ଚୌଦ୍ୱାର/ଗୁରୁଡ଼ିଝାଟିଆ,୨୦ ।୫: ବିଲୁପ୍ତ ପ୍ରାୟ ଇଣ୍ଡିଆନ୍ ସ୍କିମର(ପାଣିଚିରି) ଶାବକଙ୍କ କିଚିରିମିଚିରି ଶଦ୍ଦରେ ଫାଟି ପଡୁଛି ମହାନଦୀର ବାଲୁକା ଶଯ୍ୟା । ପ୍ରାୟ ୨୪୫ ପାଣିଚିରି କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜର ଧବଳେଶ୍ୱର ଓ କଖଡ଼ି ନିକଟସ୍ଥ ମହାନଦୀ ମଧ୍ୟସ୍ଥ ବାଲୁକା ଶଯ୍ୟାରେ ଭିଡ଼ ଜମାଇଛନ୍ତି । ଏମାନେ ସାଧାରଣତଃ ଦକ୍ଷିଣ ଏସିଆରୁ ପ୍ରତିବର୍ଷ ଫେବ୍ରୁଆରୀ ମାସରେ ଅଣ୍ଡା ଦେବା ପାଇଁ ଏଠାକୁ ଆସିଥାନ୍ତି । ମେ’ ମାସ ପର୍ଯ୍ୟନ୍ତ ରହିବା ପରେ ଛୁଆ ଫୁଟାଇ ଜୁନ୍ ପ୍ରଥମ ସପ୍ତାହରେ ପୁଣି ଫେରିଯାଆନ୍ତି । ଏବେ ଏହି ପାଣିଚିରି ୧୪୨ଟି ଅଣ୍ଡା ଦେଇଥିବା ବେଳେ ତା’ ମଧ୍ୟରୁ ୧୧୦ଟି ଶାବକ ଜନ୍ମ ନେଇ ବାଲି ଶଯ୍ୟାରେ ଥଣ୍ଟକାଢ଼ି କିଚିରିମିଚିରି ଶବ୍ଦ କରୁଛନ୍ତି ।

ଚଳିତ ବର୍ଷ ମହାନଦୀରେ ଜଳସ୍ତର ଠିକ୍ ରହିଥିବା ସହ ଅନୁକୂଳ ପରିବେଶ ରହିଥିବାରୁ ପାଣିଚିରିଙ୍କ ସଂଖ୍ୟା ଚଳିତ ବର୍ଷ ବଢ଼ିଛି । ୨୦୨୪ରେ ୧୬୫ ସ୍କିମର ଆସିଥିବା ବେଳେ ୧୧୩ଟି ଅଣ୍ଡାରୁ ୭୮ ଟି ଅଣ୍ଡା ଦେଇଥିଲେ । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିଥିବାରୁ ପରିବେଶବିତ୍ଙ୍କ ସହ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ମହାନଦୀର ଉକ୍ତ ସ୍ଥାନଟି ପାଣିଚିରିଙ୍କ ପାଇଁ ଉତ୍ତମ ସ୍ଥାନ ହୋଇଥିବାରୁ ପ୍ରତିବର୍ଷ ଏଠାକୁ ଅଣ୍ଡା ଦେବାକୁ ଆସିଥାନ୍ତି । ସେଠାରେ ଥିବା ବାଲି ଶଯ୍ୟାରେ ଗାତ କରି ତା’ ମଧ୍ୟରେ ଅଣ୍ଡା ଦେଇଥାନ୍ତି । ଅଣ୍ଡା ଦେବାର ୨୫ରୁ ୩୦ ଦିନ ମଧ୍ୟରେ ଛୁଆ ଫୁଟିଥାନ୍ତି । ପାଣିଚିରିଙ୍କ ପ୍ରିୟ ଖାଦ୍ୟ ଜଲ୍ଳା ମାଛ ହୋଇଥିବାରୁ ଏଠାରେ ମଧ୍ୟ ଉକ୍ତ ମାଛ ଗୁଡ଼ିକ ବହୁ ସଂଖ୍ୟାରେ ଦେଖାଦେଇଥାନ୍ତି । ଫଳରେ ସେମାନଙ୍କର ପ୍ରିୟ ଖାଦ୍ୟ ମିଳିଥାଏ । ଏମାନେ ସାଧାରଣତଃ ରାତିରେ ବିଚରଣ କରିଥାନ୍ତି । ଓଡ଼ିଶାର କେବଳ ଧବଳେଶ୍ୱର ଓ କଖଡ଼ି ସ୍ଥିତ ମହାନଦୀ ଶଯ୍ୟାରେ ଅଣ୍ଡା ଦେବାକୁ ଅଧିକ ପସନ୍ଦ କରିଥାନ୍ତି ।

ଏହି ପ୍ରଜାତିର ସୁରକ୍ଷା ଓ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ଚମ୍ବଲ ନଦୀକୂଳରେ ସଂରକ୍ଷିତ ବ୍ୟବସ୍ଥା କରାଯାଇଛି । ହେଲେ ଏହି ପାଣିଚିରିଙ୍କ ସୁରକ୍ଷା ପାଇଁ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣି ରେଞ୍ଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ଥାନୀୟ ଗ୍ରାମବାସୀ, ସ୍କୁଲ କଲେଜ ପିଲାଙ୍କ ସହ ଧୀବର ମାନଙ୍କୁ ସଚେତନ କରାଯାଇଛି । ଏପରିକି ସଚେତନତା ଶୋଭାଯାତ୍ରା କରାଯାଉଛି । ଅଣ୍ଡା ଦେବା ଦିନଠୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି । ସ୍ଥାନୀୟ ଜନସାଧାରଣ ଯେପରି ମହାନଦୀ ମଧ୍ୟସ୍ଥଳରେ ରହିଥିବା ବାଲିଶଯ୍ୟାକୁ ନଯିବେ ସେଥିପ୍ରତି ତୀକ୍ଷଣ ଦୃଷ୍ଟି ଦିଆଯାଉଛି । ପାଣିଚିରି ମାନେ ସୁରକ୍ଷିତ ଭାବେ ବିଚରଣ କରି ଅଣ୍ଡାଦାନ କରି ପାରିବା ସହ ଛୁଆ ଫୁଟିବା ଆରମ୍ଭ ହୋଇଛି । ସମସ୍ତଙ୍କ ସହଯୋଗରେ ପାଣିଚିରି ପକ୍ଷୀକୁ ସୁରକ୍ଷା କଲେ ଏହି ବିଲୁପ୍ତ ପ୍ରାୟ ପକ୍ଷୀର ବଂଶ ବୃଦ୍ଧି ହେବା ସହିତ ସଂରକ୍ଷଣ ହୋଇପାରିବ ବୋଲି ଖୁଣ୍ଟୁଣି ରେଞ୍ଜର ନୀଳମାଧବ ସାହୁ କହିଛନ୍ତି ।