ଭୁବନେଶ୍ୱର, ୨୮/୦୧: ଶିଳ୍ପ ପ୍ରତିନିଧିମାନଙ୍କ ସମାଗମରେ ରାଜ୍ୟ ରାଜଧାନୀ  ଚଳଚଞ୍ଚଳ । ନିବେଶକଙ୍କ ମହାସଙ୍ଗମ ‘ଉତ୍କର୍ଷ  ଓଡ଼ିଶା: ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ-୨୦୨୫’  ପାଇଁ ମଞ୍ଚ ତୟାର । ଦେଶ ବିଦେଶର ନିବେଶକଙ୍କୁ  ସ୍ୱାଗତ କରିବାକୁ ଓଡ଼ିଶା ବିଛାଇଛି ରେଡ୍‌ କାର୍ପେଟ୍‌ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଜନତା ମୈଦାନରେ ଏହି ଦୁଇଦିନିଆ ନିବେଶକ ମହାକୁମ୍ଭକୁ ଉଦ୍‌ଘାଟନ କରି ରାଜ୍ୟରେ  ପୁଞ୍ଜି ଖଟାଇବା ଲାଗି ବଡ଼ ବଡ଼ ଶିଳ୍ପପତି ଏବଂ  ରାଷ୍ଟ୍ର ପ୍ରତିନିଧିଙ୍କୁ ଦେବେ ଆହ୍ୱାନ । ରାଜ୍ୟରେ  ରହିଥିବା ଅପାର ସୁଯୋଗ ଓ ସମ୍ଭାବନାକୁ ନେଇ  ହେବ ଚର୍ଚ୍ଚା । ଉଦ୍‌ଘାଟନୀ ଅବସରରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ  ପ୍ରମୁଖ ଉପସ୍ଥିତ ରହିବେ ।  

ଏଥର ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକଠାରୁ ୫ ଲକ୍ଷ  କୋଟି ଟଙ୍କାର ନିବେଶ ଆଗ୍ରହ ଟାଣିବା ପାଇଁ ଲକ୍ଷ୍ୟ  ରଖିଛନ୍ତି ରାଜ୍ୟ ସରକାର । ୨୦୨୨ ସଂସ୍କରଣରେ  ରାଜ୍ୟ ଆକୃଷ୍ଟ କରିଥିଲା ୧୦.୫ ଲକ୍ଷ କୋଟିର  ନିବେଶ ଆଗ୍ରହ । ୨୦୧୬ ଏବଂ ୨୦୧୮  ସଂସ୍କରଣରେ ଏହା ଯଥାକ୍ରମେ ୨.୦୩ ଏବ ୪  ଲକ୍ଷ କୋଟି ଟଙ୍କା ଥିଲା । ତେବେ ଏଥର କେବଳ  ଏମ୍‌ଓୟୁ ନୁହେଁ, ସରକାରଙ୍କ ପ୍ରାଥମିକତା ରହିବ  ଅଧିକରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ । ଲକ୍ଷ୍ୟ  ହେଉଛି ଓଡ଼ିଶାକୁ ପୂର୍ବୋଦୟ ପରିକଳ୍ପନାର  ଆଧାର, ଭାରତର ଅଗ୍ରଣୀ ନିବେଶସ୍ଥଳ ଏବଂ  ଶିଳ୍ପ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା । 

