ଭୁବନେଶ୍ୱର,୨୧/୦୫ : ରାଜସ୍ୱ ବିଭାଗରୁ ଖଣି ବିଭାଗ ହାତକୁ ଗଲା ଲଘୁ ଖଣିଜ। ଆଶା କରାଗଲା ବାଲିଘାଟରୁ ବାଲି ଚୋରିରେ ଲାଗିବ ତାଲା। ମାତ୍ର ଫଳ ଘର ଶୂନ । ସରକାର ନୂଆ ମାର୍ଗଦର୍ଶିକା ବି ଜାରି କଲେ। ବ୍ଲକ ଓ ପଞ୍ଚାୟତକୁ ବାଲିଘାଟ ଜଗିବାର ଦାୟିତ୍ୱ ଦେଲା ପରେ ମଧ୍ୟ ବାଲି ମାଫିଆଙ୍କ ପାଇଁ ସବୁ ଏବେ ବି ସାହାଣମେଲା । ନାମକୁ ମାତ୍ର ଚଢ଼ାଉ ହେଉଛି । ଜରିମାନା ହେଉଛି । ମାତ୍ର ଅସଲରେ ବାଲି ମାଫିଆ ଦିନରାତି ବାଲି ଚାଲାଣ କରି ବେଶ ମାଲାମାଲ ହେଉଛନ୍ତି । ଲାଗୁଛି ରାଜ୍ୟରେ ନଦୀବାଲିର ମାଲିକ ସରକାର ନୁହନ୍ତି ବରଂ ମାଫିଆ । ସେମାନଙ୍କ ଇଙ୍ଗିତରେ ଘାଟରୁ ବାଲି ଉଠାଣରୁ ଚାଲାଣ ଯାଏ ସବୁକିଛି ପରିଚାଳିତ । ମାତ୍ର ବାଲିଚୋରିକୁ ରୋକିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ଓଡ଼ିଶା ବାଲିନୀତିକୁ କାହିଁକି ଠିକଣା ଭାବେ କାର୍ଯ୍ୟକାରୀ କରାଯାଉନି ତାର ଜବାବ କାହା ପାଖରେ ନାହିଁ ।
ଭଲ ବ୍ୟବସାୟ ବାଲି ଚୋରି । ଉଭା ଯେତେ ପୋତା ସେତେ । କମ୍ ନିବେଶ, ଢେର ଲାଭ । ନଦୀ ପଠାରେ ଜେସିବି ଲୋଡ଼ କରୁଛି । ହାଇୱା ରାସ୍ତାରେ ଦୌଡ଼ୁଛି । ବେଆଇନ ଭାବେ ଚୋରାରେ ଚାଲାଣ ହେଉଛି । କେବଳ ରାଜ୍ୟ ଭିତରେ ନୁହେଁ, ରାଜ୍ୟ ବାହାରକୁ ମଧ୍ୟ ଦୈନିକ ଶହ ଶହ ଟ୍ରକ ବାଲି ଚାଲାଣ ହେଉଛି । ବାଲି ମାଫିଆଙ୍କ ଏ କଳା ଧନ୍ଦା ଯେ ପ୍ରଶାସନକୁ ଜଣା ନାହିଁ, ତା ନୁହେଁ । ମାଫିଆଙ୍କ ସହ ଗହନ ସଂପର୍କ ଯୋଡ଼ି ବାବୁମାନେ ନିଜ ଭାଗ ପାଉଛନ୍ତି । ରାଜ୍ୟ ରାଜକୋଷ ପ୍ରାୟ ୪୦୦ କୋଟିର ରାଜସ୍ୱ ହରାଉଛି । ସରକାରୀ ବ୍ୟବସ୍ଥା ଏମିତି ଯେ ବିନା ବାଧାରେ ସାହାଣ ମେଲାରେ ଚାଲିଛି ବାଲି କାରବାର । ରାଜ୍ୟରେ ଅଛି ୧୮୮୮ ବାଲି ସଇରାତ । ସେଥିରୁ ୧୨୧୯ଟି ନିଲାମ ହୋଇଛି । ଯେତିକି ବାଲିଘାଟ ନିଲାମ ହୋଇଛି ସେଠି ନିଲାମର ସର୍ତ୍ତଠାରୁ ପ୍ରାୟ ଦଶଗୁଣା ଅଧିକ ବାଲି ଉଠାଣ ହୋଇଛି । ଗୋଟିଏ କେ’ ଫର୍ମରେ ୧୦ ଟ୍ରିପ ବାଲି ବିକ୍ରି ହେଉଛି । ଏଥିରେ ନିଲାମଧାରୀ ଓ ବାଲି ମାଫିଆ ମାଲାମାଲ ହେଉଛନ୍ତି । ସରକାର କିନ୍ତୁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।
ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରୁ ପଡ଼ୋଶୀ ରାଜ୍ୟକୁ ଚୋରା ବାଲି ଚାଲାଣ ବଢ଼ି ବଢ଼ି ଚାଲିଛି । ନଦୀ ପଠାରୁ ବାଲି ଖାଲି ହେବାରେ ଲାଗିଛି, ରାଜକୋଷକୁ କିନ୍ତୁ ରାଜସ୍ୱ ଆସୁନି । ବେଆଇନ ବାଲି ଉଠାଣ ଯୋଗୁଁ ନଦୀ ଶଯ୍ୟା ବିପଦରେ । ପରିବେଶ କ୍ଷୟ ହେଉଛି । ସରକାର ସବୁ ଜାଣି ମଧ୍ୟ ନ ଜାଣିବାର ଅଭିନୟ କରୁଛନ୍ତି । କେବଳ ଯେ ନିଲାମ ସଇରାତରୁ ବାଲି ଚୋରାରେ ଚାଲାଣ ହେଉଛି ତା ନୁହେଁ । ନିଲାମ ହୋଇନଥିବା ସଇରାତରୁ ମଧ୍ୟ ବାଲି ଉଠାଣ ହେଉଛି । ରାଜସ୍ୱ ବିଭାଗ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ପୁଲିସ ଜ୍ଞାତସାରରେ ଏ କାରବାର ଚାଲିଛି । ନିଲାମ ଅନୁସାରେ ବାଲି ଉଠାଣ ଜଗିବାକୁ କେହି ନାହିଁ ।
ରାଜ୍ୟରେ ସ୍ୱତନ୍ତ୍ର ଭାବେ ଚାହିଦା ଅନୁସାରେ ବାଲି ଉଠାଣ ନେଇ ବ୍ୟବସ୍ଥା କରିବାକୁ ସରକାର ଓଡ଼ିଶା ବାଲି ନୀତିର ଚିଠା ପ୍ରସ୍ତୁତ କରିଛନ୍ତି । ମାତ୍ର ଏହାର ତର୍ଜମା ଏଯାଏ ସରୁନି । ବାଲି ଚୋରା ଚାଲାଣ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ମଧ୍ୟ ୭ଟି ମାମଲା ଗଡ଼ୁଛି । ୨୦୨୩ରୁ ଖଣି ବିଭାଗ ଅଧୀନକୁ ଆସିବା ପରେ ବାଲିଚୋରି କମିଲାନି । ଗତ ମାର୍ଚ୍ଚ ମାସରେ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି । ଏଣିକି ବ୍ଲକସ୍ତରରୁ ବାଲିଘାଟ ପରିଚାଳନା କରାଯିବ । ପଞ୍ଚାୟତ କମିଟି ଲିଜ୍ ଦେବ । ପ୍ରତି ବାଲିଘାଟରେ ସିସି ଟିଭି ବାଲି ଉଠାଣ ଓ ପରିବହନ ଉପରେ ରଖିବ ତୀକ୍ଷ୍ଣ ନଜର । ବାଲି ଚାହିଦାର ଆକଳନ ରିପୋର୍ଟ ଅନୁସାରେ ବାଲି ଉଠାଣ ହେବ । ଜିଲ୍ଲାସ୍ତରୀୟ କମିଟି ବାଲିଘାଟର ଉତ୍ସ ଅନୁଧ୍ୟାନ କରିବା ପରେ ବିଡିଓଙ୍କ ନାମରେ ୫ ବର୍ଷ ସଂରକ୍ଷିତ ରଖାଯିବ । ବାଲିଘାଟ ପରିସୀମାର ଡିଜିପିଏସ୍ ସର୍ଭେ ସହ ସୀମା ନିର୍ଦ୍ଧାରଣ ପ୍ରକିୟାର ଭିଡିଓଗ୍ରାଫି କରାଯିବ । ପରେ ଏହାକୁ ଲିଜ୍ ଦିଆଯିବ । ବାଲିଘାଟର ସ୍ୱଚ୍ଛ ପରିଚାଳନା ପାଇଁ ପଞ୍ଚାୟତସ୍ତରରେ କମିଟି ଗଠନ ହେବ । ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ୱାର୍ଡମେମ୍ବର, ବ୍ଲକର ଜଣେ ଅଧିକାରୀ ଓ ପଞ୍ଚାୟତ ଜେଇ ସଦସ୍ୟ ରହିବେ । ଆଇ୪ଏମଏସ ଜରିଆରେ ବାଲି ଉଠାଣ ହେବ । ପ୍ରତି ବାଲିଘାଟରେ ସିସିଟିଭି ସହ ବାଲି ଉଠାଣ ସଂପର୍କିତ ବୋର୍ଡ ରହିବ । ମାତ୍ର ଏହା କିଛି କାଟୁ କରୁନି ।
ସରକାରୀ ତଥ୍ୟ କହୁଛି, ଗତ ବର୍ଷକ ମଧ୍ୟରେ ବାଲି ଚୋରି ନେଇ ୧୨୧୭ ମାମଲା ରୁଜୁ ହୋଇଛି । ୪୮୩ଜଣ ଗିରଫ ହେବା ସହ ୨୪.୭୨ କୋଟି ଜରିମାନା ଆଦାୟ ହୋଇଛି । ମାତ୍ର ମାଫିଆମାନେ ଏତେ ପ୍ରଭାବଶାଳୀ ଯେ ସରକାରଙ୍କୁ ଖାତିର କରୁ ନାହାନ୍ତି । ସେମାନଙ୍କ ଇଛାରେ ଘାଟରୁ ରାତିଦିନ ବାଲି ଉଠାଣ ଓ ପରିବହନ ଚାଲୁଛି । ସରକାର ଚୁପ୍ । କ୍ଷତି ସହୁଛି ରାଜ୍ୟ ରାଜକୋଷ ।