ସଂଘର୍ଷର ଲମ୍ବା କାଳଖଣ୍ଡ । ମାତ୍ର ସେ ଭାଙ୍ଗିନଥିଲେ, ଗଢ଼ିଚାଲିଥିଲେ ସଂଗଠନ । ଅନ୍ଧାରରୁ ଆଲୁଅ ପାଇବା ପର୍ଯ୍ୟନ୍ତ ଚାଲିଥିଲେ । ବିଜେପିକୁ ରସାତଳରୁ କାନ୍ଧରେ ବୋହି ଶିଖର ଆଡ଼କୁ ନେଇଯାଉଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବିଜୁବାବୁ ଓ ଜାନକୀବାବୁ ଥିଲେ ଶୀର୍ଷନେତା । ଉଭୟଙ୍କ ଦଳ ବଡ଼ ଓ ଜନାଧାର ବି ଥିଲା । ସେଇ ସମୟରେ ନେତା ଓ ଜନାଧାର ନଥିବା ବିଜେପିର ନେତୃତ୍ୱ ନେଲେ ଡାକ୍ତର ବାବୁ ।

୧୯୮୫ ବେଳକୁ ବିଜେପିର ଭବିଷ୍ୟତ ନେଇ ନେତାମାନେ ସନ୍ଦିହାନରେ ଥିଲେ । ୧୯୮୮ରେ ସେ ରାଜ୍ୟ ସଭାପତି ଦାୟିତ୍ୱ ନେଲାବେଳେ ବିଜେପି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା । ମାତ୍ର ସେ ଥିଲେ ସ୍ଥିତପ୍ରଜ୍ଞ । କହୁଥିଲେ "ତୁଠ ପଥର ହୋଇ ପଡ଼ିରହିବି, ମାତ୍ର ପାର୍ଟି ଛାଡ଼ି କୁଆଡ଼େ ଯିବିନି' । ଯେଉଁ ଦଳର ନେତା ଅଟଳ ବିହାରୀ ବାଜପେୟୀ, ଯାହା ପଛରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅଛି, ଯେଉଁଠି ତନ-ମନ-ଧନ ଦେଇ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରୁଛନ୍ତି, ସେ ଦଳର ଭବିଷ୍ୟତ ଉଜ୍ଜ୍ୱଳ ।

କେତେକ ହାତଗଣତି ଯୁବକଙ୍କୁ ସାଙ୍ଗରେ ଧରି ସଂଗଠନ ବିସ୍ତାର କାର୍ଯ୍ୟରେ ଲାଗିପଡ଼ିଲେ । ଜଣେ ପ୍ରତିଷ୍ଠିତ ଡାକ୍ତର ଭାବରେ ଭଲ ରୋଜଗାର କରୁଥିଲେ, ମାତ୍ର ରାଜ୍ୟ ସଭାପତି ହେଲାପରେ ଡାକ୍ତରୀ ପେସାରେ ଡୋରି ବାନ୍ଧିଲେ ସ୍ୱ-ଇଚ୍ଛାରେ । କେନ୍ଦ୍ରୀୟ ନେତା କୈଳାସପତି ମିଶ୍ରଙ୍କ ପରାମର୍ଶରେ ଏକ୍ସେରେମେସିନ୍ ଓ ସମସ୍ତ ଯନ୍ତ୍ରପାତି ବିକ୍ରି କରିଦେଇ ସଂଗଠନ କାର୍ଯ୍ୟରେ ସମ୍ପୂର୍ଣ୍ଣ ସମୟ ଦେଲେ ।

ଡାକ୍ତର ବାବୁ ଭଲପାଉଥିଲେ ମା'କୁ, ଭଲପାଉଥିଲେ ଗାଁକୁ, ଗ୍ରହଣ କରିଥିଲେ ରାଷ୍ଟ୍ରବାଦୀ ବିଚାରକୁ, ଧାରଣ କରିଥିଲେ ଦେଶସେବାର ବ୍ରତକୁ । ଧନ ସମ୍ପତ୍ତି ଦେଇ ନୁହେଁ, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଦେଇ ଗଢ଼ି ତୋଳୁଥିଲେ ସମ୍ପର୍କ । ସଚ୍ଚା ସମ୍ପର୍କକୁ ଭାବନାରେ ନୁହେଁ, ତ୍ୟାଗ ଓ ସମର୍ପଣରେ କରିଥିଲେ ସିଦ୍ଧ । ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ବିଶ୍ୱବ୍ରହ୍ମାଣ୍ଡ ରଚନା କଲାଭଳି ତାଙ୍କ ପାଖରେ ଥିଲା ସାହସ ଓ ଇଚ୍ଛା । ତାଙ୍କ ପାଖରେ ଥିବା ଅସୀମ ଧୈର୍ଯ୍ୟ ଆକଳନ କରିବା ଅସହଜ । ଆରଏସଏସ ଶାଖାରୁ ସେ ରାଜନୀତିକୁ ଆସିନଥିଲେ, ମାତ୍ର ସେ ଥିଲେ ବିଚାରନିଷ୍ଠ । ଡାକ୍ତର ଚାକିରି ଛାଡ଼ି ରାଷ୍ଟ୍ରବାଦୀ ବିଚାରରେ ସେ ହୋଇଥିଲେ ଅଭିମନ୍ତ୍ରିତ । ସେବା ଓ ସମର୍ପଣ ହୋଇଥିଲା ଧ୍ୟେୟ । ତାଙ୍କୁ ଦେଖି ଅନେକ ଯୁବକ ଚାକିରି ଛାଡ଼ି ତାଙ୍କର ହେଲେ ସହଯୋଗୀ । ଅନେକ ସାଧାରଣ ଯୁବକଙ୍କୁ ନେତୃତ୍ୱ ଦେଇ ସେ ଆରମ୍ଭ କଲେ ଭିନ୍ନ ଏକ ରାଜନୈତିକ ସଂସ୍କୃତି । ଶୂନ୍ୟତା ଭିତରେ ବିଜେପି ପାଇଁ ସଂଗଠନ ରୋପଣ କରିଥିବା ବୀଜ ପରିଣତ ହେଲା ମହାଦ୍ରୁମରେ । ଦିନେ ରାଜ୍ୟ କମିଟି ଗଠନ କରିବା ପାଇଁ ଖୋଜୁଥିଲେ ନେତା, ଆଜି ଗାଁ ଗାଁରେ ଠିଆହେଲେ ଶହ ଶହ କାର୍ଯ୍ୟକର୍ତ୍ତା । ୧୯୯୦ରେ ବିଜୁବାବୁଙ୍କ ନେତୃତ୍ୱରେ ଏକତରଫା ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଜନତା ଦଳ । ୧୯୯୧ରେ ମାଲକାନଗିରି ଉପନିର୍ବାଚନରେ ବିଜେପିର ଅରବିନ୍ଦ ଢାଲିଙ୍କୁ ବିଜୟୀ କରିବାରେ ସଫଳ ହେଲେ ଡାକ୍ତର ବାବୁ । ୧୯୯୬ରେ ବିଜୁବାବୁ ଲୋକସଭାକୁ ନିର୍ବାଚିତ ହେଲାପରେ ଭୁବନେଶ୍ୱର ବିଧାନସଭାରୁ ଇସ୍ତଫା ଦେବାରୁ ହେଲା ଉପନିର୍ବାଚନ । ଡାକ୍ତର ବାବୁ ବିଜେପିର ସଭାପତି ଥିବାବେଳେ ବିଶ୍ୱଭୂଷଣ ହରିଚନ୍ଦନ ବିଜେପିର ବିଧାୟକ ପ୍ରାର୍ଥୀ ହେଲେ । ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିବା ସତ୍ତେ୍ୱ କଂଗ୍ରେସ ପରାସ୍ତ ହେବା ସହିତ ବିଜୁବାବୁଙ୍କଠାରୁ ତାଙ୍କ ଆସନକୁ ଛଡ଼ାଇ ଆଣିବାରେ ସଫଳ ହେଲା ବିଜେପି । ଗୋଟିଏପଟେ ବିଜୁବାବୁ, ଗୋଟିଏପଟେ ଜାନକୀବାବୁ, ଆଉ ଗୋଟିଏପଟେ ବିଜେପିର ରାଜ୍ୟ ସଭାପତି