ଭୁବନେଶ୍ୱର, ୧/୫ : ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଆଜି ଭୁବନେଶ୍ୱର, ଓୟୁଏଟି କୃଷି ଶିକ୍ଷା ସଦନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶ୍ରମିକ ସମାଜର ଅକ୍ଳାନ୍ତ ପରିଶ୍ରମ ଓ ତ୍ୟାଗକୁ ଗଭୀର ସମ୍ମାନ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରମିକମାନେ ମାନବ ସଭ୍ୟତାର ପ୍ରକୃତ ନିର୍ମାତା ଏବଂ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଆମ ଦେଶ ତଥା ରାଜ୍ୟକୁ ଆଗକୁ ବଢ଼ିବାରେ ସହାୟକ ହେଉଛି । ତେଣୁ ସେମାନଙ୍କୁ ଉଚିତ ପାରିଶ୍ରମିକ ପ୍ରଦାନ ସହିତ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ନ୍ୟାୟୋଚିତ ଅଧିକାର, ସାମାଜିକ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ମଇ ଦିବସର ଐତିହାସିକ ପ୍ରସଙ୍ଗକୁ ସ୍ମରଣ କରି ଏହି ଦିନ ଶ୍ରମିକମାନଙ୍କ ଏକତା, ସଂଘର୍ଷ ଓ ଅଧିକାରର ପ୍ରତୀକ ଭାବେ ପରିଚିତ ବୋଲି କହିଥିଲେ ।
ସେ ପୁଣି କହିଥିଲେ ଆମ ସରକାର ଶ୍ରମିକମାନଙ୍କ ସାମଗ୍ରିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଏବଂ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜିକରଣ କରାଯାଇଥିବାବେଳେ ୫୪୧କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହିତ ଅଣସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଦେବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ ହୋଇଥିବା ସେ ଉଲ୍ଲେଖ କରିଥିଲେ । ‘ଶ୍ରମିକ ସାଥୀ’ ମୋବାଇଲ ଆପ୍ ମାଧ୍ୟମରେ ଶ୍ରମିକମାନଙ୍କୁ ସହଜରେ ସେବା ଯୋଗାଇ ଦିଆଯାଉଥିବା ବିଷୟରେ ସେ ଖୁସିବ୍ୟକ୍ତ କରିଥିଲେ । ଶ୍ରମିକମାନଙ୍କୁ ଉଚିତ ମଜୁରୀ ଓ କାର୍ଯ୍ୟକ୍ଷେତ୍ରରେ ସମ୍ମାନଜନକ ପରିବେଶ ଯୋଗାଇବା ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ ୧୦ଟଙ୍କା ବୃଦ୍ଧି ଘୋଷଣା କରିଥିଲେ । ଏହା ଅପ୍ରେଲ ୧ ତାରିଖରୁ ପିଛଲା ଭାବରେ ଲାଗୁ ହେବ । ଏହା ଫଳରେ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୪୭୨ ଟଙ୍କା, ଅର୍ଦ୍ଧକୁଶଳୀଙ୍କ ପାଇଁ ୫୨୨ଟଙ୍କା, କୁଶଳୀଙ୍କ ପାଇଁ ୫୭୨ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ପାଇଁ ୬୨୨ଟଙ୍କାକୁ ବୃଦ୍ଧି ପାଇବ । ସେ ଆହୁରି କହିଥିଲେ ଯେ, ପ୍ରବାସୀ ଶ୍ରମିକମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଇ କାମ କରୁଛନ୍ତି ଏବଂ ହେଲ୍ପଲାଇନ୍ ବ୍ୟବସ୍ଥା ମାଧ୍ୟମରେ ତ୍ୱରିତ ସହାୟତା ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବ୍ୟାପକ ଶିଳ୍ପାୟନ ଜରିଆରେ ଆଗାମୀ ଦିନରେ ଦାଦନ ସମସ୍ୟା ଦୂର ହେବ । ଆମ ରାଜ୍ୟର ଶ୍ରମଜୀବୀମାନେ ରାଜ୍ୟ ଭିତରେ କାମ ପାଇବେ । ଏଥିପାଇଁ ଆମର ପଦକ୍ଷେପ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ରୋଜଗାର ସୁଯୋଗ ଦେଖି ଆଜି ରିଭର୍ସ ମାଇଗ୍ରେସନ ଆରମ୍ଭ ହେଲାଣି । ତିରୁପୁର ଓ କୋଏମ୍ୱାଟୁର ପରି ସ୍ଥାନରୁ ଓଡ଼ିଆ ଶ୍ରମିକମାନେ ଆସି ଆମର ପୋଷାକ ଶିଳ୍ପରେ କାମ କଲେଣି । ଆମ ସରକାର ଆସିବାର ମାତ୍ର ୨୨ମାସ ମଧ୍ୟରେ ବେସରକାରୀ କ୍ଷେତ୍ରରେ ୯୨ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି । ସେଥିରୁ ୧୦ହଜାର ଯୁବକ ଯୁବତୀ ଅନ୍ୟ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରି ଆସି ଓଡ଼ିଶାରେ କାମ କରୁଛନ୍ତି । ଶ୍ରମଜୀବୀମାନଙ୍କୁ ବର୍ଷତମାମ କାମ ଯୋଗାଇଦେବା ପାଇଁ ଆମ ସରକାରଙ୍କ ପକ୍ଷରୁ ‘ଡାଲଖାଇ ଯୋଜନା’ ଆରମ୍ଭ କରାଯାଉଛି । ଦାଦନ ସମସ୍ୟା ରୋକିବାରେ ଏହା ପ୍ରମୁଖ ମାଧ୍ୟମ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୩୦କୋଟି ଟଙ୍କା ବ୍ୟୟ ଅଟକଳରେ ଡିଭିଜନାଲ ଶ୍ରମ ଆୟୁକ୍ତ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କ ପାଇଁ ୫୦ଟି ନୂତନ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଶ୍ରମିକମାନଙ୍କୁ ସରକାରୀ ସୁବିଧା ହାତପାହାନ୍ତାରେ ପହଞ୍ଚାଇବାରେ ଏହା ଏକ ମାଇଲଷ୍ଟୋନ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ଶ୍ରମିକ ନେତାମାନଙ୍କ ଅବଦାନକୁ ସମ୍ମାନ ଜଣାଇ ୫ଜଣ ବିଶିଷ୍ଟ ଶ୍ରମିକ ନେତା ଭଦ୍ରକ ଜିଲ୍ଲାର ସୁମିତା ମହାପାତ୍ର, କଟକ ଜିଲ୍ଲାର କିଶୋର ଚନ୍ଦ୍ର ଜେନା, ସମ୍ୱଲପୁର ଜିଲ୍ଲାର ଗୋକୁଳ ମେହେର, ଭୁବନେଶ୍ୱରର ମଦନ ମୋହନ ଧଳ ଏବଂ ସମ୍ୱଲପୁର ବୁର୍ଲ୍ଲାର ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’’ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଏଥିସହିତ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ପରିଚୟପତ୍ର ଏବଂ ଶିକ୍ଷା, ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ଆଜି ସାରା ରାଜ୍ୟରେ ୬୦୦୦ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରିବା ସହ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବାବଦରେ ୧୫୦କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।