କଟକ, ୩୧/୦୧ : ପ୍ରତି ଅଧ କିଲୋମିଟରରେ ବାଙ୍କ। ନା ରହିଛି କୌଣସି ଟ୍ରାଫିକ୍ ମିରର୍ ନା କେଉଁଠି ଦେଖିବାକୁ ମିଳୁଛି ସୂଚନା ଫଳକ। ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ । ଏଭଳି ସ୍ଥିତିରେ ରାସ୍ତା ସମତୁଲ ଥିଲେ ବିଶେଷ ଅସୁବିଧା ହୁଅନ୍ତାନାହିଁ । କିନ୍ତୁ ରାସ୍ତାଜାକ ଖାଲଖମାରେ ଭର୍ତ୍ତି । ଫଳରେ ପ୍ରତିପାଦରେ ବିପଦ । ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା । ଏହା ହେଉଛି କଟକ-ବାଙ୍କୀ ମୁଖ୍ୟରାସ୍ତାର ହାଲ୍ । ଗତ ୫ବର୍ଷରେ କଟକ-ବାଙ୍କୀ ରାସ୍ତାରେ ୩୦ରୁ ଅଧିକ ଲୋକେ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ସଡ଼କ ସୁରକ୍ଷା ବ୍ୟବସ୍ଥା ସହିତ ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ହେଉଥିବା ବେଳେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବିଶେଷ କରି କଟକ-ବାଙ୍କୀ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ୨୦ କିଲୋମିଟର ରାସ୍ତା ଗତ କିଛି ବର୍ଷ ଧରି ବିପଜ୍ଜନକ ସାବ୍ୟସ୍ତ ହୋଇଛି । ରାସ୍ତା ପାଶ୍ୱର୍କୁ ଗାଁ ଗୁଡିକ ଲାଗି ରହୁଥିବାବେଳେ ଦୁର୍ଘଟଣା ଅଧିକ ହେଉଛି । ତା’ଛଡ଼ା ଏ ରାସ୍ତା ହେଉଛି ସିଙ୍ଗଲ୍ ୱେ । ପ୍ରାୟ ୩୦ ଫୁଟ୍ ବିଶିଷ୍ଟ ଏହି ରାସ୍ତାର ଉଭୟ ପାର୍ଶ୍ଵରୁ ଗାଡ଼ିମୋଟର ଚଳାଚଳ ରହିଥିବାରୁ ଦୁର୍ଘଟଣା ଆଶଙ୍କା ପ୍ରାୟ ସବୁବେଳେ ରହୁଛି ।
କଟକ-ବାଙ୍କୀ ରାସ୍ତା ପାର୍ଶ୍ଵରେ ଗୋବିନ୍ଦପୁର, ରାମଚଣ୍ଡୀ, ବାଆଁରା, ଭଗିପୁର, ଗୟଳବାଙ୍କ, କଇଁମୁଣ୍ଡି, ଚାରିଘରିଆ, ଉପରପାଥପୁର, ଚକୁଳେଶ୍ୱର, ଜାତମୁଣ୍ଡିଆ, କରବର, ମୁକୁନ୍ଦପୁର, ଶିମିଳିପୁର, ହରିରାଜପୁର ଭଳି ଗାଁ ରହୁଛି । ଅନେକ ଗ୍ରାମବାସୀଙ୍କ ଘର ରାସ୍ତାକୁ ଲାଗି ରହିଛି । ଏହି ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି, ଯେଉଁଥିରେ ଅନେକ ମୃତାହତ ହେଉଛନ୍ତି । କିଛି ଦିନ ପୂର୍ବରୁ ରାମଚଣ୍ଡୀ ଗ୍ରାମ ନିକଟରେ ଏକ ହାଇୱା ସ୍କୁଟର୍କୁ ଧକ୍କା ଦେଇଥିଲା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ସ୍ୱାମୀ ଓ ପୁଅ ଗୁରୁତର ହୋଇଥିଲେ । ସେହିପରି ଗତ ଡିସେମ୍ବରରେ ଗୟଳବାଙ୍କ ଛକ ନିକଟରେ ଦ୍ରୁତଗତିରେ ଆସୁଥିବା କାର୍ ବାଇକ୍କୁ ଧକ୍କା ଦେବାରେ ଦମ୍ପତିଙ୍କୁ ଗୁରୁତର ହୋଇଥିଲେ । ସେହିପରି ଏକ ସ୍କୁଲ୍ ଭ୍ୟାନ୍ ଓଲଟିଯିବାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ଏବଂ ଏଥିରେ ୨୦ରୁ ଅଧିକ ଆହତ ହୋଇଥିଲେ । ସେହିପରି ପିକଅପ୍ ଭ୍ୟାନ୍ ବାଇକ୍କୁ ଧକ୍କା ଦେବାରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହେବା ଭଳି ଅନେକ ଦୁର୍ଘଟଣା ଅତୀତରେ ଏହି ରାସ୍ତାରେ ଘଟୁଛି ।
ରାସ୍ତା ଓସାରିଆ କରିବାକୁ ଅନେକ ଦିନରୁ ଦାବି ହେଉଥିବା ବେଳେ ସମ୍ପ୍ରସାରଣ ବାବଦରେ ଜମି ଅଧିଗ୍ରହଣ କରିବା ଏତେ ସହଜ ହେଉନାହିଁ । କାରଣ କଟକ ପଟରୁ ଗୋଡ଼ିସାହି ଠାରୁ ବାଙ୍କୀ ମୁଖ୍ୟ ବଜାର ଯାଏ ଉଭୟ ପାର୍ଶ୍ଵରେ ଲୋକଙ୍କ ଘରୋଇ ଜମି ରହିଛି । ଏଭଳି ସ୍ଥିତିରେ ରାସ୍ତା ଖର୍ଚ୍ଚ ଠାରୁ ପ୍ରାୟ ଚାରିଗୁଣା ଖର୍ଚ୍ଚ ଜମି ଅଧିଗ୍ରହଣ ବାବଦରେ ଖର୍ଚ୍ଚ ହେବ । କିଛି ବର୍ଷ ପୂର୍ବରୁ ଏ ନେଇ ଏକ ପ୍ରସ୍ତାବ ରହିଥିବା ବେଳେ ବ୍ୟୟ ଅଟକଳ ମାତ୍ରାଧିକ ହେବାରୁ ପ୍ରସ୍ତାବ ପ୍ରକଳ୍ପରେ ପରିଣତ ହୋଇପାରିଲା ନାହିଁ । ତେବେ ଏହି ରାସ୍ତାରେ ଭାରୀଯାନ ଚଳାଚଳ କମାଇବା ଉଦ୍ଦେଶ୍ୟରେ ତାଳବସ୍ତ ପାଖରୁ ଶିମିଳିପୁର ହୋଇ ଢେଙ୍କାନାଳକୁ ଏକ ମୁଖ୍ୟରାସ୍ତା ସଂଯୋଗ କରିବାକୁ ଯୋଜନା ରହିଛି । ଏ ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ବେଳେ ଏହାଦ୍ୱାରା ଏ ସମସ୍ୟାର କିଛି ମାତ୍ରାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଦୁର୍ଘଟଣା କମାଇବା ନେଇ ଏବେ ଯାଏ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ବେଗ କମାଇବା ପାଇଁ ମାଳମଳ ହମ୍ପ୍ସ କରାଯାଇଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ । ତେଣୁ ରାସ୍ତା ମୋଡ଼ଗୁଡିକରେ ଟ୍ରାଫିକ୍ ମିରର୍, ଜନବସତି ଅଞ୍ଚଳରେ ସ୍ପିଡ୍ ନିୟନ୍ତ୍ରଣ ସୂଚନାଫଳକ, ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ ବ୍ୟବସ୍ଥା କରିବାକୁ ଦାବି ହେଉଛି ।
ଏହି ଖବରଟିକୁ ପଢନ୍ତୁ- ଚଳଚଞ୍ଚଳ ହେବ ସ୍ୱରାଜ ଆଶ୍ରମ, ବୁଣା ହେବ ଖଦି... ଅହମ୍ମଦାବାଦରୁ ଆସିଲା ୧୨ଟି ଚରଖା