ପ୍ରତିଥର ଭଳି ଏଥର ବି କାର୍ଯ୍ୟକ୍ରମରେ  ରାଜ୍ୟର ପ୍ରଗତିର ସାଥୀ ହେବାକୁ ସଂକଳ୍ପ  ନେବେ ନିବେଶକ । ଶିଳ୍ପଗୁଡ଼ିକ ପାଇଁ ଓଡ଼ିଶା  ପ୍ରଦାନ କରୁଥିବା ସୁବିଧା ସୁଯୋଗ ନେଇ ହେବେ  ଅବଗତ  । ଓଡ଼ିଶା ପାଇଁ ଦେବେ କୋଟି କୋଟି  ଟଙ୍କାର ନିବେଶ ପ୍ରତିଶ୍ରୁତି । ଓଡ଼ିଶାର ବିକାଶ  ଗାଥା ଶୁଣି ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ବିକଶିତ  ଭାରତ ୨୦୪୭ ଲକ୍ଷ୍ୟ ହାସଲରେ ଦେବେ  ମହତ୍‌ ଯୋଗଦାନ । କାର୍ଯ୍ୟକ୍ରମରେ ୭୫୦୦ରୁ  ଊଦ୍ଧ୍ୱର୍ ଶିଳ୍ପ ପ୍ରତିନିଧି, ୧୦୦ରୁ ଊଦ୍ଧ୍ୱର୍ ଅନ୍ତର୍ଜାତୀୟ  ପ୍ରତିନିଧି ଯୋଗ ଦେବେ । ସେହିଭଳି ୨୦ ଦେଶର  କୁଟନୀତିଜ୍ଞମାନେ କାର୍ଯ୍ୟକ୍ରମରେ ସାମିଲ  ହେବେ । ସହଯୋଗୀ ଦେଶ ଭାବେ ସିଙ୍ଗାପୁର,  ଅଷ୍ଟ୍ରେଲିଆ ଏବଂ ମାଲେସିଆ ଆଲୋଚନା ଓ  ସହଯୋଗିତା ବୃଦ୍ଧି ଦିଗରେ କାର୍ଯ୍ୟ କରିବେ । 

ଏହାବାଦ ଭିଏତନାମ, ଜିମ୍ବାୱେ, କାଜାଖସ୍ତାନ,  ଭେନେଜୁଏଲା, ୟୁକେ, ୟୁଏସ୍‌ଏ, ନେପାଳ ଭଳି  ଦେଶଗୁଡିକ ଏଥିରେ ପ୍ରତିନିଧିତ୍ୱ କରିବେ।  ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଜେଏସ୍‌ଡବ୍ଲ୍ୟୁ  ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଆଦାନି ଗ୍ରୁପ ନିର୍ଦ୍ଦେଶକ କରନ ଆଦାନି, ଆଦିତ୍ୟ ବିର୍ଲା  ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା, ଲକ୍ଷ୍ମୀ  ମିତ୍ତଲ, ଟାଟା ସନ୍ସ ଅଧ୍ୟକ୍ଷ ଟିଭି ନରେନ୍ଦ୍ରନ ପ୍ରମୁଖ  ଶିଳ୍ପ ଲିଡର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।  

ଦୁଇ ଦିନରେ ମୋଟ ୧୨ଟି ଅଧିବେଶନ ହେବ । ଷ୍ଟାର୍ଟଅପ୍‌ ଓଡ଼ିଶା, ସ୍କିଲ୍‌ଡ ଇନ୍‌ ଓଡ଼ିଶା, ସୁଭଦ୍ରା ଦ୍ୱାରା  ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକତା ବିକାଶ, ସିଇଓ  ରାଉଣ୍ଡ୍‌ଟେବୁଲ, ମହିଳା ନେତୃତ୍ୱ ରାଉଣ୍ଡ୍‌ଟେବୁଲ,  ଏଡିଟର୍ସ ରାଉଣ୍ଡ୍‌ଟେବୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଠାରେ ୧୫୦ ପ୍ରଦର୍ଶନକାରୀ ସେମାନଙ୍କ ଉତ୍ପାଦ  ଏବଂ ସଲ୍ୟୁସନ୍ସକୁ ପ୍ରଦର୍ଶିତ କରିବେ । ଏକ୍ସପୋ ୩୦  ଜାନୁଆରୀରେ ସାଧାରଣ ଲୋକଙ୍କ ଲାଗି ଖୋଲା ରହିବ ।  

ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି,  କାର୍ଯ୍ୟକ୍ରମରେ ୧୦୦ ଏମ୍‌ଓୟୁ ମାଧ୍ୟମରେ ୫ ଲକ୍ଷ କୋଟିର  ନିବେଶ ଆଗ୍ରହ ଆକୃଷ୍ଟ କରିବା ଲକ୍ଷ୍ୟ ରହିଛି । ନୂଆ  ସରକାର ଶିଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ଏବେ ଗୁରୁତ୍ୱ  ଦେଉଛନ୍ତି । ଚଳିତ ଥର କାର୍ଯ୍ୟକ୍ରମରେ ପାରମ୍ପରିକ  କ୍ଷେତ୍ର ବାଦ୍‌ ସମ୍ଭାବ୍ୟ ତଥା ଉଦୀୟମାନ କ୍ଷେତ୍ରଗୁଡିକ  ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । କେବଳ  ଏମ୍‌ଓୟୁ ନୁହେଁ, ପ୍ରକଳ୍ପଗୁଡିକୁ ଗ୍ରାଉଣ୍ଡିଂ ଉପରେ  ବିଶେଷ ଧ୍ୟାନ ଦିଆଯିବ ଶ୍ରୀ ସ୍ୱାଇଁ ସୂଚନା କହିଛନ୍ତି।

ଏଥର ରାଜ୍ୟ ଫୋକସ ବାଦ ୮ରୁ ଊଦ୍ଧ୍ୱର୍  ଉଦୀୟମାନ କ୍ଷେତ୍ରର ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି  ଲକ୍ଷ୍ୟ ରଖିଛି । ଶିଳ୍ପ ବିଭାଗ ସୂଚନା ମୁତାବକ, ଅକ୍ଷୟ  ଶକ୍ତି ଯନ୍ତ୍ରାଂଶ, ସବୁଜ ଇନ୍ଧନ, ସ୍ପେଶାଲିଟି କ୍ୟାପିଟାଲ୍ସ,  ସ୍ପେଶାଲିଟି ମେଟାଲ, ଟେକ୍ନିକାଲ ଟେକ୍ସଟାଇଲ, ଲାର୍ଜ  ସ୍କେଲ ଟେକ୍ସଟାଇଲ ମ୍ୟାଟେରିଆଲ ମାନୁଫାକଚରିଂ,  ପେଟ୍ରୋକେମିକାଲ ଡାଉନ୍‌ଷ୍ଟ୍ରିମ ଭଳି କ୍ଷେତ୍ରକୁ ପ୍ରାଥମିକତା  ଦିଆଯାଇଛି । ଏସବୁ କ୍ଷେତ୍ରଗୁଡ଼ିକର ସମ୍ଭାବ୍ୟ ଦିଗକୁ  ନଜରରେ ରଖି ନୂଆ ଟ୍ରେଣ୍ଡ ଆଧାରରେ ଉଦ୍ୟୋଗୀଙ୍କୁ  ଆକୃଷ୍ଟ କରିବା ଦିଗରେ ଏବେ ଉଦ୍ୟମ ହୋଇଛି । 

ଡାଉନ୍‌ଷ୍ଟ୍ରିମ୍‌ ପେଟ୍ରୋକେମିକାଲ ବର୍ଗରେ  ରିଫାଇନିଂ, ବିଶେଷ ଉତ୍ପାଦ ପ୍ରସ୍ତୁତି ଏବଂ ଲଜିଷ୍ଟିକ୍ସ  ଭଳି କ୍ଷେତ୍ରଗୁଡିକୁ ପ୍ରୋତ୍ସାହନ ମିଳିବାର ବିଶେଷ  ସମ୍ଭାବନା ରହିଛି । ଏ କ୍ଷେତ୍ରରେ କୁଶଳୀ ଶ୍ରମ  ଶକ୍ତିଙ୍କୁ ଯୋଡ଼ିବା ଉପରେ କାର୍ଯ୍ୟକ୍ରମ ଗ୍ରହଣ  କରିବା ଲକ୍ଷ୍ୟ ରଖାଯାଇଛି । ଏସବୁ କ୍ଷେତ୍ରଗୁଡିକ  ନିବେଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି ।