ନୀଳଗିରି,୭/୭(ଆ.ପ୍ର):୧୦ ଦିନ ପରେ  ଶ୍ରୀ ମନ୍ଦିରକୁ ଫେରିଲେ ତିନି ଠାକୁର। ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ରତ୍ନ ସିଂହାସନକୁ ଲେଉଟିବା ପାଇଁ ଶନିବାର ଦିନ ପହଣ୍ଡି ହୋଇ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ସେଦିନ ରାତ୍ରୀ ଯାପନ କରି ରବିବାର ରଥଟଣା ହୋଇ ରାସ୍ତାରେ ଅଟକି ରହିଥିଲେ ତିନି ଠାକୁର। ସୋମବାର ଅପରାହ୍ନ ୪.୩୦ ମନିଟ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ରଥଟଣା ଆରମ୍ଭ  ହୋଇଥିଲା। 

ଝିପିଝିପି ବର୍ଷାରେ ଭକ୍ତମାନେ ବେଶ ଉତ୍କଣ୍ଠାର ସହ ରଥଟାଣି ଶ୍ରୀ ମନ୍ଦିର ଅଭିମୁଖେ ପାଛୋଟି ନେଉଥିଲେ। ବାଟରେ ମା ମଙ୍ଗଳାଙ୍କଠାରେ ଭେଟ ଓ ଭୋଗଲାଗି ହୋଇଥିବା ବେଳେ ଏହାପରେ ଶ୍ରୀ ମନ୍ଦିରରେ ପହଞ୍ଚିଥିଲେ ମହାବାହୁ। ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆଜ୍ଞାମାଳ ରଥ ଉପରୁ ମା ଲକ୍ଷ୍ମୀଙ୍କ ପାଖକୁ ଯିବାପରେ ମା ଲକ୍ଷ୍ମୀ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହାପରେ ଲକ୍ଷ୍ମୀ ନାରାୟଣଙ୍କର ଦୁର୍ଲଭ ଭେଟ ଆଳତୀ ହୋଇ ସମାପନ ହୋଇଥିଲା। ଏହାପରେ ଅଧରପଣା, ଦକ୍ଷିଣାୟନ ବନ୍ଦାପନା, ହରିଶୟନ ଏକାଦଶୀ, ରାଜାରାଜେଶ୍ୱରୀ ବେଶ, ନୀଳାଦ୍ରି ବିଜେ ନୀତି ସମାପନ ହୋଇଥିଲା। 

ରାତ୍ରରେ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ ପାଇଁ ତାଙ୍କ ପ୍ରିୟ ରସଗୋଲା ଭୋଗ ଲାଗି ହୋଇଥିଲା। ଏହାପରେ ରାତ୍ରିରେ ତିନିଠାକୁର ପହଣ୍ଡି ହୋଇ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ। ଆଜିର ବାହୁଡା ଯାତ୍ରାର ଶେଷ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ। ନୀଳଗିରି ରଥଯାତ୍ରା ସମୟରେ ଆଇନ ଶୃଂଖଳା ତଦାରଖ ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିବା ବେଳେ ବହୁ ଅଧିକାରୀ, କର୍ମଚାରୀ ସାମିଲ ହୋଇଥିଲେ। ରଥ ଉପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ସାରଥୀ ଭାବେ ବିଡ଼ିଓ ବିକ୍ରମ କିଶୋର ପରିଡା ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ ଲୋକ ସମ୍ପର୍କ ସୂଚନା ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ରଥକୁ ଆଗକୁ କଢ଼ାଇ ନେଉଥିଲେ। 

ଅଧ୍ୟାପକ ପ୍ରଦୀପ ମିଶ୍ର ଓ ଶକ୍ତିପ୍ରଦ ମିଶ୍ର ମହାପ୍ରଭୁଙ୍କ ଉଦ୍ୟଷ୍ୟରେ ଧାରା ବିବରଣୀ ପ୍ରଦାନ କରିଥିଲେ। ପୂଜକ ହରିବନ୍ଧୁ କର, ସରୋଜ କୁମାର ନନ୍ଦ, ପୁଣ୍ୟଶ୍ଲୋକ ନନ୍ଦଙ୍କ ସମେତ ସମସ୍ତ ପୂଜକ, ସେବକ ସାମିଲ ରଥଯାତ୍ରାରେ ବିଧିପୂଜା ସମାପନ କରିଥିଲେ। ଆଇନ ଶୃଂଖଳା ଉପରେ ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ ଓ ଆଇଆଇସି ଗୋବର୍ଦ୍ଧନ ନାୟକ ତଦାରଖ କରୁଥିବା ବେଳେ ଅତିରିକ୍ତ ଏସପି ଓ ଜିଲ୍ଲାର ବହୁ ପୋଲିସ ଓ ବହୁ ପଦାଧିକାରୀ ସହଯୋଗ କରିଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଏସପି ରାଜପ୍ରସାଦ ରଥଟାଣି ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଉପସ୍ଥିତ ରହି ଏହି ପବିତ୍ର ଦିବସରେ ସାମିଲ ହେବା ସହ ପୁରା ରଥଯାତ୍ରା ସୁରୁଖୁରୁରେ ସମାପନ ହୋଇଥିବାରୁ ନୀଳଗିରି ତଥା ଜିଲ୍ଲାବାସୀଙ୍କୁ ସାଧୁବାଦ ଜଣାଇଛନ୍ତି। 

ଆଜିର ବାହୁଡା ଯାତ୍ରାରେ ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ସୁକାନ୍ତ ନାୟକ, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ, ତହସିଲଦାର ସୋନମ ଦାସ, ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡାଙ୍କ ସମେତ ନୀଳଗିରିର ସମସ୍ତ ଅଧିକାରୀମାନେ ସାମିଲ ହୋଇଥିଲେ।