ସୁଲେକସରୁ ଭିୟୂ ପଏଣ୍ଟର ୱାଚ ଟାୱାର ଉଦଘାଟିତ

ଦାରିଙ୍ଗବାଡ଼ି,୨୫/୫(ଆପ୍ର):ଦାରିଙ୍ଗବାଡି ର ସନସେଟ୍ ପଏଣ୍ଟ ନିକଟ ସୁଲେକ୍ ସରୁ ପାହାଡ଼ ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ୱାଚ ଟାୱାର୍ ର ଉଦଘାଟନ ହୋଇଯାଇଛି। ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି । ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର , ତହସିଲଦାର ଡ଼ଃ ଅଶୋକ ଦାସ, ବିଧାୟକ ପ୍ରତିନିଧି ଦିପକ ସାହୁ, ସରପଞ୍ଚ ସୁନିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ବିଧାୟକ ପାଣ୍ଠି ରୁ ୯ ଲକ୍ଷ ଟଙ୍କା ବ୍ୟୟ ବରଦା କରାଯାଇଛି । ଉକ୍ତ ସ୍ଥାନରେ ୱାଚ ଟାୱାର ସମେତ ବସିବା ପାଇଁ ସିମେଣ୍ଟ ଚେୟାର ଓ ରାସ୍ତା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯାଇଛି । ସନ ସେଟ୍ ପଏଣ୍ଟ ରେ ପର୍ଯ୍ୟଟକ ମାନେ ରାସ୍ତା ଉପରେ ରହି ସୂର୍ଯ୍ୟ ଅସ୍ତ ଦେଖୁଥିବା ବେଳେ ବର୍ତ୍ତମାନ ୱାଚ ଟାୱାର ଉପରେ ରହି ଦେଖିଲେ ପର୍ବତ ପାହାଡ଼ ଘେରା ପ୍ରକୃତିର ସୌନ୍ଦର୍ଯ୍ୟ ଦୃଶ୍ୟମାନ ହେବା ସହ ସୂର୍ଯ୍ୟ ଅସ୍ତ ଦୃଶ୍ୟ ଆହୁରି ଅଧିକ ମନଲୋଭା ହେବ । କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ, ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ସାହୁ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।