ନୂଆଦିଲ୍ଲୀ ୨୫/୦୧: ବ୍ରିଟେନ ସିନେମା ଘରେ ଭାରତୀୟ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ର ସ୍କ୍ରିନିଂକୁ ଖଲିସ୍ତାନ ସମର୍ଥକମାନେ ବିରୋଧ କରୁଛନ୍ତି । ଏଥିସହ ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରିବା ଲାଗି ବିକ୍ଷୋଭ ମଧ୍ୟ କରୁଛନ୍ତି । ଏହି ପ୍ରସଙ୍ଗ ବ୍ରିଟେନ ସଂସଦରେ ଉଠିଛି । ସାଂସଦ ବବ୍ ବ୍ଲାକ୍ମ୍ୟାନ ଏହାକୁ ବ୍ରିଟେନ ଲୋକଙ୍କ ଅଧିକାରର ଉଲ୍ଲଂଘନ ଏବଂ ଖଲିସ୍ତାନୀ ସମର୍ଥକଙ୍କୁ ଗୁଣ୍ଡା ଓ ଆତଙ୍କବାଦୀ ବୋଲି କହିଛନ୍ତି । ବ୍ରିଟେନ ସଂସଦର ଉପସଭାପତି ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଛନ୍ତି ।
ଏହି ଘଟଣାରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବ୍ରିଟେନର କେତେକ ହଲ୍ରେ ‘ଏମର୍ଜେନ୍ସି’ ଫିଲ୍ମକୁ ବିରୋଧ କରାଯାଉଥିବା ରିପୋର୍ଟ ପ୍ରକାଶ ପାଉଛି । ଭାରତ ବିରୋଧୀ ତତ୍ତ୍ୱ ଦ୍ୱାରା ହିଂସାତ୍ମକ ବିରୋଧ ଏବଂ ଧମକକୁ ନେଇ ଆମେ ବ୍ରିଟେନ ଆଗରେ ଚିନ୍ତା ପ୍ରକାଶ କରିଛୁ । ଅଭିବ୍ୟକ୍ତିର ସ୍ୱାଧୀନତାକୁ ଚୟନାତ୍ମକ ଭାବେ ଲାଗୁ କରାଯାଇପାରିବ ନାହିଁ । ଏହି ଫିଲ୍ମର ସ୍କ୍ରିନିଂରେ ବାଧା ଉପୁଜାଉଥିବା ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି । ବ୍ରିଟେନ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବ ବୋଲି ଆଶା । ଲଣ୍ଡନରେ ଭାରତର ଉଚ୍ଚାୟୁକ୍ତ ଭାରତୀୟ ସମୁଦାୟର ସଦସ୍ୟଙ୍କ ସୁରକ୍ଷା ଲାଗି ସେମାନଙ୍କ ସହ ଯୋଗାଯୋଗରେ ଅଛି ବୋଲି ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ।

ପ୍ରକାଶଥାଉ କି, ଗତ ରବିବାର ବ୍ରିଟେନର କିଛି ସିନେମା ହଲ୍ରେ ‘ଏମର୍ଜେନ୍ସି’ର ସ୍କ୍ରିନିଂକୁ ନେଇ ବିବାଦ ହୋଇଥିଲା । ମୁଖାପିନ୍ଧା ଖଲିସ୍ତାନ ସମର୍ଥକମାନେ ହଲ୍ରେ ପଶି ଫିଲ୍ମର ସ୍କ୍ରିନିଂ ବନ୍ଦ କରାଇ ଦେଇଥିଲେ । ପରେ ଅନ୍ୟ ହଲ୍ଗୁଡ଼ିକ ମଧ୍ୟ ବିବାଦକୁ ଦୃଷ୍ଟିରେ ରଖି ଫିଲ୍ମ ସ୍କ୍ରିନିଂ ବନ୍ଦ କରିଦେଇଥିଲେ । ଏହି ବିବାଦ ଏବେ ବ୍ରିଟେନ ସଂସଦରେ ପହଞ୍ଚିଛି । ସାଂସଦ ବବ୍ କହିଥିଲେ, ଏହା ଏକ ବିବାଦୀୟ ଫିଲ୍ମ । ଫିଲ୍ମର ଗୁଣବତ୍ତାକୁ ନେଇ କୌଣସି ଟିପ୍ପଣୀ କରିବି ନାହିଁ । କିନ୍ତୁ ଏଠାରେ ଲୋକଙ୍କ ଅଧିକାର କଥା ଉଠୁଛି, ଯେଉଁମାନେ ଫିଲ୍ମ ଦେଖି ଏହା ଉପରେ ନିଜ ବିଚାର ରଖିପାରିବେ । ଏହି ଫିଲ୍ମ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଭାରତରେ ଲାଗିଥିବା ଜରୁରିକାଳୀନ ସ୍ଥିତି ଉପରେ ଆଧାରିତ । ଏହାକୁ ଶିଖ୍ ବିରୋଧୀ ଫିଲ୍ମ ଭାବରେ ଦେଖାଯାଉଛି ।