କେନ୍ଦ୍ରାପଡ଼ା,୩୧/୦୧: ଶିକ୍ଷାବର୍ଷ ସରିବାକୁ ଆଉ ସରିବାକୁ ଦେଢ଼ ମାସରୁ ବି କମ୍ ସମୟ ରହିଲା। ତା’ପରେ ବି ପିଲାଙ୍କ ପାଖରେ ପୋଷାକ ପହଞ୍ଚିପାରିଲା ନାହିଁ । ପିଲାଙ୍କ ଦେହରେ ଫଟା ଡ୍ରେସ୍ । କିଏ ମଇଳା ଡ୍ରେସ୍ ପିନ୍ଧି ସ୍କୁଲ୍ ଆସୁଛି ତ ଆଉ କିଏ ମଇଳା ଡ୍ରେସ୍ ପିନ୍ଧି ପାଠ ପଢ଼ୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସଦର ବ୍ଲକ୍ ଓ ପୌରପାଳିକାରେ ଏଭଳି ଅବେହେଳାର ଚିତ୍ର ଦେଖିବାକୁ ମିଳିଛି । ସରକାରୀ ବ୍ୟବସ୍ଥା ରହିଛି କି ପ୍ରତି ପିଲାଙ୍କୁ ମାଗଣାରେ ପୋଷାକ ଦିଆଯିବ ।

ପ୍ରତିବର୍ଷ ଦୁଇ ହଳ ଡ୍ରେସ୍ ବାଣ୍ଟିବେ ସରକାର । ହେଲେ ଏଠାରେ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସରକାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଜରିଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ପୋଷାକ ତିଆରି ତଥା ଯୋଗାଣ ଦାୟିତ୍ୱ ଦେଲେ । ମହିଳାମାନେ ସ୍ୱାବଳମ୍ବୀ ହେବେ ଓ ଆୟ ବୃଦ୍ଧି ହେବ । ନହେଲେ ଟେଲରିଂ ୟୁନିଟ୍ ଥିବା କ୍ଷୁଦ୍ର, ଲଘୁ ସଂସ୍ଥା ଯାହାର କି ସିଲାଇ ୟୁନିଟ୍ ଥିବ ସେମାନଙ୍କୁ ପୋଷାକ ତିଆରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ । ତେଣୁ ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ଏମାନଙ୍କୁ କେବଳ ପୋଷାକ ତିଆରି କରିବାକୁ କୁହାଯାଇଥିଲା । ଏଥିପାଇଁ ଏସ୍ଏଚ୍ଜିଗୁଡ଼ିକ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିବେ । ବ୍ଲକ୍ ସ୍ତରରେ ବ୍ଲକ୍ ସ୍ତରୀୟ କମିଟି ପକ୍ଷରୁ ବିଡିଓ ଏବଂ ବିଇଓ ଯାଞ୍ଚ କରି ଜିଲ୍ଲାସ୍ତରୀୟ କମିଟିକୁ ପଠାଇବେ । ଜିଲ୍ଲାସ୍ତରୀୟ କମିଟିର ଅନୁମୋଦନ ମିଳିଲେ ମନୋନୀତ ଏସ୍ଏଚ୍ଜିକୁ ଡ୍ରେସ୍ ଯୋଗାଣ ପାଇଁ ଅନୁମତି ମିଳିବ ।

ଆହୁରି ପଢନ୍ତୁ-କଟକ-ବାଙ୍କୀ ରାସ୍ତାରେ ଛକି ବସିଛି ଯମ, ପାଦେ ପାଦେରେ ବିପଦ, ୫ ବର୍ଷରେ ଗଲାଣି ୩୦ରୁ ଅଧିକ ଜୀବନ

ଛାତ୍ରଛାତ୍ରୀମାନଙ୍କୁ ଜଣପିଛା ୨ ହଳ ପୋଷାକ ମୂଲ୍ୟ ୫୦୦ ଟଙ୍କା, ହଳେ ଜୋତା ଓ ୨ହଳ ମୋଜା ପାଇଁ ୨୦୦ ଟଙ୍କା, ୧୨୫ ଟଙ୍କା ଲେଖାଏଁରେ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ, ଟୋପି ୩୦ ଟଙ୍କା ଓ ପରିଚୟ ପତ୍ର ପାଇଁ ୨୦ଟଙ୍କା କରି ୧୦୦୦ ଟଙ୍କା ଲେଖାଏଁ ମିଳୁଛି । କେନ୍ଦ୍ରାପଡ଼ା ବ୍ଲକ୍ ଓ ପୌରପାଳିକାରେ ଥିବା ୧୯୨ ଗୋଟି ସ୍କୁଲ୍ର ମୋଟ୍ ୧୭ ହଜାର ୨୭୮ ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଫର୍ମର ଆବଶ୍ୟକତା ରହିଛି । କେନ୍ଦ୍ରାପଡ଼ା ବ୍ଲକ୍ର ୧୫୩ ସ୍କୁଲ୍ର ୧୩ ହଜାର ୪୭ ପିଲାଙ୍କୁ ଡ୍ରେସ୍ ଦେବା ପାଇଁ ୯୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି । କିନ୍ତୁ ୟୁନିଫର୍ମ ନମିଳିବାରୁ ପିଲା ଛିଣ୍ଡାଫଟା ଡ୍ରେସ୍ ପିନ୍ଧି ସ୍କୁଲକୁ ଆସୁଛନ୍ତି । ଅନ୍ୟପକ୍ଷେ ଯାହା ସୂଚନା ରହିଛି ପୋଷାକ ତିଆରି ପାଇଁ କାର୍ଯ୍ୟାଦେଣ ବଣ୍ଟନରେ ବିବାଦ ଉପୁଜିବାରୁ ପୋଷାକ ପ୍ରଦାନରେ ବିଳମ୍ବ ହୋଇଛି । କେନ୍ଦ୍ରାପଡ଼ା ଶିକ୍ଷା ମଣ୍ଡଳ ପାଇଁ ମୋଟ୍ ୮ଟି ବ୍ୟାବସାୟିକ ସଂସ୍ଥା ୟୁନିଫର୍ମ ତିଆରି କରିବାକୁ କାର୍ଯ୍ୟାଦେଶ ମିଳିଥିଲା ।

ହେଲେ ଏଥିରେ କିଛି ବ୍ୟାବସାୟିକ ସଂସ୍ଥା ନକଲି ଏସଏଚଜି ନାମରେ ୟୁନିଫର୍ମ ତିଆରି ପାଇଁ ଆବେଦନ କରିଥିବା ଅଭିଯୋଗ ଆସିଥିଲା । ଗତ ଶିକ୍ଷାବର୍ଷରେ କେନ୍ଦ୍ରାପଡ଼ା ବ୍ଲକ୍ର ଯେଉଁ ଏସ୍ଏଚ୍ଜି ଯୋଗ୍ୟତା ଭିତ୍ତିରେ ୟୁନିପର୍ମ ତିଆରି ପାଇଁ କାର୍ଯ୍ୟାଦେଶ ପାଇଥିଲେ ଚଳିତ ବର୍ଷ ସେମାନେ କେମିତି ଅଯୋଗ୍ୟ ହୋଇଗଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା । ଅଭିଯୋଗ ଥିଲା କି- ଯୋଗ୍ୟତା ନଥାଇ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କିଛି ବ୍ୟାବସାୟିକ ସଂସ୍ଥା ୟୁନିଫର୍ମ ତିଆରି କାମ ହାତେଇବାରେ ସଫଳ ହୋଇଥିଲେ । କାମ ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ନାଁକୁ ମାତ୍ର କାର୍ଯ୍ୟାଦେଶ ମାତ୍ର ମିଳିଥିଲା । କାହାକୁ ଦେଢ଼ଶହ ତ କାହାକୁ ଦୁଇଶହ ଡ୍ରେସ୍ ପାଇଁ କାର୍ଯ୍ୟାଦେଶ ଦେଇସାରି କାମ ସାରି ଦେଇଥିଲେ ଅଧିକାରୀ । ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ୨ରୁ ୩ ହଜାର ୟୁନିଫର୍ମ ତିଆରି ପାଇଁ କାର୍ଯ୍ୟାଦେଶ ମିଳିଥିବା ଏସ୍ଏଚ୍ଜିର ସଦସ୍ୟମାନେ ଅଭିଯୋଗ କରିଥିଲେ । ବିଇଓ ନାରାୟଣ ଚନ୍ଦ୍ର ମନ୍ତ୍ରୀଙ୍କୁ ପଚାରିବାରୁ କହିଛନ୍ତି କିଜିଲ୍ଲାପାଳ ପୋଷାକ ବଣ୍ଟନ ପାଇଁ ବିଡିଓଙ୍କୁ ସମୀକ୍ଷା କରିବାକୁ ଦେଇଥିଲେ । ସମସ୍ତଙ୍କୁ ଏସଂକ୍ରାନ୍ତରେ ଚିଠି କରାଯାଇଥିଲା । ଏବେ କୌଣସି ଅସୁବିଧା ନାହିଁ । ଆସନ୍ତା ଦିନେ ଅବା ଦୁଇଦିନ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରାଯିବ ।