ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ୱାର୍ଲ୍ଡ ପ୍ରିମ୍ୟାଚ୍ୟୁରିଟି ଦିବସ ପାଳିତ ହୋଇ ଯାଇଛି। ଅପରିପକ୍ୱ ନବଜାତ ଶିଶୁମାନଙ୍କର ଯତ୍ନ ଓ ଚିକିତ୍ସା କ୍ଷେତ୍ରରେ ଜନସାଧାରଣ ଓ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ ପାଳିତ ଏହି ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍‌ ପକ୍ଷରୁ ୱାକାଥନ, ବିଭିନ୍ନ କୁଇଜ୍‌, ରଙ୍ଗୋଲି ଏବଂ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ନବଜାତ ଶିଶୁରୋଗ ବିଭାଗ ପକ୍ଷରୁ ଆୟୋଜିତ କଂଟିନ୍ୟୁଇଙ୍ଗ ମେଡିକାଲ୍‌ ଏଜୁକେସନ୍‌ (ସିଏମ୍‌ଇ)ର ଆୟୋଜନ କରାଯାଇଥିବା ବେଳେ ଏଥିରେ ନର୍ସ , ପିଜି ଛାତ୍ରଛାତ୍ରୀ ଏବଂ ଜନସାଧାରଣ ସାମିଲ ହୋଇଥିଲେ। 

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ଡିନ୍‌ ପ୍ରଫେସର (ଡାକ୍ତର) ସୌମ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ଏବଂ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର ) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବଜାତ ଶିଶୁମାନଙ୍କର ଏନ୍‌ଆଇସିୟୁରେ ସେବା ଓ ଯତ୍ନ କ୍ଷେତ୍ରରେ ଜଟିଳ ଦିଗ ଗୁଡ଼ିକ ଉପରେ ଆଲୋଚନା କରି ଥିଲେ। 

ଆୟୋଜିତ ସିଏମ୍‌ଇରେ ଓଡ଼ିଶା ସରକାରଙ୍କର ଶିଶୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଡାକ୍ତର ଆଦିତ୍ୟ ମହାପାତ୍ର ଯୋଗ ଦେଇ ଶିଶୁମାନଙ୍କର ଉପଯୁକ୍ତ ପୋଷଣ ଏବଂ ସଂକ୍ରମଣ ନିରାକରଣ ସହିତ କମ୍‌ ଓଜନ ଥିବା ନବଜାତମାନଙ୍କ ଯତ୍ନ ସମ୍ପର୍କରେ ମତ ରଖି ଥିଲେ। ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଘରେ କିଭଳି ଶିଶୁମାନଙ୍କର ଯତ୍ନ ନିଆଯିବା ଆବଶ୍ୟକ ସେ ଦିଗରେ ମା’ ମାନଙ୍କୁ ହସ୍ପିଟାଲ୍‌ରୁ ହିଁ ଅଧିକ ସଚେତନ କରାଇବା ଉପରେ ସେ ଗୁରୁତ୍ୱ ଦେଇ ଥିଲେ। 

ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ମନୀଷା ସାହୁ, ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ଏବଂ ଶିଶୁଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ ଅପରିପକ୍ୱ ଶିଶୁମାନଙ୍କ ଯତ୍ନ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବା ନେଇ ଗୁରୁତ୍ୱ ଦେବା ସହ ଧନ୍ୟବାଦ ଅର୍ପଣ କରି ଥିଲେ। 

ସିଏମ୍‌ଇକୁ ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର ପରିଚାଳନା କରିଥିବା ବେଳେ ଡାକ୍ତର ରତନ ଦାସ, ଡାକ୍ତର ଭାଗିରଥି ମଲ୍ଲିକ୍‌, ଡାକ୍ତର ବିଜୟ କୁମାର, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ଦିଲ୍ଲୀ ପାଣିଗ୍ରାହୀ, ଡାକ୍ତର ଶ୍ରୀକାନ୍ତ ନାୟକ ଏବଂ ଡାକ୍ତର ମନୀଷା କାର୍ଯ୍ୟକ୍ରମ ଏବଂ କର୍ମଶାଳାକୁ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଥିଲେ।