ପ୍ରାଚୀନ ଭାରତର ନାଳନ୍ଦା ଓ ପୁଷ୍ପଗିରି  ଭଳି ବିଶ୍ୱବିଦ୍ୟାଳୟର କୁଳପତି ଆସନ ଅଳଂକୃତ କରିଥିବା ମହାପଣ୍ଡିତ ଆଚାର୍ଯ୍ୟ  ଶୀଳଭଦ୍ର, ବୌଦ୍ଧ ନ୍ୟାୟ ଦର୍ଶନ  ଓ ସାଂଖ୍ୟ ଦର୍ଶନର ମହାନ ପ୍ରବକ୍ତା  ଆଚାର୍ଯ୍ୟ ଦିଙ୍‌ନାଗ, ଆଚାର୍ଯ୍ୟ ଇନ୍ଦ୍ରଭୂତି, ରାହୁଲ ଭଦ୍ର ଏବଂ ପଦ୍ମସମ୍ଭବଙ୍କ ନାମ  ଉଲ୍ଲେଖଯୋଗ୍ୟ । ପ୍ରାଚୀନ ଉତ୍କଳ ଖଣ୍ଡକୁ ଶତ ଶତ ବିଦାର୍ଥୀ ଅଧ୍ୟୟନ ସକାଶେ  ଆସୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ।

ଉଦୟଗିରି ସଂଲଗ୍ନ ରତ୍ନଗିରି, ଲଳିତଗିରି,  ଲାଙ୍ଗୁଡ଼ି ଆଦି ଅଞ୍ଚଳକୁ ନେଇ ଓଡ଼ିଶା  ସରକାର ହୀରକ ତ୍ରିଭୁଜ ଘୋଷଣା କରିଛନ୍ତି ।  ନିକଟରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଠାରେ  ଆୟୋଜିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଦ୍ୱିତୀୟ  ବୁଦ୍ଧ କୁହାଯାଉଥବା ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କର ଦେହାବଶେଷ ଉଦୟଗିରିରେ ରହିଥିବାର ଗବେଷକମାନେ ଉପସ୍ଥାପନା କରିବା ଫଳରେ  ଉଦୟଗିରିର ମହତ୍ତ୍ୱ ବହୁଗୁଣିତ ହୋଇଯାଇଛି । ଏଥିସହ ଆସିଆ ପର୍ବତମାଳା ଅଞ୍ଚଳରେ ପୁଷ୍ପଗିରି  ବିଶ୍ୱବିଦ୍ୟାଳୟ ଥିବାର ଗବେଷକମାନେ ମତ ଦେଲା ପରେ ଓଡ଼ିଶା ମାଟି ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ହୋଇଯାଇଛି । 

ରିଂପୋଚେ ବା ଦ୍ୱିତୀୟ ବୁଦ୍ଧ  ପଦ୍ମସମ୍ଭବ ସମ୍ବଲକ ରାଜ୍ୟରେ ଜନ୍ମ  ନେଇ ରାଜା ଇନ୍ଦ୍ରଭୂତିଙ୍କର ପାଳିତପୁତ୍ର  ଭାବରେ ଜଣାଶୁଣା । ମହାନଦୀର  ଦକ୍ଷିଣ ପଟେ ଥିବା ଲଙ୍କାପୁରୀ  (ଆଜିର ସୁବର୍ଣ୍ଣପୁର)ରେ ଇନ୍ଦ୍ରଭୂତିଙ୍କ  ଭଉଣୀ ଭଗବତୀ ଲକ୍ଷ୍ମୀକରା ବିବାହ  କରିଥିଲେ । ତାଙ୍କର ଭାଇ ବଜ୍ରଜାନୀ  ଥିଲେ ମଧ୍ୟ ସୁବର୍ଣ୍ଣପୁରୀର ରାଜବଧୂ ଲକ୍ଷ୍ମୀକରା  ସହଜଜାନ ତନ୍ତ୍ର ପ୍ରବର୍ତ୍ତନ କରି ନୀଚ ଜାତିର  ସ୍ତ୍ରୀମାନଙ୍କୁ ଦୀକ୍ଷା ଦେଇ ନାରୀ ଜାଗରଣର ପ୍ରଥମ  ଶୁଭଶଙ୍ଖ ବଜାଇଥିଲେ । ପଦ୍ମସମ୍ଭବଙ୍କ ସୁବର୍ଣ୍ଣପୁର  ସହ ସାଧନା ଓ ସିଦ୍ଧିର ସଂପର୍କ ଥିବାର ପ୍ରମାଣ ପାଇଲା ପରେ ବିଶ୍ୱ ଇତିହାସରେ ସୁବର୍ଣ୍ଣପୁରର  ମଧ୍ୟ ମହତ୍ତ୍ୱ ବହୁଗୁଣିତ ହୋଇଯାଇଛି ।

