ଭୁବନେଶ୍ବର,୧୯/୧୧ : ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ଚଳିତ ବର୍ଷ ୮ଦିନ ଯାତ୍ରା ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ମାତ୍ର ମଙ୍ଗଳବାର ସିଏମଓ ପକ୍ଷରୁ ଟୁଇଟ(ଏକ୍ସ) କରି କୁହାଯାଇଛି ଯେ କଟକର ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । 

ସିଏମଓ ପକ୍ଷରୁ କରାଯାଇଥିବା ଟୁଇଟ(ଏକ୍ସ)ରେ ଲେଖାଯାଇଛି କି, ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା ଅବଧିକୁ ଆଉ ଏକ ଦିନ ବୃଦ୍ଧି କରିଛନ୍ତି । ଚଳିତ ନଭେମ୍ବର ୧୫କାର୍ତ୍ତିକ ପୂର୍ଣ୍ଣିମାଠାରୁ ୮ଦିନ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବ ନବମ ଦିବସରେ ଉଦଯାପନ ହେବ । 

ପ୍ରକାଶ ଯେ, ସୋମବାର ଅର୍ଥାତ୍‌ ୧୮ତାରିଖରେ ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ ବାଲିଯାତ୍ରାରେ ସବୁ ସରକାରୀ କାର୍ଯ୍ୟକ୍ରମକୁ  ହଠାତ୍‌ ବାତିଲ କରିବାକୁ ପଡ଼ିଥିଲା। ଏପରିକି ମେଳାରେ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରହିବା ସହିତ କୌଣସି ବେସରକାରୀ ଷ୍ଟଲ୍‌ରେ ମଧ୍ୟ ସାଉଣ୍ଡ୍‌ ବାଜିଲାନି । କଟକ୍‌ ଇନ୍‌ କଟକ ମଧ୍ୟରେ ହେବାକୁ ଥିବା ମନୋରଞ୍ଜନ କାର୍ଯ୍ୟକ୍ରମ ଅଟକିଲା । ତେଣୁ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ  ଆଡ୍‌ଜଷ୍ଟ କରିବା ପାଇଁ ଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଗତ ବର୍ଷ  ଭଳି ଏ ବର୍ଷ ମଧ୍ୟ ଯାତ୍ରାର ଅବଧି ୯ ଦିନ ହେବ ।