କେନ୍ଦୁଝର,୨ା୬ : ‘ମୁଁ ତୁମର ବଡ଼ ଭାଇ ବୋଲି ଜାଣ । ତୁମର ଶିକ୍ଷାର ଦାୟିତ୍ୱ ମୁଁ ନେଉଛି । ପାଠପଢ଼ିବା ପାଇଁ ଯେତେ ଟଙ୍କା ଆବଶ୍ୟକ ଯୋଗାଇ ଦିଆଯିବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଆଦିବାସୀ ମେଧାବୀ ଛାତ୍ର ବୈଲୋଚନ ଜୁଆଙ୍ଗଙ୍କ ସହ ମୋବାଇଲ ଫୋନ୍‌ରେ କଥା ହୋଇ ଏହି ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବୈଲୋଚନଙ୍କ ସ୍ୱପ୍ନ ପୂରଣ ହେବାକୁ ଯାଉଛି । ବୈଲୋଚନ ଜଣେ ମେଧାବୀ ଛାତ୍ର । ସେ ଯୁକ୍ତ ୩ରେ ପଢ଼ିବା ପାଇଁ ଏକ ହୋଟେଲରେ ମାସିକ ୯ ହଜାର ଟଙ୍କା ପାରିଶ୍ରମିକରେ ଅଇଁଠା ବାସନ ମାଜୁଥିବା ଖବର ପ୍ରକାଶ ପରେ ମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଶୋକ କୁମାର ଗୌଡ଼ ପାଟେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କୁ ଫୋନ୍‌ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ବୈଲୋଚନଙ୍କ ପରିବାର ଏବଂ ପାଠପଢ଼ା ବିଷୟରେ ବୁଝିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସ୍ୱାଇଁଙ୍କୁ କହିଛନ୍ତି ।

ବୈଲୋଚନ ଯୁକ୍ତ ୨ରେ ୮୩ ପ୍ରତିଶତ ନମ୍ବର ରଖିଥିବାରୁ ବିଜେବି, ରେଭେନ୍‌ସାରେ ପଢ଼ିବାର ସୁଯୋଗ ମିଳିପାରିବ । ସେଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି । ବୁଧବାର ବୈଲୋଚନ କଲେଜକୁ ଆସିଲେ ଅନ୍‌ଲାଇନ୍‌ରେ ଆବେଦନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ବୈଲୋଚନଙ୍କ ଘର ବାଂଶପାଳ ବ୍ଲକ୍‌ ବାରହାଗଡ଼ ପଞ୍ଚାୟତ ନଡ଼ାମ ଗ୍ରାମରେ ପହଞ୍ଚିଥିଲେ । ପରିବାର ସ୍ଥିତି ଅନୁଧ୍ୟାନ କରିବା ପରେ ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜମିବାଡି ନଥିବା ବେଳେ ମୂଲ ଲାଗି ପରିବାର ଚଳାଉଥିବାରୁ ବୈଲୋଚନଙ୍କ ସମସ୍ତ ଦାୟିତ୍ୱ ନିଆଯିବ ଏବଂ ପରିବାରକୁ ସହାୟତା ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉଚ୍ଚ ଶିକ୍ଷା ପାଇଁ ପ୍ରଶାସନ ପକ୍ଷରୁ କ’ଣ ସହାୟତା ଚାହୁଁଛନ୍ତି ବୋଲି ପଚାରିବାରୁ ବୈଲୋଚନ ୩ ଲକ୍ଷ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଏ ବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ଡିଏମ୍‌ଏଫ୍‌ ଅନୁଦାନରୁ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁଯୁକ୍ତ ୨ରେ ରଖିଛନ୍ତି ୮୩% ମାର୍କ, ଅର୍ଥାଭାବରୁ ଉଚ୍ଚଶିକ୍ଷା ସ୍ଵପ୍ନ, ବାସନ ମାଜି ଟଙ୍କା ଯୋଗାଡ଼ କରୁଛନ୍ତି ଜୁଆଙ୍ଗ ଛାତ୍ର

ସେହିପରି ଭୁବନେଶ୍ୱରସ୍ଥିତ ଡିସିପି (ମୁଖ୍ୟାଳୟ) ସୁରେଶ ଚନ୍ଦ୍ର ପାତ୍ର ‘ପ୍ରମେୟ’ରୁ ବୈଲୋଚନଙ୍କ ଖବର ଜାଣିବା ପରେ କଲେଜ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ ସହ ଯୋଗାଯୋଗ କରି ସତ୍ୟ ସୁଷମା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟତମ ସଙ୍ଗଠନ ପ୍ରୟାସ ପକ୍ଷରୁ ମଧ୍ୟ ବୈଲୋଚନଙ୍କୁ ସହାୟତା କରାଯିବାକୁ ଯୋଗାଯୋଗ କରାଯାଇଛି । ଯଶୋଦା ଫାଉଣ୍ଡେସନ ପକ୍ଷରୁ ନିବେଦିତା ଲେଙ୍କା ମଧ୍ୟ ବୈଲୋଚନଙ୍କ ସହ ଯୋଗାଯୋଗ କରି ଉଚ୍ଚ ଶିକ୍ଷାରେ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବୈଲୋଚନଙ୍କ କଥା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୈଲୋଚନ ଗଣମାଧ୍ୟମ ଆଗରେ କାହିଁକି ମୁହଁ ଖୋଲିଲେ ବୋଲି ତାଙ୍କୁ ଧମକ ମିଳିଛି । ଫଳରେ ସେ ଭୟରେ ହୋଟେଲ ଛାଡି ଗାଁକୁ ପଳାଇଥିବା ଜଣାପଡିଛି ।

ଏମିତି ସହର,ଯେଉଁଠି ମଳ ମାସ ହେଲେ ଗାଏବ ହୋଇଯାଆନ୍ତି କୁଆ : ଏହି ଅଦ୍ଭୁତ ସହରଟିର ନାମ କ’ଣ ?