ଭୁବନେଶ୍ବର,୬/୩ : ଓଡ଼ିଶାର ୪ ରାଜ୍ୟସଭା  ଆସନ ପାଇଁ ୫ ମହାରଥୀଙ୍କ ପ୍ରାର୍ଥିପତ୍ର କାଏମ  ରହିଲା । ଯାଞ୍ଚବେଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର,  ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର,  ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ ବିରୋଧୀ ଦଳର  ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥିପତ୍ର  କାଏମ ରହିଛି । ଆସନ୍ତା ୯ ତାରିଖ ହେଉଛି ପ୍ରାର୍ଥିପତ୍ର  ପ୍ରତ୍ୟାହାର ପାଇଁ ଶେଷ ଦିନ । ୧୬ରେ ହେବ ଭୋଟ ।

ଦାଖଲ ସତ୍ୟପାଠ ଅନୁସାରେ ସ୍ଥାବର,  ଅସ୍ଥାବର ସମ୍ପତ୍ତି ହିସାବ କଲେ ବିଜେଡି ପ୍ରାର୍ଥୀ  ସଂତୃପ୍ତ ସବୁଠାରୁ ଧନୀ । ସଂତୃପ୍ତଙ୍କ ଅସ୍ଥାବର  (ଜମା ଟଙ୍କା, ନିବେଶ ଆଦି) ସମ୍ପତ୍ତିର ମୂଲ୍ୟ  ୫୧୨ କୋଟି ୯୦ ଲକ୍ଷ ଟଙ୍କାରୁ ଅଧିକ । ସ୍ଥାବର  (ଜମି/କୋଠାବାଡ଼ି) ସମ୍ପତ୍ତି ମୂଲ୍ୟ ୫୩ କୋଟି  ଟଙ୍କାରୁ ଅଧିକ । ତାଙ୍କ ପତ୍ନୀଙ୍କ ନାଁରେ ଥିବା ଅସ୍ଥାବର  ସମ୍ପତ୍ତିର ମୂଲ୍ୟ ୨୦ କୋଟି ୪୮ ଲକ୍ଷ ଟଙ୍କାରୁ  ଅଧିକ । ସେହିପରି ତାଙ୍କ ପତ୍ନୀଙ୍କ ସ୍ଥାବର ସମ୍ପତ୍ତି  ମୂଲ୍ୟ ୮ କୋଟି ୬୮ ଲକ୍ଷ ଟଙ୍କାରୁ ଅଧିକ । ସଂତୃପ୍ତଙ୍କ  ହାଇଦ୍ରାବାଦ ଓ ମୁମ୍ବାଇରେ କୋଠାବାଡ଼ି ଥିବାବେଳେ  ବିଏମଡବ୍ଲ୍ୟୁ-୫ ସିରିଜ କାର, ମର୍ସିଡିଜ୍‌ କାର୍‌ ବି  ରହିଛି । ଲଣ୍ଡନର ଆଷ୍ଟୋନ ବିଶ୍ୱବିଦ୍ୟାଳୟରୁ ସେ  ପିଏଚ୍‌ଡି ଶିକ୍ଷା ଲାଭ କରିଛନ୍ତି ।

୫ ପ୍ରାର୍ଥୀଙ୍କ ଭିତରୁ ବିଜେପି ସମର୍ଥନରେ  ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲଢ଼ୁଥିବା ବିଶିଷ୍ଟ ଶିଳ୍ପପତି  ଦିଲ୍ଲୀପ ରାୟ ଧନୀ କ୍ରମିକରେ ଦ୍ୱିତୀୟରେ ରହିବେ ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପଙ୍କ ସ୍ଥାବର ଓ ଅସ୍ଥାବର  ସମ୍ପତ୍ତି ମିଶାଇଲେ ମୂଲ୍ୟ ପ୍ରାୟ ୪୩୬ କୋଟି ଟଙ୍କା  ହେବ । ଦିଲ୍ଲୀପଙ୍କ ଅସ୍ଥାବର (ଚଳନ୍ତି) ସମ୍ପତ୍ତି ମୂଲ୍ୟ  ୩୯୧ କୋଟି ୬୨ ଲକ୍ଷ ଟଙ୍କାରୁ ଅଧିକ । ସେହିପରି  ଜମି ଓ କୋଠାବାଡ଼ିକୁ ନେଇ ମୋଟ ସ୍ଥାବର ସମ୍ପତ୍ତିର  ମୂଲ୍ୟ ୪୫ କୋଟି ୫୦ ଲକ୍ଷ ଟଙ୍କା ହେବ । ତାଙ୍କ  ପତ୍ନୀଙ୍କ ନାମରେ ୧୧ କୋଟି ୧୬ ଲକ୍ଷ ଟଙ୍କାରୁ ଅଧିକ  ଅସ୍ଥାବର ଓ ୮ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସ୍ଥାବର  ସମ୍ପତ୍ତି ଅଛି । ରାଉରକେଲା, ଭୁବନେଶ୍ୱରର ନୂଆପଲ୍ଲୀ,  ଜଲପାଇଗୁଡ଼ି ଓ ନୂଆଦିଲ୍ଲୀରେ ତାଙ୍କର କୋଠାବାଡ଼ି  ଅଛି । ଦିଲ୍ଲୀପଙ୍କ ନାମରେ କୌଣସି ଗାଡ଼ିମୋଟର  ନଥିବାବେଳେ ତାଙ୍କ ପତ୍ନୀ ୨୦୨୩ରେ ଏକ ମର୍ସିଡିଜ  କିଣିଥିଲେ । ଦିଲ୍ଲୀପଙ୍କ ନାମରେ ଅପରାଧିକ ମାମଲା  ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି । ଦିଲ୍ଲୀପ  କୋଲକାତା ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌ କରିଛନ୍ତି ।