ଡାକ୍ତର ବାବୁ । ୧୯୯୭ରେ କାମାକ୍ଷାନଗର ଉପନିର୍ବାଚନରେ ବିଜେପିର ରୁଦ୍ରନାରାୟଣ ପାଣି ପ୍ରାର୍ଥୀ ହେଲେ । ବିଜୁବାବୁ ପ୍ରାଣମୂର୍ଚ୍ଛା ପ୍ରଚାର ସତ୍ତେ୍ୱ ତାଙ୍କ ଦଳକୁ ଧରାଶାୟୀ କରି ବିଜେପି ଦ୍ୱିତୀୟ ଶକ୍ତି ଭାବରେ ପ୍ରତିଷ୍ଠିତ ହୋଇଥିଲା । ଏହାପରେ ଡାକ୍ତର ପ୍ରଧାନଙ୍କ ଗୁରୁମନ୍ତ୍ର କାର୍ଯ୍ୟକର୍ତ୍ତାମାନଙ୍କ ଭିତରେ ଭରିଥିଲା ଉତ୍ସାହ । ଯେତେବେଳେ ସେ ବିଜେପିରେ ସକ୍ରିୟ ହେଲେ, ଅନେକ ଲୋକ କହୁଥିଲେ- ଡାକ୍ତରଟା ପାଗଳ ହୋଇଯାଇଛି, ନହେଲେ ଭଲ ରୋଜଗାର ଛାଡ଼ି ଅସ୍ତିତ୍ୱ ନଥିବା ପାର୍ଟିରେ ବସ୍ ଟ୍ରେନରେ ବୁଲନ୍ତା କେମିତି? ନିଜେ ତ ବୁଲିଲା, ସାନ ପୁଅ ଧର୍ମେନ୍ଦ୍ରଟା ବି ସେହିଭଳି । ମାତ୍ର ଏକଥାକୁ ସେ ଭ୍ରୂକ୍ଷେପ କରୁନଥିଲେ । ଧର୍ମପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ ବଡ଼ପୁଅକୁ ଧରି ଘର ସମ୍ଭାଳିଲେ ।

୧୯୯୧ରେ ମାଲକାନଗିରି ଉପନିର୍ବାଚନ ପରେ ବିଜେପିର ୩ଜଣ ବିଧାୟକ ହେଲେ । ୧୯୯୬ ଉପନିର୍ବାଚନ ପରେ ବିଜେପିର ୧୦ଜଣ ବିଧାୟକ ହେଲେ । ୧୯୮୫ରେ ୦.୮% ଭୋଟ୍ ଥିବା ବିଜେପିକୁ ୧୯୯୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୭% ଭୋଟରେ ପହଞ୍ଚାଇବା ତାଙ୍କର ସଫଳ ନେତୃତ୍ୱର ପରାକାଷ୍ଠା । ବିଜୁବାବୁ ବଞ୍ଚିଥିବା ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ସହିତ କଥା ହୋଇ ଅନୁଗୁଳରେ ଜନତା ଦଳ ସହିତ ଅଘୋଷିତ ମେଣ୍ଟ କଲେ ଡାକ୍ତର ବାବୁ । ଜିଲ୍ଲା ପରିଷଦରେ ଅଧ୍ୟକ୍ଷ ପଦ ଜନତା ଦଳ ଓ ଉପାଧ୍ୟକ୍ଷ ପଦ ଆସିଲା ବିଜେପି ହାତକୁ । ଡାକ୍ତର ବାବୁଙ୍କ ଏହି ରଣନୀତି ଓଡ଼ିଶାର ଅଣକଂଗ୍ରେସ ମେଣ୍ଟ ରାଜନୀତି ପାଇଁ ମୂଳଦୁଆ ପକାଇଲା । ରାଜ୍ୟରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇ ବିଜେପି ସହିତ ମେଣ୍ଟ କରାଗଲା । ଡାକ୍ତର ବାବୁ ଦେବଗଡ଼ରୁ ଲୋକସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ମନ୍ତ୍ରୀ ଭାବରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ପରେ କୃଷି ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବରେ କରିଯାଇଥିବା କାର୍ଯ୍ୟ ହିଁ ତାଙ୍କର ପ୍ରଶଂସାପତ୍ର ।

