ହରଭଙ୍ଗା,୩/୮ : ବୌଦ୍ଧ ଜିଲ୍ଲାରେ ଚାଷୀ ଚାଷ କାର୍ଯ୍ୟ ଚାଲୁ ରଖିଛି l ପ୍ରାୟ ଜିଲ୍ଲାରେ ଅଧାରୁ ଅଧିକ ଚାଷ ଜମିରେ ତଳି ପୋତା ସରିଲାଣି l ଧାନ ଚାଷ ପାଇଁ ଚାଷୀ ଆଉ ହଳ ନଙ୍ଗଳ ବ୍ୟବହାର ନ କରି ଟ୍ରାକ୍ଟର ଓ ପାୱାର ଟିଲର ଉପରେ ଭରସା କରୁଛି l ଫଳରେ ଜିଲ୍ଲାର ବିଭିନ୍ନ ରାସ୍ତା ଟ୍ରାକ୍ଟର ଲୁହା ଚକ ଯିବା ଆସିବା ହେଉଥିବାରୁ ରାସ୍ତା ଘାଟ ସବୁ ଖରାପ ହେବାରେ ଲାଗିଛି l ଜିଲ୍ଲାର ହରଭଙ୍ଗା ବ୍ଲକ ଚାରିଛକ -ଶୀତଲପାଣି ପୂର୍ତ୍ତ ରାସ୍ତା ବର୍ତ୍ତମାନ ନୂତନ ପିଚୁ ପକାଇ ମରାମତି କରିଥିବାବେଳେ କରଞ୍ଜ କଟା, ଉପରକଟା, ଲଖଣପୁର, ତୁକୁଲୁଣ୍ଡା ଗ୍ରାମ ଗୁଡିକରେ ଟ୍ରାକ୍ଟର ଲୁହା ଚକ ଲଗାଇ ବାରମ୍ବାର ଯିବା ଆସିବା ଫଳରେ ପୂର୍ତ୍ତ ରାସ୍ତା ଉପରେ ଗାର ପଡ଼ିବା କିଛି ସ୍ଥାନରୁ ପିଚୁ ଉଠିବା ଓ ରାସ୍ତା ଶୋଚନୀୟ ହେଉଥିବା ଦେଖା ଦେଇଛି l କିଛି ଚାଷୀଙ୍କ ପାଇଁ ଓ ଟ୍ରାକ୍ଟର ମାଲିକଙ୍କ ପାଇଁ କୋଟି କୋଟି ଟଙ୍କାରେ ନିର୍ମିତ ନୂତନ ରାସ୍ତା ଖରାପ ହେଉଥିବା ଅଭିଯୋଗ ହେଉଛି l
ସେପଟେ ଉକ୍ତ ପୂର୍ତ୍ତ ରାସ୍ତାର କୁଟୀଝାରଠାରୁ ଅରଖ ପଦର ରାସ୍ତା ମଧ୍ୟ ସମାନ ଅବସ୍ଥା l ଅନ୍ୟପଟେ କୁସଙ୍ଗ -ଵାଣିଗୋଚ୍ଛା ରାସ୍ତା ମହାଲିକ ପଡ଼ା, ଯାବର, ଗୁରୁଡ଼ା ମୁଣ୍ଡା, ତଳଗାଁ, ଓ ସଂକୁଲୋଇ ପଂଚାୟତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଉପରେ ମଧ୍ୟ ଲୁହା ଚକ ଲଗା ଟ୍ରାକ୍ଟର ଚାଲୁଥିବାର ନଜରକୁ ଆସିଛି l ଫଳରେ ଗତକାଲି ଉକ୍ତ ସଂକୁଲୋଇ ପଂଚାୟତ ହରିହର ପୁରକୁ ରାସ୍ତା ଖରାପ ନେଇ ଆମ୍ବୁଲାନ୍ସ ଅଧା ବାଟରେ କାଦୁଅରେ ଫସିଯିବାରୁ ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସକୁ ଅଣାଯାଇଥିବା ଚିତ୍ର ଦେଖିବାକୁ ମିଳିଥିଲା l ଏ ନେଇ ବୌଦ୍ଧ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ଦୀପ କୁମାର ଛୁଆଳ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତାରେ ବେଆଇନ ଲୁହା ଲଙ୍ଗଳ ବ୍ୟବହାରକୁ ନେଇ ବୌଦ୍ଧ ପରିବହନ ବିଭାଗ ଓ ପୋଲିସ ବିଭାଗକୁ ଅବଗତ କରାଯାଇଛି।
ଏ ଦିଗରେ ସେମାନେ ପଦକ୍ଷେପ ନେବେ ବୋଲି ପ୍ରତି ଉତ୍ତର ରଖିଛନ୍ତି । ଜନସାଧାରଣ ଏ ଦିଗରେ ସଚେତନ ହୋଇ ବେଆଇନ ଭାବେ ଚାଲୁଥିବା ଟ୍ରାକ୍ଟର ଚଳାଚଳକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଣୁ ଲୁହା ଚକ ଲଗାଇ ଗାଡି ଚଳାଇ ରାସ୍ତା ନଷ୍ଟ କରୁଥିବା ଟ୍ରାକ୍ଟର ଓ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ନେଉଛି ଆରଟିଓ ବିଭାଗ ଦେଖିବାକୁ ବାକି ରହିଲା l