ଭଞ୍ଜନଗର,୩/୭ : କୁରୁଳାଇ ଗୋପାଳ ସ୍ବାଇଁ (୪୫) ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଆଉ ଜଣେ ଅଭିଯୁକ୍ତଙ୍କ ନାମ ଏତଲାରେ ଭୁଲ ଲେଖାଥିବା ଦର୍ଶାଇ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତି ସେ ନୁହନ୍ତି ବୋଲି ଦୃଢ ଯୁକ୍ତି ବାଢିବା ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ଜଣାପଡ଼ିଛି।
ସରକାରୀ ଓକିଲ ଉଷାକାନ୍ତ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଗତ ୨୦୧୪ ମସିହା ଜୁଲାଇ ୧୫ ତାରିଖରେ କୁରୁଳାଇ ଗ୍ରାମର ଗୋପାଳ ସ୍ବାଇଁ ନିଜ ଘର ବାରଣ୍ଡାରେ ହାଲିଆ ହୋଇ ବସିଥିବାବେଳେ ସେହି ଗ୍ରାମର ରବାନ୍ଦ୍ର ଦଳବେହେରା(୩୦), ଶରତ ନାୟକ(୪୩) ଓ ଦେବାଶୀଷ ସେଠୀ(୩୩) ସେଠାରେ ପହଞ୍ଚି ଗୋପାଳ ଧରିଥିବା ୮୫୦ ଟଙ୍କା ତାଠାରୁ ଛଡାଇ ନେଇଯାଇଥିଲେ।ଆଉ ଗୋପାଳ ସେହି ଟଙ୍କା ସେମାନଙ୍କୁ ମାଗିବାରୁ ସେମାନେ ଧମକ ଚମକ ଦେଇଥିଲେ। ଏହାକୁ ନେଇ ଗୋପାଳ ଓ ସେହି ୩ଜଣ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ଏହି ୩ଜଣ ଗୋପାଳକୁ ଜୀବନରୁ ମାରିଦେବାକୁ ଧମକ ଦେଇ ସେଠାରୁ ପଳାଇଥିଲେ।
ଅନ୍ୟପକ୍ଷରେ ଗୋପାଳ ପେଶାରେ ଜଣେ ଗାଈଗୋରୁ ଓ ପୋଢ ବେପାରୀ ହୋଇଥିବାରୁ ସେ ଏହି ଘଟଣାର ୨ ଦିନ ପରେ ଅର୍ଥାତ୍ ୧୭/୦୭/୨୦୧୪ ତାରିଖ ଦିନ ପୋଢ ଧରି ଗ୍ରାମର ସୁରେନ୍ଦ୍ର ନାୟକଙ୍କ ସହ ମିଶି ହିଞ୍ଜିଳିକାଟୁ ହାଟକୁ ଯାଉଥିଲେ। ଆଉ ଏକଥା ପୂର୍ବରୁ ଜାଣିପାରି ନେଟେଙ୍ଗା ବ୍ରିଜ୍ ନିକଟରେ ଛପି ରହିଥିବା ଉପରୋକ୍ତ ୩ ଅଭିଯୁକ୍ତ ଠେଙ୍ଗାରେ ଗୋପାଳକୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଗୋପାଳଙ୍କ ମୃତ୍ୟୁ ଘଟିଥିଲା । ଆଉ ପାଖରେ ଥିବା ସୁରେନ୍ଦ୍ର ଏକଥା ଦେଖି ଘଟଣାସ୍ଥଳରୁ ଦୌଡି ଆସି ଏକଥା ଗାଁରେ କହିବାସହ ଗୋପାଳଙ୍କ ଘରେ ସୂଚନା ଦେଇଥିଲା । ସୂଚନାପାଇ ଗୋପାଳଙ୍କ ପୁଅ ନିରଞ୍ଜନ ଏନେଇ ଗାଙ୍ଗପୁର ଥାନାରେ ରିପୋର୍ଟ ଦେଇଥିଲେ। ପୁଲିସ ରିପୋର୍ଟ ଆଧାରରେ ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣକୁ ଧରି କୋର୍ଟଚାଲଣ କରିଥିବାବେଳେ ଅନ୍ୟଜଣେ ଏଯାଏଁ ଫେରାର ରହିଛି।
ଭକ୍ତ ମାମଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟରେ ପହଞ୍ଚିବାପରେ ମାନ୍ୟବର ଏଡିଜେ ଶେଖ୍ ମହମ୍ମଦ୍ କ୍ୱାଇସ୍ ମୋଟ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ନିଜର ରାୟ ଗୁରୁବାର ଶୁଣାଇଛନ୍ତି। ଏହି ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ରବିନ୍ଦ୍ର ଦଳବେହେରାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହ ତାଳୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆଉ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛତି କୋର୍ଟ।
ତେବେ ଏହି ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଶରତ ସ୍ବାଇଁ ନିର୍ଦ୍ଦେଷରେ ଖଲାସ ହୋଇଛନ୍ତି । ମୃତ ଗୋପାଳଙ୍କ ପୁଅ ନିରଞ୍ଜନ ଗାଙ୍ଗପୁର ଥାନାରେ ଦେଇଥିବା ଏତଲାରେ ଶରତ ସ୍ବାଇଁଙ୍କ ବଦଳରେ ଶରତ ନାୟକ ବୋଲି ଉଲ୍ଲେଖ କରିଥିବାରୁ ହତ୍ୟାକାଣ୍ଡରେ ସଂପୃକ୍ତ ଶରତ ନାୟକ ଏ ନୁହଁନ୍ତି ବୋଲି ପ୍ରତିପକ୍ଷ ଓକିଲ ରବି ଦାସ ଯୁକ୍ତି ବାଢିଥିଲେ । ଆଉ ନାମ ଭୁଲ ରହିଥିବାର ଅଭିଯୁକ୍ତ ଶରତ ସ୍ବାଇଁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ସରକାରୀ ଓକିଲ ଉଷାକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଏବେସୁଦ୍ଧା ଫେରାର ରହିଥିବା ଦେବାଶିଷ ଧରା ପଡିନଥିବାରୁ ଏଡିଜେ କୋର୍ଟ ସଂପୃକ୍ତ ଅଭିଯୁକ୍ତଙ୍କୁ ଏଯାଏଁ ବିଚାରକୁ ନେଇ ନଥିବା ସରକାରୀ ଓକିଲ ଉଷାକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।