ନୂଆଦିଲ୍ଲୀ, ୨।୧: ଚଳିତ ବର୍ଷ ଦେଖାଦେବ ବର୍ଷର ପ୍ରଥମ ସୁପରମୁନ୍ । ଜାନୁଆରୀ ୩ ତାରିଖରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଦୃଶ୍ୟମାନ ହେବ । ଏହା ଉଲ୍ଫ ମୁନ୍ ଭାବେ ମଧ୍ୟ ଜଣାଶୁଣା । ଏହା ଅକ୍ଟୋବରର ହାର୍ଭେଷ୍ଟ ମୁନ୍, ନଭେମ୍ବରର ବିଭର ମୁନ୍ ଏବଂ ଡିସେମ୍ବରରେ କୋଲ୍ଡ ମୁନ୍ ପରେ ଲଗାତାର ଚତୁର୍ଥ ସୁପରମୁନ୍ ହେବ । ୨୦୨୬ରେ ମୋଟ୍ ୧୩ଟି ପୂର୍ଣ୍ଣଚନ୍ଦ୍ର ଦୃଶ୍ୟମାନ ହେବ । ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ତେବେ ଏହାପରେ ଦ୍ୱିତୀୟ ଥର ପାଇଁ ସୁପରମୁନ୍ ନଭେମ୍ବର ୨୪ ତାରିଖରେ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ, ଚଳିତ ବର୍ଷର ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖିବାକୁ ମିଳିବ ।
ଏହାକୁ ସୁପରମୁନ୍ କାହିଁକି କୁହାଯାଏ ?
ଚନ୍ଦ୍ର ପୃଥିବୀ ଚାରିପଟେ ଘୂରିବା ପାଇଁ ପ୍ରାୟ ୨୭ ଦିନରୁ ଅଧିକ ସମୟ ଲାଗିଥାଏ । ଆଉ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ଏବଂ ଧୀରେ ଧୀରେ ଏହା ୪.୦୬ ଲକ୍ଷ ଦୂରକୁ ଚାଲିଯାଏ । ଜ୍ୟୋତିଷ ରିଚାର୍ଡ୍ ନଲଙ୍କ ପରିଭାଷାରେ ଯଦି ଚନ୍ଦ୍ର ପୃଥିବୀଠାରୁ ୩.୬୩ ଲକ୍ଷ କିଲୋମିଟର ବା ତାଠାରୁ ନିକଟରେ ନିକଟରେ ଥିବା ସମୟରେ ପୂର୍ଣ୍ଣମୀ ପଡ଼ିଥାଏ ତେବେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ । ସେ ସମୟରେ ଚନ୍ଦ୍ର ଆମକୁ ବିଶାଳ ଓ ଉଜ୍ୱଳମୟ ଦେଖାଯାଏ । ପ୍ରତିବର୍ଷ ସାଧାରଣତଃ ତିନୋଟି କିମ୍ବା ଚାରୋଟି ସୁପରମୁନ୍ ଦେଖାଯାଏ, କିନ୍ତୁ ଲଗାତାର ଚାରୋଟି ଦେଖାଯିବା ବିରଳ । ୨୦୨୬ ନଭେମ୍ବର ଏବଂ ଡିସେମ୍ବରରେ ଆଉ ଦୁଇଟି ସୁପରମୁନ୍ ଏବଂ ମେ ମାସରେ ଏକ ବ୍ଲୁ ମୁନ୍ ଦେଖାଯିବ ।
ଚଳିତ ବର୍ଷ ତିନୋଟି ପୂର୍ଣ୍ଣମୀ ପଡ଼ୁଥିବାରୁ ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ୍ ମଧ୍ୟ ଦେଖିବାକୁ ମିଳିବ । ତେବେ ସବୁଠାରୁ ବିରଳ କଥା ହେଉଛି ଯେ, ଏହା ଖାଲିଆଖିରେ ଦେଖିହେବ । ଆକାଶ ଯଦି ସ୍ୱଚ୍ଛ ରହେ କୁହୁଡ଼ି କିମ୍ବା ମେଘମୁକ୍ତ ରହେ ତେବେ ଖାଲିଆଖିରେ ଏହା ଆମକୁ ଦେଖାଯିବ । ଏହି ମହାଜାଗତିକ ଦୃଶ୍ୟ ଓଡ଼ିଶାରେ ମଧ୍ୟ ଦୃଶ୍ୟମାନ ହେବ ।