ଭୁବନେଶ୍ବର,୬/୩: ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ । ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଏହିକ୍ରମରେ, ବିଭିନ୍ନ ଆରଟିଓଙ୍କ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବସ୍ ମାନଙ୍କରେ ଅଚାନକ ଯାଞ୍ଚ କରାଯାଇଛି । ଯାତ୍ରିବାହୀ ବସରେ ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ନେଇ ଅନେକ ସମୟରେ ଯାତ୍ରୀଙ୍କଠାରୁ ଅଭିଯୋଗ ଆସୁଛି ।

ତେଣୁ ଏହା ଉପରେ କଡ଼ା ନଜର ରଖି ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ କୁହାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆରଟିଓ ଟିମ୍ ବସ୍ ଯାଞ୍ଚ କରିଛନ୍ତି । ଯାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମଦିନରେ କଟକ ଆରଟିଓଙ୍କ ଏନଫୋର୍ସମେଣ୍ଟ ଟିମ୍ ନିୟମ ଉଲ୍ଲଙ୍ଘନ କରିଥିବା ପାଞ୍ଚଟି ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଟର ଯାନ ଆଇନର ଧାରା 192(କ) ଅନୁଯାୟୀ ଉକ୍ତ ବସ୍ ମାନଙ୍କ ବିରୋଧରେ 10 ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ସରକାରଙ୍କ ଦ୍ୱାରା ବସ୍ ବର୍ଗ ଅନୁଯାୟୀ କିଲୋମିଟର ପିଛା ଭଡ଼ା ଧାର୍ଯ୍ୟ କରାଯାଇଛି । ଉଭୟ ଅଫଲାଇନ୍ ଓ ଅନଲାଇନ ଟିକଟ ପାଇଁ ଏହା ଲାଗୁ ହୋଇଥାଏ ।

ଏହାକୁ ପାଳନ କରିବାକୁ ସମସ୍ତ ବସ୍ ମାଲିକ ତଥା ପରିଚାଳକମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚାଇ ଦିଆଯାଇଛି । ନିୟମ ଅନୁଯାୟୀ ପ୍ରତ୍ୟେକ ବସରେ ଭଡ଼ା ବିବରଣୀ ପ୍ରଦର୍ଶିତ କରିବାକୁ ମଧ୍ୟ କୁହାଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ । କୌଣସି ବସ୍ ଦ୍ୱାରା ବି ନିୟମ ଉଲ୍ଲଙ୍ଘନ ପରିଲକ୍ଷିତ ହେଲେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ କେବଳ ଅଧିକ ଭଡ଼ା ବିଷୟରେ ନୁହେଁ, ସଡ଼କ ସୁରକ୍ଷାର ସମସ୍ତ ନିୟମ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ଏନଫୋର୍ସମେଣ୍ଟରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପ : ଫାଇନାଲ ମୁକାବିଲା ଖେଳିବାକୁ ଅହମ୍ମଦାବାଦରେ ଟିମ୍ ଇଣ୍ଡିଆ