ଓଡ଼ିଶାରେ ୧୬୦୦କିମି. ଜାତୀୟ ରାଜପଥ ଥିଲା । ଡାକ୍ତର ବାବୁ ମନ୍ତ୍ରୀହେଲା ପରେ ଆଉ ୧୬୦୦କିମି. ଜାତୀୟ ରାଜପଥ ମଞ୍ଜୁର କରାଇ ଇତିହାସ ରଚିଲେ । ୧୯୯୯ରେ ଚଣ୍ଡିଖୋଲରୁ କନକତୋରା ୪୨୮କିମି., ବରଗଡ଼ରୁ ବୋରିଗୁମ୍ମା ୩୨୦କିମି., ଗୋପାଳପୁରରୁ ରାୟପୁର ୩୩୩କିମି., ପାଣିକୋଇଲିରୁ ରାଜାମୁଣ୍ଡା ୨୬୯କିମି., ପୁରୀରୁ ଭୁବନେଶ୍ୱର ୫୯କିମି. ଜାତୀୟ ରାଜପଥ ନିର୍ମାଣ କରି ଓଡ଼ିଶାର ବିକାଶର ନୂଆ ଅଧ୍ୟାୟ ଲେଖିଥିଲେ ଡାକ୍ତର ବାବୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦାଣ୍ଡ ବି ହେଲା ଜାତୀୟ ରାଜପଥ । ଓଡ଼ିଶାର ଜାତୀୟ ରାଜପଥ ବିକାଶରେ ସେ ହେଉଛନ୍ତି ବିନ୍ଧାଣି । ରାଜ୍ୟରେ ଏନଏଚକୁ ଦ୍ୱିଗୁଣିତ କରିବା ସହିତ ଅଟଳ ବିହାରୀ ବାଜପେୟୀଙ୍କ "ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା'କୁ କ୍ରିୟାନ୍ୱୟନ କରିବାରେ ସେ ଗ୍ରହଣ କରିଥିଲେ ପ୍ରମୁଖ ଭୂମିକା ।

ଡାକ୍ତର ବାବୁ ପ୍ରଶଂସାପ୍ରିୟ ନଥିଲେ କି ପ୍ରଚାରପ୍ରିୟ ନଥିଲେ । ଆତ୍ମ ବିଜ୍ଞାପନରେ ବିଶ୍ୱାସ କରୁନଥିଲେ । ଓହାଡ଼ ଭିତରେ ରହି ନିହାଣରେ ନିର୍ମାଣ କରିବାକୁ ପସନ୍ଦ କରୁଥିଲେ । ସ୍ୱଳ୍ପ ସମୟ କେନ୍ଦ୍ର କୃଷିମନ୍ତ୍ରୀ ଥିବାବେଳେ ରାଜ୍ୟରେ ୨୮ଟି କୃଷିବିଜ୍ଞାନ କେନ୍ଦ୍ର ସ୍ଥାପନ କରିବା ସହ ଛତୁ, କୁକୁଡ଼ା ଓ ଉଦ୍ୟାନ ଚାଷରେ ବିପ୍ଳବ ଆଣିଥିଲେ ।

୧୯୯୯ ମହାବାତ୍ୟା ସମୟରେ ଡାକ୍ତର ବାବୁଙ୍କ ସେବା କରିବାର ମାନସିକତା ଓ ସମ୍ବେଦନଶୀଳତା ତାଙ୍କ କାର୍ଯ୍ୟ ତତ୍ପରତାରୁ ପ୍ରମାଣିତ ହୋଇଥିଲା । ସେତେବେଳେ ରାଜ୍ୟରେ କଂଗ୍ରେସ ସରକାର ଏକପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ଡାକ୍ତର ପ୍ରଧାନ ନିଜେ ବାତ୍ୟାଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ବାସ୍ତବ ଚିତ୍ରକୁ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ପାଖରେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ । ସେଥିପାଇଁ ବାଜପେୟୀଜୀ କହିଥିଲେ "ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ' । ପରେ ତାହା ହିଁ ହେଲା ।

୧୯୪୧ ଜୁଲାଇ ୧୬ରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା କଣିହାଁ ବ୍ଲକ ନାଲମ ଗ୍ରାମରେ ଜନ୍ମ ହୋଇଥିଲେ ଡାକ୍ତର ବାବୁ । ଯେଉଁଦିନ ୬୦ବର୍ଷ ପୂରିଲା ସେଇଦିନ ରାଜନୀତିରୁ ଅବସର ନେଲେ । ଜୀବନର ଅବଶିଷ୍ଟ ୨୩ବର୍ଷ ଶିକ୍ଷା, ସେବା, ସାମାଜିକ ଓ ଦେଶସେବା କାର୍ଯ୍ୟପାଇଁ ଯୁବକମାନଙ୍କୁ ପ୍ରୋତ୍ସାହିତ କଲେ । ଜୀବନର ପ୍ରଥମ ୨୦ବର୍ଷ ଲଗାଇଲେ ନିଜକୁ ଗଢ଼ିବାରେ, ଦ୍ୱିତୀୟ ୨୦ବର୍ଷ ଲଗାଇଲେ ରୋଜଗାରରେ, ତୃତୀୟ ୨୦ବର୍ଷ ଲଗାଇଲେ ଦେଶସେବା ବା ରାଜନୀତିରେ । ଆରଏସ୍ଏସ୍ ଶାଖାରୁ ନଆସି ବିଜେପି ନେତାଭାବରେ ତାଙ୍କ ଆଚରଣରେ ଦେଖାଯାଉଥିଲା ରାଷ୍ଟ୍ରବାଦୀ ବିଚାର । ଡାକ୍ତରୀ ସେବାରୁ ରାଜନୀତିକୁ ଆସି ସେ ହୋଇଗଲେ ସଫଳ ରାଜନେତା । ପ୍ରଶାସନିକ ଅଭିଜ୍ଞତା ନଥାଇ ମନ୍ତ୍ରୀ ହୋଇ ଅଳ୍ପ ସମୟ ମଧ୍ୟରେ ହାସଲ କଲେ ଅଦ୍ଭୁତପୂର୍ବ ସଫଳତା । ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତାଙ୍କ ନେତୃତ୍ୱରେ ଗଢ଼ାହୋଇଥିବା ଦଳ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ କଲା ଓ ଓଡ଼ିଶାରୁ ୨୦ଜଣ ସାଂସଦ ନିର୍ବାଚିତ ହେଲେ । ସେ ପଛରେ ଠିଆହୋଇ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ବଢ଼ାଉଥିଲେ । ଦୁଇଥର ରାଜ୍ୟ ସଭାପତି ହେଲାପରେ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇବାକୁ ପଛାଇନଥିଲେ । ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲାପରେ ପ୍ରତିବାଦ କରିନାହାନ୍ତି କି ବିଦ୍ରୋହ କରିନାହାଁନ୍ତି, ବରଂ ଶୃଙ୍ଖଳିତ ସୈନିକଟିଏ ଭଳି ନିଷ୍ଠାର ସହିତ ଦଳ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ରାଷ୍ଟ୍ରୀୟ ଉପସଭାପତି ଭାବରେ ଝାଡ଼ଖଣ୍ଡର ପ୍ରଭାରୀ ହେଲେ ।

