI ନିଜେ କୋଡ୍ ଲେଖିବାରେ ସାହାଯ୍ୟ କରେ, ତ୍ରୁଟି ଚିହ୍ନଟ କରେ ଏବଂ ପରାମର୍ଶ ମଧ୍ୟ ଦିଏ। ଏହା କାର୍ଯ୍ୟକୁ ତ୍ୱରାନ୍ଵିତ କରେ ଏବଂ କମ୍ପାନୀ ଖର୍ଚ୍ଚ ହ୍ରାସ କରେ।