ଅଣ୍ଡରପାସ୍ ଦାବିରେ ଟ୍ରେନକୁ ଅଟକ ରଖିଲେ ଅଞ୍ଚଳବାସୀ

ବାରିପଦା,୨୯।୩: ଗଳାପୋଲ ନଥିବାରୁ ଯାତାୟାତରେ ବାଧା ଉପୁଜୁଥିବା ଅଭିଯୋଗ କଲେ ଅଞ୍ଚଳବାସୀ । ଅଣ୍ଡରପାସ୍ ଦାବିରେ ବାଙ୍ଗିରିପୋଷି ସୁପରଫାଷ୍ଟ ଟ୍ରେନକୁ ବେତନଟିଠାରେ ଜନସାଧାରଣଙ୍କ ଦ୍ୱାରା ଅଟକ ରଖାଯାଇଥିଲା l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏସ.ଏସ. ମହୁଲିଆ ନିକଟରେ ସଂଯୋଗୀକରଣ ରାସ୍ତାରେ ରେଳବିଭାଗ ଦ୍ୱାରା ରେଳ ଫାଟକ ବନ୍ଦକରାଯାଇଛି । ବାରମ୍ବାର ଦାବି ଉପସ୍ଥାପନ ପରେ ବି ରେଳ ବିଭାଗ କାନମୁଣ୍ଡ ଛାଡ଼ୁ ନ ଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ରେଳ ରୋକ କରିଛନ୍ତି ।

ଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକ ରହିଥିଲା l ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା । ସୂଚନା ଅନୁସାରେ, ଗତ ୨ ଦିନ ତଳେ କୌଣସି ସୂଚନା ନଦେଇ ରେଲୱେ ବିଭାଗ ବେତନଟୀ ବ୍ଲକର ଏସ.ଏସ. ମହୁଲିଆଠାରୁ ଇନ୍ଦ୍ରରାନଗର ଏବଂ ପ୍ରାୟ ୧୦ ଗୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ଖୋଳି ରାସ୍ତା ବନ୍ଦ କରିଥିଲା । ତେବେ ଏହି ରାସ୍ତା ଦେଇ ଗ୍ରାମବାସୀମାନେ ପାଣି ଆଣିବା, ସ୍କୁଲ, କଲେଜ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏହି ରାସ୍ତାକୁ ଖୋଲିଦିଆ ଯାଉ କିମ୍ବା ଗୋଟିଏ ଗଳାପୋଲ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଥରେ ଟ୍ରେନ ଅଟକ ରଖାଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।