ପ୍ରାଚୀନ ଭାରତର ନାଳନ୍ଦା ଓ ପୁଷ୍ପଗିରି ଭଳି  ବିଶ୍ୱବିଦ୍ୟାଳୟର କୁଳପତି ଆସନ ଅଳଂକୃତ  କରିଥିବା ମହାପଣ୍ଡିତ ଆଚାର୍ଯ୍ୟ ଶୀଳଭଦ୍ର, ବୌଦ୍ଧ  ନ୍ୟାୟ ଦର୍ଶନ ଓ ସାଂଖ୍ୟ ଦର୍ଶନର ମହାନ ପ୍ରବକ୍ତା  ଆଚାର୍ଯ୍ୟ ଦିଙନାଗ, ଆଚାର୍ଯ୍ୟ ଇନ୍ଦ୍ରଭୂତି, ରାହୁଲ  ଭଦ୍ର ଏବଂ ପଦ୍ମସମ୍ଭବଙ୍କ ନାମ ଉଲ୍ଲେଖଯୋଗ୍ୟ ।  ପ୍ରାଚୀନ ଉତ୍କଳ ଖଣ୍ଡକୁ ଶତ ଶତ ବିଦାର୍ଥୀ ଅଧ୍ୟୟନ  ସକାଶେ ଆସୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ।  ଦେଢ଼ ହଜାର ବର୍ଷ ତଳର ମାଟିତଳୁ ବାହାରିଥିବା  ବିସ୍ମୟକର ବୌଦ୍ଧ କୀର୍ତ୍ତିରାଜିର ଅମ୍ଳାନ ଐତିହ୍ୟ  "ହୀରକ ତ୍ରିଭୁଜ’ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର  ସ୍ଥାନ ଅଧିକାର କରିଛି । 

ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଚୀନ  ପରିବ୍ରାଜକ ହୁଏନସାଂଙ୍କୁ ସମ୍ରାଟ ହର୍ଷବର୍ଦ୍ଧନ ଓଡ଼ିଶା  ଆସିବାକୁ ନିମନ୍ତ୍ରଣ କରିଥିବାର କଥା ଗବେଷକ ଡ.  ସୁନିଲ କୁମାର ପଟ୍ଟନାଏକ ଉଲ୍ଲେଖ କରିଛନ୍ତି । ସତେଇଶି ବର୍ଷ ବୟସର ଏହି ପୃଥିବୀପ୍ରସିଦ୍ଧ  ବୌଦ୍ଧ ସନ୍ନ୍ୟାସୀ ୬୨୩ ଖ୍ରୀଷ୍ଟାବ୍ଦରେ ଚୀନରୁ  ଆଫଗାନିସ୍ଥାନ ବାଟ ଦେଇ ଭାରତ ଆସିଥିଲେ । ତାଙ୍କର ଭାରତ ଭ୍ରମଣ ଅଧ୍ୟୟନ ବିବରଣୀକୁ ପୁସ୍ତକ  ‘ସି-ୟୁ-କୀ'ରେ ଲିପିବଦ୍ଧ କରିଛନ୍ତି । 

