ଭୁବନେଶ୍ୱର, ୦୩/୦୨ : ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ଥାନିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମିନି ମଡେଲ । ଯେଉଁଥିରେ ପରିକ୍ରମା ମାର୍ଗ, ନୂଆରୂପ ନେଇଥିବା ମଠ, ମନ୍ଦିରର ଅପରୂପ ଓ ଅବିକଳ ବିଭବ ଦେଖିବାକୁ ମିଳୁଥିଲା। ଭୁବନେଶ୍ୱରରେ ରହି ମଧ୍ୟ ଅନେକ ଭକ୍ତ ପୁରୀ ଶ୍ରୀମନ୍ଦିରର ଅନୁଭବ ପାଉଥିଲେ । ହେଲେ ସେହି ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ମଡେଲ୍ ଏବେ ନିଜର ଅସ୍ତିତ୍ୱ ହରାଇଛି।
ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନ ଯଥା- ରାମମନ୍ଦିର, ମାର୍କେଟ ବିଲଡିଂ, ଆଇଜି ପାର୍କ, ବିଏମ୍ସି କାର୍ଯ୍ୟାଳୟ, ଉତ୍କଳମଣ୍ଡପ, ରାଜ୍ୟ ସଂଗ୍ରହାଳୟ ଭଳି ସ୍ଥାନରେ ଏହାକୁ ସ୍ଥାପନ କରାଯାଇଥିଲା । ଖରା ବର୍ଷାରୁ ସୁରକ୍ଷା ଦେବା ପାଇଁ ଏକ ବିଶାଳ କାଚର ଘୋଡ଼ଣୀରେ ରଖାଯାଇଥିଲା । ହେଲେ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଏହା ନଷ୍ଟ ହୋଇଯାଇଛି । କେଉଁଠି କାଚ ଭାଙ୍ଗି ପଡ଼ିଛି ତ କେଉଁଠି ତିଆରି ହୋଇଥିବା ମଡେଲ ରେ ଉଈ ଲାଗି ମନ୍ଦିର ନଷ୍ଟ ହୋଇଯାଇଛି । ଆଇଜି ପାର୍କ ନିକଟରେ ଥିବା ମିନି ମଡେଲ ଅତ୍ୟଧିକ ଖରାପ ହୋଇଯାଇଥିବାରୁ ଗତ କିଛି ମାସ ତଳେ ତାହାକୁ ସେହି ସ୍ଥାନରୁ ହଟାଇ ଦିଆଯାଇଛି । ବିଏମ୍ସି ଅଫିସ୍ ନିକଟରେ ମଧ୍ୟ ସମାନ ଅବସ୍ଥା । ସେହିପରି ମାର୍କେଟ ବିଲଡିଂରେ ସ୍ଥାପନ ହୋଇଥିବା ମଡେଲ୍ର ସ୍ଥିତି ବେଶ୍ ଦୟନୀୟ। କାଚ ଭାଙ୍ଗି ତଳେ ପଡ଼ିଥିବା ବେଳେ ମନ୍ଦିରର ଚୂଳ ଭାଙ୍ଗିଯାଇଛି । ଏପରିକି କିଛି ପଟ୍ଟାରେ ଉଈ ଲାଗି ନଷ୍ଟ ହୋଇ ସେଥିରେ ଧୂଳି ଭର୍ତ୍ତି ହୋଇଛି । ରାମ ମନ୍ଦିର ଓ ଉତ୍କଳ ମଣ୍ଡପରେ ଥିବା ମଡେଲରେ ମଧ୍ୟ ସାମାନ ଅବସ୍ଥା ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉନ୍ମୋଚନ ସମୟରେ ଏହାକୁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିଲା । ହେଲେ ତାହା ଏବେ ଅସ୍ତିତ୍ୱ ହରାଇ ସେହି ସ୍ଥାନରେ ପଡ଼ିଛି ।
ଏହି ଖବରଟିକୁ ପଢନ୍ତୁ- ବ୍ୟବସ୍ଥା ବଦଳାଇବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ,ଫାଇଲ୍ ବଦଳରେ ଚିଠି ଓ ଇ-ମେଲ୍ ଜରିଆରେ ମଗାଯିବ ସ୍ପଷ୍ଟୀକରଣ