ନୂଆଦିଲ୍ଲୀ ୦୯/୦୪: ଏସ୍ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଫିଲ୍ମ ‘ବାରାଣସୀ’ର କାହାଣୀ ଲିକ୍ ହୋଇଛି । ପ୍ରିୟଙ୍କା ଚୋପ୍ରା ଓ ମହେଶ ବାବୁ ଷ୍ଟାରର୍ ଏହି ଫିଲ୍ମର କାହାଣୀ ଟାଇମ୍ ଟ୍ରାଭେଲ ଊପରେ ପର୍ଯ୍ୟବସିତ । ଏଥିରେ ମହେଶ ବାବୁ ଜଣେ ଶିବ ଭକ୍ତ ଭୂମିକାରେ ଆସିବେ । ଏ ବିଷୟରେ କେହି ବାହାର ବ୍ୟକ୍ତି ନୁହେଁ, ବରଂ ଫିଲ୍ମରେ ଭିଜୁଆଲ ଇଫେକ୍ଟ କାମ କରୁଥିବା ପ୍ରସିଦ୍ଧ କମ୍ପାନି ସିନେସାଇଟ୍ କହିଛି । ଏହା ‘ସ୍ପାଇଡର-ମ୍ୟାନ୍: ନୋ ୱେ ହୋମ୍’ ଭଳି ହଲିଉଡ୍ ଫିଲ୍ମରେ କାମ କରିଛି । ଷ୍ଟୁଡିଓ ନିଜ ପୋର୍ଟଫୋଲିଓରେ ରାଜାମୌଲୀଙ୍କ ଏହି ପ୍ରୋଜେକ୍ଟକୁ ଯୋଡ଼ିଛି ଏବଂ ଏକ ଛୋଟ ବିବରଣୀ ଶେୟାର କରିଛି । ଏଥିରେ ଫିଲ୍ମର କାହାଣୀର ମୁଖ୍ୟ ସୂତ୍ର ବିଷୟରେ କୁହାଯାଇଛି ।
ଲିକ୍ ହୋଇଥିବା କାହାଣୀ ଅନୁସାରେ, ମହେଶ ବାବୁ ଶିବ ଭକ୍ତ ରୁଦ୍ର ଭୂମିକାରେ ଅଭିନୟ କରିଛନ୍ତି । ସେ ଏଭଳି ଏକ ବ୍ରହ୍ମାଣ୍ଡୀୟ ବସ୍ତୁର ଅନ୍ୱେଷଣରେ ସମୟ ଯାତ୍ରାରେ ବାହାରିଛନ୍ତି, ଯେଉଁଥିରେ ଅସୀମ ଶକ୍ତି ରହିଛି । ଶତାଦ୍ଦୀ ପୁରୁଣା ରହସ୍ୟର ସମାଧାନ କରି ସେ ହୃଦୟଙ୍ଗମ କରିଛନ୍ତି, ଯେଉଁ ମିଶନରେ ତାଙ୍କୁ ପଠାଯାଇଛି, ତା’ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ଯେଉଁ ଶକ୍ତି ତାଙ୍କୁ ଏହି ମାର୍ଗରେ ପଠାଇଛି, ସେ ପ୍ରକୃତରେ ବିଶ୍ୱ ଉପରେ ରାଜ୍ କରିବାକୁ ଚାହୁଁଛି । ଫିଲ୍ମରେ ଖଳନାୟକ ଭୂମିକାରେ ଅଛନ୍ତି ପୃଥ୍ୱୀରାଜ ସୁକୁମାରନ । ତାଙ୍କ ଚରିତ୍ରର ନାଁ କୁମ୍ଭ । ମହେଶ ବାବୁଙ୍କ ଚରିତ୍ର ରୁଦ୍ରକୁ ସେ ଏହି ବିପଦପୂର୍ଣ୍ଣ ମିଶନରେ ପଠାଇଛନ୍ତି । ରୁଦ୍ରର ଯାତ୍ରା ଆଗକୁ ବଢ଼ିବା ସହିତ କୁମ୍ଭର ଉଦ୍ଦେଶ୍ୟ ମନ୍ଦ ବୋଲି ସେ ଜାଣିପାରିଛି । ରାମାୟଣ କାଳ ସହ ଜଡ଼ିତ ଏକ ରହସ୍ୟମୟୀ ବସ୍ତୁ ସାହାଯ୍ୟରେ ବିଶ୍ୱକୁ ନିଜ ଅଧୀନକୁ ଆଣିବାକୁ କୁମ୍ଭ ଚାହେଁ । ସେହି ବସ୍ତୁ କ’ଣ, ତାହା ଏବେ ସସ୍ପେନ୍ସ ।
ତେବେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଛନ୍ତି, ଫିଲ୍ମ ପ୍ରାଚୀନ ଇତିହାସଠୁ ଭବିଷ୍ୟତ ପର୍ଯ୍ୟନ୍ତ ବିସ୍ତୃତ । ଆମେ ଖ୍ରୀ:ପୂ ୭୨୦୦ରୁ ୨୦୨୭ ପର୍ଯ୍ୟନ୍ତ ସମୟରେ ଯାତ୍ରା କରୁଛୁ । ଦର୍ଶକ ସେହି ଭିନ୍ନ ଭିନ୍ନ ଦୁନିଆ ଓ ସମୟକୁ ଦେଖିବେ । ଏହି ମେଗା ବଜେଟ୍ ଫିଲ୍ମର ପ୍ରଥମ ଝଲକ୍ ନଭେମ୍ବର ୨୦୨୫ରେ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଖାସ୍ ଉତ୍ସାହ ରହିଛି ।
ଆହୁରି ପଢ଼ନ୍ତୁ...ଅଲ୍ଲୁ ଅର୍ଜୁନଙ୍କ ପାଇଁ ଏମିତି ଲେଖିଲେ କିଙ୍ଗ୍ ଖାନ୍