ଭୁବନେଶ୍ଵର, ୨୧/୧୦ : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଦିନ ୧୧ଟାରେ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ। ଏସଆରସିଙ୍କ କାର୍ଯ୍ୟାଳୟରେ ଏହି ବୈଠକ ହେବ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ବୈଠକରେ ଉପସ୍ଥିତ ରହିବେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ଜରୁରୀ ପଦକ୍ଷେପ ନିଆଯିବ। 

ସୂଚନାନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ପରିଣତ ହୋଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୨ ତାରିଖରେ ଅବପାତ ରୂପ ନେବ । ୨୩ ତାରିଖରେ ବାତ୍ୟାରେ ପରିଣତ ହେବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ସୃଷ୍ଟି ହେବ । ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଆଗେଇବ । ୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।  

୨୪ ତାରିଖରେ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ । ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ବେଳେ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗତସିଂହପୁରରେ  ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ । ଏହି ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।  କେନ୍ଦ୍ରାପଡ଼ା, କଟକ, ନୟାଗଡ଼, କନ୍ଧମାଳ ଓ  ଗଜପତି ଜିଲ୍ଲାରେ ୭୦-ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଏହି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଭଦ୍ରକ, ବାଲେଶ୍ୱର, ଯାଜପୁର,  ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି,  ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ  ଓ କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ବର୍ଷିବ । ମତ୍ସ୍ୟଜୀବୀମାନେ ୨୬ ତାରିଖ ଯାଏ ସମୁଦ୍ରକୁ ନଯିବାକୁ ସତର୍କ କରାଇଛି ପାଣିପାଗ ବିଭାଗ ।