ଓଡ଼ିଆରେ ଆସିଲା ସୁପ୍ରିମ୍କୋର୍ଟଙ୍କ ରାୟ, ଓଡ଼ିଶା ହାଇକୋର୍ଟଙ୍କ ପୋର୍ଟାଲରେ ହେଲା ଅପ୍ଲୋଡ୍

Image Courtesy: livehindustan
କଟକ,୨୫/୦୫: ଓଡ଼ିଶାରୁ ରୁଜୁ ହୋଇଥିବା ଏକ ମାମଲାରେ ସୁପ୍ରିମ୍କୋର୍ଟଙ୍କ ରାୟ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ବିଭିନ୍ନ ଆଞ୍ଚଳିକ ଭାଷାରେ ଏଣିକି ସର୍ବୋଚ୍ଚ ଅଦାଲତଙ୍କ ରାୟ ଆସିବ ବୋଲି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ପୂର୍ବରୁ ଘୋଷଣା କରିଥିଲେ । ସେହିକ୍ରମରେ ଓଡ଼ିଶା ସରକାର ଏବଂ ଅନ୍ୟମାନେ ବନାମ ମେସର୍ସ ପଣ୍ଡା ଇନ୍ଫ୍ରାପ୍ରୋଜେକ୍ଟ ଲିମିଟେଡ ମଧ୍ୟରେ ହୋଇଥିବା ମାମଲାର ରାୟ ଓଡ଼ିଆ ଭାଷାରେ ପ୍ରକାଶ ପାଇଛି । ଏଭଳି କୌଣସି ଆଞ୍ଚଳିକ ଭାଷାରେ ରାୟ ଆସିବା ବିଚାର ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ତଥା ନ୍ୟାୟ ବ୍ୟବସ୍ଥା ସାଧାରଣ ଲୋକଙ୍କ ନିକଟତର ହେଉଥିବା କୁହାଯାଉଛି । ଏହାପରେ ଓଡ଼ିଶା ହାଇକୋର୍ଟର ରାୟ ମଧ୍ୟ ଓଡ଼ିଆରେ ଶୁବ୍ଶୀଘ୍ର ଆସିବାକୁ ଯାଉଛି ବୋଲି ଜଣାପଡ଼ିଛି ।
ସୁପ୍ରିମ୍କୋର୍ଟ ପକ୍ଷରୁ ବିଭିନ୍ନ ରାୟର କପି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମିଟି ପକ୍ଷରୁ ‘ସୁଭାସ’ (ସୁପ୍ରିମ୍କୋର୍ଟ ଭିଦିକ୍ ଟ୍ରାନ୍ସଲେସନ୍ ସଫ୍ଟୱେୟାର’) ଜରିଆରେ ଏହି ଅନୁବାଦ କରାଯାଉଛି । ଓଡ଼ିଶାର ବିଭିନ୍ନ ମାମଲାରେ ହେଉଥିବା ରାୟକୁ ସୁପ୍ରିମ୍କୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ପଠାଯାଉଛି । ଓଡ଼ିଶା ହାଇକୋର୍ଟରେ ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଏବଂ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଏକ ଅନୁବାଦ କମିଟି ଗଠନ କରାଯାଇଛି । ଏହି କମିଟିକୁ ସହଯୋଗ ପାଇଁ ରେଜିଷ୍ଟ୍ରାର ଇନ୍ସପେକ୍ସନ୍ଙ୍କୁ ଆସିଷ୍ଟିଙ୍ଗ୍ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ଅନୁବାଦ ପାଇଁ ଓଡ଼ିଶା ହାଇକୋର୍ଟର ଚାରି ଜଣ ସ୍ୱତନ୍ତ୍ର ଅଧିକାରୀଙ୍କୁ ଅନୁବାଦ ସେଲ୍ରେ ରଖାଯାଇଛି । ପୂର୍ବରୁ ମାନୁଆଲି କେତେକ ମାମଲାରେ ଏହି ଅନୁବାଦ କରାଯାଉଥିଲା । ଇତିମଧ୍ୟରେ ସୁପ୍ରିମ୍କୋର୍ଟଙ୍କ ୧୬ଟି ଆଦେଶ କପିର ଅନୁବାଦ କରାଯାଇଛି । କିନ୍ତୁ ପ୍ରଥମ ଥର ଲାଗି ଏଥିରୁ ଗୋଟିଏ କପିର ଓଡ଼ିଆ ଅନୁବାଦର ଆଦେଶକୁ ଓଡ଼ିଶା ହାଇକୋର୍ଟ ୱେବ୍ସାଇଟ୍ରେ ଅପ୍ଲୋଡ କରାଯାଇଛି । ଏଣିକି ଅନ୍ୟାନ୍ୟ ଆଦେଶର କପି ମଧ୍ୟ ଅନୁବାଦ କରାଯାଇ ୱେବ୍ସାଇଟ୍ରେ ପକାଯିବ ବୋଲି ସୂଚନା ମିଳିଛି ।
ହାଇକୋର୍ଟ ୱେବ୍ସାଇଟ୍ରେ ଅପ୍ଲୋଡ୍ ହୋଇଥିବା ମାମଲାଟି ଭୁବନେଶ୍ୱରର ବମିଖାଲରେ ଓଭରବ୍ରିଜ୍ ନିର୍ମାଣ ସମୟରେ ଏକ ସ୍ଲାବ୍ ଖସି ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବା ନେଇ ରୁଜୁ ହୋଇଥିଲା । ଘଟଣାରେ ରାଜ୍ୟ ସରକାର ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ତଥା ଆବେଦନକାରୀଙ୍କ ସଂସ୍ଥାକୁ କଳା ତାଲିକାଭୁକ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଆବେଦନକାରୀଙ୍କ ପିଟିସନ୍କୁ ଖାରଜ କରିଥିଲେ । ଏହି ଆଦେଶ ବିରୋଧରେ ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଏମ୍.ଆର. ଶାହ ଏବଂ ବି.ଭି. ନାଗରତ୍ନଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବା ସହ ସେଥିରେ କିଛି ପରିବର୍ତ୍ତନ କରିଛନ୍ତି । କୌଣସି ସଂସ୍ଥାକୁ ଯେବେଠାରୁ କଳା ତାଲିକାଭୁକ୍ତ କରାଯିବ ତାହାର ଅବଧି ୫ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି ।
ଓଡ଼ିଆରେ ପ୍ରକାଶିତ ଏହି ରାୟର ଅନୁବାଦ କାର୍ଯ୍ୟ ଓଡ଼ିଶା ହାଇକୋର୍ଟର ଜୟା ମୁଖାର୍ଜୀ କରିଥିବା ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି, ଉପଭାଷାରେ ଅନୂଦିତ ରାୟ କେବଳ ମକଦ୍ଦମାରେ ପକ୍ଷଭୁକ୍ତ ବ୍ୟକ୍ତିଙ୍କ ସୀମିତ ବ୍ୟବହାର ଏବଂ ତାଙ୍କ ଆଞ୍ଚଳିକ ଭାଷାରେ ବୋଧଗମ୍ୟ ହେବା ନିମନ୍ତେ ଉଦ୍ଦିଷ୍ଟ । ଏହା ଅନ୍ୟକୌଣସି କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଇନପାରେ । ସମସ୍ତ ବ୍ୟବହାରିକ ଏବଂ ସରକାରୀ ଉଦ୍ଦେଶ୍ୟ ନିମନ୍ତେ ରାୟର ଇଂରାଜୀର ସଂସ୍କରଣଟି ପ୍ରମାଣିକ ଭାବେ ବିବେଚିତ ହେବ ବୋଲି ସୂଚନା ଦିଆଯାଇଛି ।