ସେ ଦୃଢ଼ଭାବରେ କହୁଥିଲେ- ଆମର କାହା ସହିତ ବ୍ୟକ୍ତିଗତ ଲଢ଼େଇ ନାହିଁ, ଆମ ଲଢ଼େଇ ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ରବାଦର ପ୍ରତିଷ୍ଠା ପାଇଁ । ବିରୋଧୀ ଦଳର ନେତାମାନଙ୍କୁ ବ୍ୟକ୍ତିଗତ ଭାବରେ ସେ ଆଦର କରୁଥିଲେ । ତାଙ୍କ ରାଜନୈତିକ ଜୀବନରେ କାହା ଉପରେ ବ୍ୟକ୍ତିଗତ ଆକ୍ଷେପ କରିବାର ନଜିର ନାହିଁ । ସେ ଥିଲେ ସ୍ୱଚ୍ଛ, ନିର୍ମଳ, ନିଷ୍କଳଙ୍କ ତଥା ନିର୍ବିବାଦୀୟ ଜନନେତା । କେନ୍ଦ୍ରୀୟ ନେତା କୁଶାଭାଓ ଠାକ୍ରେ, କୈଳାସପତି ମିଶ୍ର, ବଂଶୀଲାଲ ସୋନିଙ୍କ ମାର୍ଗଦର୍ଶନରେ ସେ ଦଳୀୟ କାର୍ଯ୍ୟକୁ ବିସ୍ତାର କରିବାରେ ସଫଳ ହୋଇଥିଲେ । ଭାରତୀୟ ଜନତା ପାର୍ଟିର ପଞ୍ଚନିଷ୍ଠାକୁ ସଦାସର୍ବଦା ଅନୁପାଳନ କରୁଥିଲେ । ସେ ଥିଲେ ଆତ୍ମ- ଅନୁଶାସିତ, ବିଚାରନିଷ୍ଠ । କଥା କମ୍ କହୁଥିଲେ, ମାତ୍ର ଯୋଜନାକୁ ସଠିକ୍ କ୍ରିୟାନ୍ୱୟନ କରୁଥିଲେ । "ଉଚିତ୍ ମାର୍ଗ, ସ୍ପଷ୍ଟ ନୀତି' ଭାରତୀୟ ଜନତା ପାର୍ଟିର ଏହି ସ୍ଳୋଗାନକୁ ତାଙ୍କ ଜୀବନରେ ପ୍ରୟୋଗ କରିଥିଲେ । ବିଜୟ ତାଙ୍କୁ ଅହଂକାରୀ କରିନଥିଲା କି ପରାଜୟର ଗ୍ଳାନି ତାଙ୍କୁ ସ୍ପର୍ଶ କରିପାରିନଥିଲା ।

ଡାକ୍ତର ପ୍ରଧାନ ଥିଲେ ଜଣେ ଅମାୟିକ, ମେଳାପୀ, ନମ୍ର ଓ ଦୃଢ଼ମନା ରାଜନେତା । ପରିବାର, ସଂଗଠନ, ସମାଜ ଓ ରାଷ୍ଟ୍ର ପାଇଁ ନିଜର କର୍ତ୍ତବ୍ୟ କରିଚାଲିଥିଲେ ଅନ୍ତିମ କ୍ଷଣ ପର୍ଯ୍ୟନ୍ତ । କ୍ଷମତାରେ ନୁହେଁ ମମତାରେ, ଭାଷଣରେ ନୁହେଁ, ଆଚରଣରେ ବାନ୍ଧିବାରେ ସେ ଥିଲେ ସଫଳ ବିନ୍ଧାଣି । ନିରବତା ଭିତରେ ପ୍ରତିଧ୍ୱନିତ ହେଉଛି ବଞ୍ଚିବା ଓ ଲଢ଼ିବାର ଉପକ୍ରମ । ତାଙ୍କୁ ଜାଣୁଥିବା ଲୋକେ କହୁଛନ୍ତି- ଡାକ୍ତର ବାବୁ ବାସ୍ତବରେ "ସିଦ୍ଧପୁରୁଷ' ।