PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଜନଜାତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୫/୮ : ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ଏଥିରେ ଓଡ଼ିଶାର ବହୁ ଲୋକଙ୍କ ଅବଦାନ ରହିଛି । ବିଶେଷ କରି ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଜନଜାତିଙ୍କର ରହିଛି ବିଶେଷ ଭୂମିକା । ଏ ସମ୍ପର୍କରେ ସୂଚନା ଦେଇ ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ୧୭୫୭ର ପଲାସୀ ଯୁଦ୍ଧରେ ଜୟଲାଭ କରିଥିବା ଇଂରେଜମାନେ ଭାରତରେ ସେମାନଙ୍କ ରାଜନୈତିକ ଶାସନର ମୂଳଦୁଆ ପକାଇଥିଲେ । ଠିକ ଏହାର ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାର ଜନଜାତିମାନେ ନିଜର ଶାସକମାନଙ୍କ ନେତୃତ୍ୱରେ ବିଦେଶୀ ଶକ୍ତି କବଳରୁ ନିଜର ସ୍ୱାଧୀନତା ଅକ୍ଷୂଣ୍ଣ ରଖିବା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ । ଇଂରେଜ ଶାସନ ବିରୋଧରେ ଜନଜାତିମାନଙ୍କ ବିଦ୍ରୋହର ପ୍ରଥମ ଝଲକ ଦେଖା ଦେଇଥିଲା ଦକ୍ଷିଣ ଓଡ଼ିଶାର ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଓ ଘୁମୁସର ଅଞ୍ଚଳରେ ।

୧୭୬୬ରେ ଗଞ୍ଜାମ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନ ହେଲା । ମାନ୍ଦ୍ରାଜ ସରକାର ଘୁମୁସର ସମେତ ସମଗ୍ର ଜିଲ୍ଲା ପାଇଁ ଏଡ ୱାର୍ଡ କୋଟସ୍‌ ଫୋର୍ଡଙ୍କୁ ରେସିଡେଣ୍ଟ୍‌ ଭାବେ ନିଯୁକ୍ତ କରିଥିଲେ । ଇଂରେଜ କର୍ତ୍ତୃପକ୍ଷ ଘୁମୁସର ରାଜ୍ୟ ଉପରେ ମାତ୍ରାଧିକ କର ଧାର୍ଯ୍ୟ କରିବାରୁ ବିଦ୍ରୋହର ସୂତ୍ରପାତ ହୋଇଥିଲା । ଘୁମୁସରର ରାଜା କୃଷ୍ଣ ଭଞ୍ଜଙ୍କୁ ରାଜ୍ୟର ଜନଜାତିର ଅଗଣିତ ଲୋକ ସମର୍ଥନ ଦେଇ ବିଦ୍ରୋହ କରିଥିଲେ ୧୭୬୮ରେ । 

ସେହିପରି ୧୭୬୮ରେ ପାରଳାଖେମୁଣ୍ଡିର ରାଜା ନାରାୟଣ ଦେବ ନିଜ ରାଜ୍ୟର ଜନଜାତି ପ୍ରଜାଙ୍କ ସାହାଯ୍ୟ ଓ ସମର୍ଥନ ପାଇ ଇଂରେଜ ଶକ୍ତିର ବିରୋଧ କରିଥିଲେ । ଜାଲମୁରାରେ ଉଭୟ ପକ୍ଷ ମଧ୍ୟରେ ଘଟିଥିବା ସଂଘର୍ଷରେ ପ୍ରାୟ ୩୦ଜଣ ଦେଶଭକ୍ତ ଗିରିଜନ ମାତୃଭୂମି ପାଇଁ ଆତ୍ମବଳି ଦେଇଥିଲେ । ୧୮୧୭ରେ ବ୍ରିଟିଶ ସରକାରଙ୍କ କୁଶାସନ ବିରୋଧରେ ଖୋର୍ଦ୍ଧାରେ ଭୟଙ୍କର ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା । ଏହି ବିଦ୍ରୋହର ପ୍ରଥମ ଦୃଶ୍ୟ ଉନ୍ମୋଚିତ ହୋଇଥିଲା, ଯେବେ ଘୁମସରରୁ ପ୍ରାୟ ୪ଶହ କନ୍ଧ ମେଳି ବାନ୍ଧି ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବାଣପୁରରେ ଆସି ପହଞ୍ଚିଥିଲେ । ଏହି କନ୍ଧ ବିଦ୍ରୋହୀମାନେ ବାଣପୁର ଥାନା ଓ ଅନ୍ୟାନ୍ୟ ସରକାରୀ ଅଫିସ ଆକ୍ରମଣ କରିବା ସହ ସରକାରୀ ଧନ ସମ୍ପତ୍ତି ଲୁଟ୍‌ କରି ନେଇଥିଲେ ।

