ପରଜଙ୍ଗ, ୧୩/୦୬: ଚୋରି କରିବାକୁ ଯାଇ ମନ୍ଦିରରେ ପଶିଲା । ମାତ୍ର ବାହାରିବା ବେଳକୁ ଆଉ କବାଟ ଖୋଲିପାରିଲାନି । ଗର୍ଭଗୃହ ଭିତରେ ଫସିଗଲା ଚୋର । ରାତିସାରା ମୁକୁଳିବା ଉଦ୍ୟମ କରି ବିଫଳ ହେଲା । ସକାଳେ ପୂଜକ ଆସି କବାଟ ଖୋଲିବା ପରେ ଭିତରେ ଜଣେ ଯୁବକ ଶୋଇଥିବା ଦେଖିଲେ । ସୂଚନା ପାଇ ପୁଲିସ୍ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଚାନ୍ଦପୁର ଗାଁ ଶିବ ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗ୍ରାମର ସ୍ୱପ୍ନେଶ୍ୱର ମନ୍ଦିରର ପୂଜକ ମଙ୍ଗଳବାର ସକାଳେ ପୂଜା କରିବାକୁ ଯାଇ ମନ୍ଦିର କବାଟ ଖୋଲିବା ମାତ୍ରେ ଭିତରେ ଜଣେ ଯୁବକ ଶୋଇଥିବା ଦେଖିଥିଲେ । କବାଟ ସିକୁଳି କ୍ଷତିଗ୍ରସ୍ତ ହୋଇଥିବାରୁ ସେ ଚୋରି କରିବାକୁ ଆସିଥିବା ସନ୍ଦେହ କରି ପୂଜକ ତୁରନ୍ତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ପୁଲିସ୍ ପହଞ୍ଚି ସମ୍ପୃକ୍ତ ଯୁବକକୁ କାବୁ କରିଥିଲା । ସେ ଚୋରି କରିବାକୁ ଆଉ ଦୁଇଜଣଙ୍କ ସହ ଆସିଥିବା କହିଥିଲା । କବାଟ ଠେଲି ପଶିଯାଇଥିବା ବେଳେ ବାହାରିବା ବେଳକୁ ଆଉ କବାଟ ଖୋଲିପାରିନଥିଲା । ବାହାରେ ଥିବା ଅନ୍ୟ ଦୁଇ ଜଣ ଫେରାର୍ ହୋଇଯାଇଥିବା ସେ କହିଥିଲା ।

ମାତ୍ର ପରେ ଅଭିଯୁକ୍ତ ନିଜର କଥା ବଦଳାଇଥିଲା । ନାଁ କିମ୍ବା ଠିକଣା କିଛି କହିନଥିଲା । ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଭଳି ହୋଇଥିଲା । ରାତିସାରା ମନ୍ଦିର ଗର୍ଭଗୃହରେ ଫସି ରହିଥିବାରୁ ପୁଲିସ୍ ତାକୁ ପରଜଙ୍ଗ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲା । ସେଠାରୁ ସମ୍ପୃକ୍ତ ଯୁବକ ଚମ୍ପଟ୍ ମାରିଛି । ସେ ମାନସିକବିକାରଗ୍ରସ୍ତ ଯୁବକ ବୋଲି ପୁଲିସ୍ କହିଥିବା ବେଳେ ଗ୍ରାମବାସୀ ଏହାକୁ ମାନିବାକୁ ନାରାଜ୍ । ଯୁବକ ଡାକ୍ତରଖାନାରୁ ଚମ୍ପଟ୍ ମାରିଥିବାରୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ପୁଲିସ୍ ଏପରି କହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୨ମାସ ପୂର୍ବେ ଉକ୍ତ ମନ୍ଦିରରୁ ସୁନା, ରୁପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ତୁରନ୍ତ ସମ୍ପୃକ୍ତ ଯୁବକଙ୍କୁ ଧରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ...Prameya Effect : ଜୁଆଙ୍ଗ ଛାତ୍ର ବୈଲୋଚନଙ୍କ ପାଖରେ ପହଞ୍ଚିଲା ପ୍ରଶାସନ, ପାଠପଢା ପାଇଁ ଆର୍ଥିକ ସହାୟତା ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶୃତି

​​​​​​​