କଟକ,୦୩/୦୨: ଏଣିକି ଫାଇଲ୍ ଆଉ ଟେବୁଲରୁ ସେ ଟେବୁଲ କି ଏ ଅଫିସରୁ ସେ ଅଫିସ୍ ଘୂରିବୁଲିବନି । ସେହିପରି ଫାଇଲଗପଡିକୁ ଅନାବଶ୍ୟକ ଭାବେ କୌଣସି ଅଧିକାରୀଙ୍କ ଟେବୁଲରୁ କି ନିର୍ଦ୍ଦିଷ୍ଟ ଦପ୍ତରରେ ଦୀର୍ଘଦିନ ଧରି ପଡିରହିବନାହିଁ । ସ୍ପଷ୍ଟୀକରଣ କିମ୍ବା ଅତିରିକ୍ତ ଦସ୍ତାବିଜ୍ ଦରକାର ଥିଲେ ଫାଇଲ୍ଗୁଡିକ ପୁଣିଥରେ ମୂଳ କାର୍ଯ୍ୟାଳୟକୁ ଫେରାଯିବନାହିଁ । ଏହା ପରିବର୍ତ୍ତେ ଅଧିକାରୀ ମାନେ ଔପଚାରିକ ଚିଠି ଓ ଅଧୀକୃତ ଇ-ମେଲ୍ ଜରିଆରେ ଆବଶ୍ୟକ ତଥ୍ୟ କିମ୍ବା ଦସ୍ତାବିଜ୍ ମାଗିବେ ।
‘ଇଜ୍ ଅଫ୍ ଡୁଇଂ ବିଜ୍ନେସ୍’ କାର୍ଯ୍ୟକ୍ରମକୁ ସଫଳ କରିବାକୁ କଟକ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ଏନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାରୀ କାର୍ଯ୍ୟଧାରାକୁ ସରଳୀକରଣ ପାଇଁ ଏ ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଓ ଏହା ସଂଲଗ୍ନ କାର୍ଯ୍ୟାଳୟଗୁଡିକ ମଧ୍ୟରେ ଫାଇଲ୍ ଆଦାନ ପ୍ରଦାନ ପ୍ରକ୍ରିୟାକୁ ସରଳ ଓ ତ୍ୱରିତ କରାଯାଇପାରିବ । ଫାଇଲ୍ ଓ କେସ୍ ରେକର୍ଡ ସମ୍ପର୍କିତ ସମସ୍ତ କାର୍ଯ୍ୟ ଅନ୍ଲାଇନ୍ ଜରିଆରେ ହେବ । ଫାଇଲ୍ ଓ କେସ୍ ରେକର୍ଡ ନିଷ୍ପାଦନ ସହିତ ସମ୍ପୃକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗ ସହିତ ଜିଲ୍ଲାର ସମସ୍ତ ସଂଲଗ୍ନ ଓ ଉପ-ଅଧିନସ୍ଥ କାର୍ଯ୍ୟାଳୟଗୁଡିକୁ ଏହି ନୂତନ ପ୍ରଣାଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି କ୍ଷେତ୍ରରେ ଅତିରିକ୍ତ ସୂଚନା, ସ୍ପଷ୍ଟୀକରଣ କିମ୍ୱା ଦଲିଲ ଆବଶ୍ୟକ ହେଲେ, ସେଥିପାଇଁ ସମ୍ପର୍କିତ ଅଧୀନସ୍ଥ କାର୍ଯ୍ୟାଳୟକୁ ଚିଠି କିମ୍ୱା ଇ-ମେଲ୍ ମାଧ୍ୟମରେ ସୂଚିତ କରାଯିବ ।
ଆହୁରି ପଢନ୍ତୁ-ଚାନ୍ଦିପୁଟରେ ଗୋଷ୍ଠୀ ସଙ୍ଘର୍ଷ, ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ
ଉକ୍ତ କାର୍ଯ୍ୟାଳୟଗୁଡିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ବାଧ୍ୟ ରହିବେ । ଏହି ବ୍ୟବସ୍ଥା ଫଳରେ ଅନାବଶ୍ୟକ ଭାବେ ଫାଇଲ୍ ଦପ୍ତରରୁ ଦପ୍ତରରୁ ଓ ଟେବୁଲରୁ ଟେବୁଲି ଘୂରିବୁଲିବା ଘଟଣା ହ୍ରାସ ପାଇବ । ସେହିପରି କାର୍ଯ୍ୟ ସମୟ ହ୍ରାସ ପାଇବ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ତ୍ୱରିତ ହେବ ବାଲି ଜିଲ୍ଲାପାଳ କହିଛନ୍ତି । ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ସମସ୍ତ ସମ୍ପୃକ୍ତ କାର୍ଯ୍ୟାଳୟ ଏହାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅମାନ୍ୟ ହେଲେ ତାହାକୁ ଗୁରୁତ୍ୱ ସହ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ ଓ କାଗଜବିହୀନ ଶାସନ ପ୍ରଣାଳୀକୁ ଉତ୍ସାହିତ କରାଯିବା ସହିତ ସରକାରଙ୍କ ପ୍ରଶାସନିକ ସୁଧାର ଓ ଆର୍ଥିକ ବିକାଶ ଲକ୍ଷ୍ୟକୁ ଆହୁରି ଗତି ମିଳିବ ବୋଲି ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଆଶା ରଖିଛନ୍ତି ।