ସେତେବେଳେ ଓଡ଼ିଶାରେ କଳିଙ୍ଗ, କୋଶଳ,  କଂଗୋଦ ଓ ଉଡ୍ର ନାମକ ରାଜ୍ୟଗୁଡ଼ିକ ଥିଲା । ଏହି  କାଳଖଣ୍ଡରେ ଓଡ଼ିଶାରେ ବୌଦ୍ଧଧର୍ମର ପ୍ରଭାବ  ବହୁ ମାତ୍ରାରେ ଥିବାର ଜଣାଯାଇଛି । ହୁଏନସାଂଙ୍କ  ବିବରଣୀରୁ ଜଣାଯାଏ ଯେ, ଇତିହାସପ୍ରସିଦ୍ଧ  ପୁଷ୍ପଗିରି ଏକ ବିକଶିତ ଏବଂ ଅତ୍ୟନ୍ତ ପରିବ୍ୟାପ୍ତ  ଅଞ୍ଚଳରେ ଗଢ଼ି ଉଠିଥିବା ଏକ ଅପୂର୍ବ ପ୍ରଜ୍ଞାପୀଠ  ବୋଲି ଡ. ହରିଶ୍ଚନ୍ଦ୍ର ପୃଷ୍ଟିଙ୍କ ଆଲେଖ୍ୟରେ ଉଲ୍ଲେଖ  ଅଛି । ପୁଷ୍ପଗିରି ହେଉଛି ଏକାଧିକ ଗିରିର ଏକ  ଅପୂର୍ବ ସମାହାର । ହୁଏନସାଂଙ୍କ ପୁ-ଷି-ପୋକି-ଲି (ପୁଷ୍ପଗିରି) ଥିଲା ଭାରତ ଭୂଖଣ୍ଡର ଉଚ୍ଚା  (ଓଡ୍ର) ରାଜ୍ୟର ପର୍ବତ ଭୂମିରେ ଥିବା ଏକ ଅପୂର୍ବ  ବୌଦ୍ଧ ମହାବିହାର³ ଯାହା ଏକ ଆଲୌକିକ ରଶ୍ମି  ବିକିରଣ କରୁଥିଲା । ପ୍ରାଚୀନ ଓଡ୍ର ଦେଶର ଦକ୍ଷିଣ- ପଶ୍ଚିମରେ ଥିବା ‘ସଂଘାରାମ' ଥିଲା ପୁଷ୍ପଗିରି ବୋଲି  ସି-ୟୁ-କୀ’ରୁ ଜଣାପଡ଼େ । ଏହାକୁ ମାନବ ନୁହେଁ,  ଯକ୍ଷମାନେ ତିଆରି କରିଥିଲେ ବୋଲି କୁହାଯାଏ ।  ଲାଙ୍ଗଡ଼ି ବୌଦ୍ଧ ବିହାରର ଛେଣି ଖୋଦେଇର  ଶିଳାଲିପିରେ ପ୍ରାକୃତ ଭାଷାରେ ‘ପୁଷ୍ପସଭାର  ଗିରୟ' ଲେଖାର ପାଠୋଦ୍ଧାର କରି କଲିକତା  ବିଶ୍ୱବିଦ୍ୟାଳୟର ବିଖ୍ୟାତ ଏପିଗ୍ରାଫି ବିଶେଷଜ୍ଞ  ପ୍ରଫେସର ମୁଖାର୍ଜି କହିଛନ୍ତି ଯେ, କୌଣସି ପ୍ରାମାଣିକ ସିଲ୍‌ ମୋହର ନମିଳିଲେ ବି ଏହା  ପୁଷ୍ପଗିରି ବୌଦ୍ଧ ବିହାର ବୋଲି କୁହାଯାଇପାରେ । 

ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକରେ ଦାର୍ଶନିକ  ନାଗାର୍ଜୁନ- ପରିମଳଗିରି ବିହାରର ଅଧ୍ୟକ୍ଷ  ଥିଲେ । ତାଙ୍କର ଶିଷ୍ୟ ଆର୍ଯ୍ୟଦେବ ସୁବର୍ଣ୍ଣପୁରରେ ବୌଦ୍ଧାଶ୍ରମ ସ୍ଥାପନ କରିଥିଲେ । ନାଗାର୍ଜୁନଙ୍କ  ପରେ ଆର୍ଯ୍ୟଦେବ ପରିମଳଗିରି ବିହାରର  କୁଳପତି ହେଲେ । ତାଙ୍କର ଶିଷ୍ୟ ପିତୋପାଦ ସୁବର୍ଣ୍ଣପୁର ବିବାରର ଦାୟିତ୍ୱ ନେଉଥିଲେ । ଏହି  ବୌଦ୍ଧ ବିହାରର ଆଚାର୍ଯ୍ୟ ଧର୍ମ କୀର୍ତ୍ତି ସୋନପୁର  ଅଞ୍ଚଳରେ ବୌଦ୍ଧ ଧର୍ମ ପ୍ରଚାର କରିଥିବାର କଥା ଡ.  ପୁରୁଷୋତ୍ତମ ମିଶ୍ରଙ୍କ ପୁସ୍ତକ ‘ସୁବର୍ଣ୍ଣପୁର ଲୋକ  ସଂସ୍କୃତି'ରୁ ଜଣାପଡ଼େ । 

ପିତୋପାଦଙ୍କ ପରମ ଶିଷ୍ୟ ହେଉଛନ୍ତି  ଇନ୍ଦ୍ରଭୂତି, ଯିଏ ବଜ୍ରଜାନର ପ୍ରବର୍ତ୍ତକ ହେଲେ ।  ବୌଧିସତ୍ତ୍ୱ ଓ ବୋଧିଶକ୍ତିଙ୍କ ଆରାଧନା ତତ୍ତ୍ୱ ବଜ୍ରଯାନରେ ରହିଛି । ଭଗବତୀ ଲକ୍ଷ୍ମୀକରାଙ୍କ ଅଦ୍ୱୟସିଦ୍ଧି, ଦାର୍ଶନିକ  ରାଜା ଇନ୍ଦ୍ରଭୂତିଙ୍କ ଜ୍ଞାନସିଦ୍ଧି, ଆଚାର୍ଯ୍ୟ ଅନଙ୍ଗବଜ୍ରଙ୍କ  ପ୍ରଜେ୍ଞାପାୟ ବିନିଶ୍ଚୟ ସିଦ୍ଧିର ଏକ ସମାହାର  ପୁସ୍ତକ ଗବେଷକ ଗୋରେଖନାଥ ସାହୁ ଓ ପଣ୍ଡିତ  ଦାମୋଦର ହୋତାଙ୍କ ଦ୍ୱାରା ଲିଖିତ ପୁସ୍ତକ ଅଦ୍ୱୟସିଦ୍ଧିରେ ବୌଦ୍ଧ ତନ୍ତ୍ର ଯୋଗ ଉପରେ ବିଶଦ  ଭାବରେ ଆଲୋକପାତ କରାଯାଇଛି । 

ଚୀନ, ତିବ୍ଦତ, ମଙ୍ଗୋଲିଆ, କୋରିଆ, ଜାପାନ,  ସିଂହଳ, ମଧ୍ୟ-ଏସିଆ, ପୂର୍ବ-ଏସିଆରୁ ବୌଦ୍ଧ  ସନ୍ନ୍ୟାସୀମାନେ ପୃଥିବୀର ଅଶାନ୍ତ ପରିବେଶକୁ  ବଦଳାଇବା ପାଇଁ ସମୂହ ଭାବରେ ମନ୍ତ୍ର ଉଚ୍ଚାରଣ  କରି ବିଶ୍ୱଶାନ୍ତି ଓ ମାନବ କଲ୍ୟାଣକାରୀ ବାର୍ତ୍ତା  ନେଇ ଏହି ସମାରୋହ କରିବାକୁ ଜାନୁଆରୀ  ୧୨ ତାରିଖରୁ ୧୬ ତାରିଖ ଯାଏଁ ଉଦୟଗିରିକୁ  ଆସୁଛନ୍ତି । ଆସନ୍ତୁ, ଆମେ ମଧ୍ୟ ଯୋଗଦେଇ  ପୃଥିବୀର ମଙ୍ଗଳ କାମନା କରିବା । ଯାହା ହିଂସା ଓ  ଯୁଦ୍ଧର ଘନଘଟାକୁ ପ୍ରଶମିତ କରିବ ।