ଏହି ଘଟଣାରୁ ହିଁ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୪୨ ଅଗଷ୍ଟ ବିପ୍ଳବ ସମୟରେ କୋରାପୁଟ ଜିଲ୍ଲାରେ ଥିବା ଜନଜାତିର ସମସ୍ତ ଲୋକେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ବ୍ରିଟିଶ ଶାସନକୁ ଥରହର କରି ଦେଇଥିଲେ । ସରକାରୀ ରିପୋର୍ଟ ଅନୁସାରେ ପୁଲିସ ଗୁଳିରେ ୫ ମୃତ ଓ ୧୭ଜଣ ଆହତ ହୋଇଥିଲେ । ମାତ୍ର ବାସ୍ତବରେ ଏହାଠାରୁ ଅଧିକ ସଂଖ୍ୟକ ଲୋକ ମୃତାହତ ହୋଇଥିଲେ । ଲକ୍ଷ୍ମଣ ନାୟକଙ୍କ ପ୍ରହାରରେ ଫରେଷ୍ଟ ଗାର୍ଡ ରାମାୟାର ମୃତ୍ୟୁ ହୋଇଛି ବୋଲି ମିଥ୍ୟା ଅଭିଯୋଗ ଅଣାଗଲା । ଏହାର ବିଚାର ହୋଇ ବ୍ରହ୍ମପୁର ଜେଲରେ ୧୯୪୩ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦୋଷ ଲକ୍ଷ୍ମଣଙ୍କୁ ଫାଶୀ ଦିଆଗଲା ।

ଅନୁରୁପ ଭାବେ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖ ଦିନ ନୟାଗଡ଼ର ସ୍ୱାଧୀନତା ସଂଗ୍ରାମୀମାନେ ନୂଆଗାଁ ଥାନାକୁ ଧ୍ୱଂସ କରିବା ପାଇଁ ଯୋଜନା କଲେ । ସେମାନଙ୍କ ମଧ୍ୟରେ ମୁଖ୍ୟତଃ କନ୍ଧ ଜନଜାତିର ଲୋକମାନେ ଥିଲେ । କନ୍ଧ ଜାତିର ସାହସୀ ଦେଶପ୍ରେମୀ ଥିଲେ କଷ୍ଟି ଡାକୁଆ । ନୂଆଗାଁ ଥାନା ନିକଟରେ ସ୍ୱାଧୀନତା ସଂଗ୍ରାମୀମାନେ ପହଞ୍ଚିବାମାତ୍ରେ ପୁଲିସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା । ସାମ୍ନାରେ ରହି ଆନ୍ଦୋଳନର ନେତୃତ୍ୱ ନେଉଥିବା କଷ୍ଟି ଡାକୁଆ ଏହି ଗୁଳିକାଣ୍ଡରେ ମୃତ୍ୟୁବରଣ କରି ସହିଦ ହୋଇଥିଲେ । ଏହି ପରି ଓଡ଼ିଶାର ଜନଜାତିମାନେ ସ୍ୱାଧୀନତା ସଂଗ୍ରାମରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରି ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି ଐତିହାସିକ ଶ୍ରୀ ପଟ୍ଟନାୟକ କହିଛନ୍ତି ।