ଧନ ସମ୍ପତ୍ତି କ୍ଷେତ୍ରରେ ସବୁଠାରୁ ପଛରେ  ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ।  ମନମୋହନଙ୍କ ନିଜର ଅସ୍ଥାବର ସମ୍ପତ୍ତି ପରିମାଣ  ମାତ୍ର ୪୩ ଲକ୍ଷ ୯୦ ହଜାର ହୋଇଥିବାବେଳେ  ସ୍ଥାବର (କୋଠା/ଜମି) ସମ୍ପତ୍ତିର ବର୍ତ୍ତମାନ ମୂଲ୍ୟ  ୧ କୋଟି ୩୦ ଲକ୍ଷ ଟଙ୍କା ହେବ । ତାଙ୍କ ପତ୍ନୀଙ୍କ  ନାମରେ ୨ କୋଟି ୮୬ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି । ମନମୋହନଙ୍କ ବିରୋଧରେ ମାମଲା  ଥିବା ସତ୍ୟପାଠରେ ଦର୍ଶାଯାଇଛି । ମନମୋହନ  ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ଏମ୍‌  ଶିକ୍ଷାଲାଭ କରିଛନ୍ତି ।  

ବିଜେଡି, କଂଗ୍ରେସ ଓ ସିପିଆଇଏମ  ସମର୍ଥନରେ ନିର୍ଦ୍ଦଳୀୟ ଭାବେ ନାମାଙ୍କନ ଦାଖଲ  କରିଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ମୋଟ  ସମ୍ପତ୍ତିର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ ।  ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ କୋଟି ୯୨  ଲକ୍ଷରୁ ଅଧିକ ହୋଇଥିବାବେଳେ ସ୍ଥାବର ସମ୍ପତ୍ତି  ମୂଲ୍ୟ ୩ କୋଟି ୩୩ ଲକ୍ଷ ଟଙ୍କା । ପତ୍ନୀଙ୍କ  ନାମରେ ୨ କୋଟି ୭୧ ଲକ୍ଷ ଟଙ୍କାର ଅସ୍ଥାବର  ଓ ୧ କୋଟି ୬୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି  ଅଛି । ଏମବିବିଏସ, ଏମ୍‌ଏସ୍‌ ଶିକ୍ଷା ଲାଭ କରିବା  ପରେ ଚଣ୍ଡିଗଡ଼ସ୍ଥିତ ପିଜିଆଇଏମଇଆର୍‌ରୁ  ୟୁରୋଲୋଜିରେ ସୁପରସ୍ପେଶାଲିଟି ଶିକ୍ଷା ଲାଭ  କରିଥିଲେ ଡାକ୍ତର ହୋତା ।

ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁଜିତ କୁମାରଙ୍କ  ଅସ୍ଥାବର ସମ୍ପତ୍ତି ମୂଲ୍ୟ ୩ କୋଟି ୮୫ ଲକ୍ଷ ଟଙ୍କା  ହୋଇଥିବାବେଳେ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୯  ଲକ୍ଷ ଟଙ୍କା ହେବ । ତାଙ୍କ ପତ୍ନୀଙ୍କ ନାମରେ ୧ କୋଟି  ୩ ଲକ୍ଷ ୯୬ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ  ୭୩ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଥିବା ସତ୍ୟପାଠରେ  ଦର୍ଶାଯାଇଛି । ସୁଜିତ କୁମାର ଆମେରିକାର ହାର୍ଭାଡ  ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ  ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି ।

ଏହାସହ ପଢ଼ନ୍ତୁ : ଧାର୍ଯ୍ୟ ସୀମାଠାରୁ ଅଧିକ ବସ୍ ଭଡ଼ା ଆଦାୟ ବିରୋଧରେ ନିୟମିତ ଯାଞ୍ଚ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