ରାଜସ୍ଥାନ, ୩।୮: ସାଧାରଣତଃ ଜେଲ୍ରେ କଏଦୀମାନଙ୍କୁ ବନ୍ଦୀ ଭାବେ ରଖାଯାଏ । କାହାକୁ ୧୦ ବର୍ଷ ଜେଲ୍ ଦଣ୍ଡ ମିଳୁଥିବା ବେଳେ କାହାକୁ ମିଳେ ଆଜୀବନ କାରାଦଣ୍ଡ । କିନ୍ତୁ, ରାଜସ୍ଥାନରେ ରହିଛି ଏକ ନିଆରା ଜେଲ୍ । ଯେଉଁଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରୁହନ୍ତି । ଏପରିକି ଏଠାରେ କଏଦୀମାନଙ୍କ ଉପରେ ବିଶେଷ କିଛି କଟକଣା ନଥାଏ । ସେମାନେ ଅଟୋ ଚଳାଇ, ମକା ବିକ୍ରି କରି, ଟିଫିନ୍ ସେଣ୍ଟରରେ ଲୋକଙ୍କୁ ଜଳଖିଆ ଖୁଆଇ, ମୋଟରସାଇକେଲ ସଜାଡ଼ି ନିଜ ଜୀବିକା ନିର୍ବାହ କରିଥାନ୍ତି । କେବଳ ଏତିକି ନୁହେଁ, ଜେଲ କ୍ୟାମ୍ପସ୍ ଭିତରେ ଏକ ସ୍କୁଲ ମଧ୍ୟ ରହିଛି, ଯେଉଁଠାରେ କଏଦୀଙ୍କ ପିଲାମାନେ ପଢ଼ିପାରନ୍ତି । ଆପଣ ଭାବୁଥିବେ ସେଇଟା ଜେଲ୍ ନା ଆଉ କ’ଣ ? ଜେଲ୍ରେ କଏଦୀଙ୍କୁ ଏତେ ସ୍ୱାଧୀନତା କେମିତି ମିଳୁଛି ?
ରାଜସ୍ଥାନର ହନୁମାନଗଡ଼, ବିକାନେର ଏବଂ ଆଜମେର ଭଳି ଜିଲ୍ଲାରେ ୫୦ରୁ ଅଧିକ ଓପନ୍ ଜେଲ୍ ଚାଲିଛି । ଜୟପୁରର ସାଙ୍ଗାନେରଠାରେ ଭାରତର ସବୁଠୁ ବଡ଼ ଓପନ୍ ଜେଲ୍ ରହିଛି । ଯାହାର ନାଁ ‘ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ଖୁଲା ବନ୍ଦୀ ଶିବିର’ । ଏହି ଜେଲରେ ନିଜ ପରିବାର ସହ ରହୁଛନ୍ତି ୩୭୦ରୁ ଅଧିକ କଏଦୀ । ଏହି ଜେଲ୍ରେ ନା କୌଣସି ଉଚ୍ଚ କାନ୍ଥ ଅଛି, ନାଁ କଣ୍ଟା ତାର । ଏଠାରେ ରହୁଥିବା କଏଦୀମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ପୋଷାକ ନାହିଁ, ସେମାନେ ନିଜ ମନ ପସନ୍ଦର ପୋଷାକ ପିନ୍ଧନ୍ତି । ଦଣ୍ଡ ନୁହେଁ, ସଂସ୍କାର ଉପରେ ଧ୍ୟାନ ଦିଏ ଏହି ଜେଲ । ତେବେ ଏହି ଜେଲରେ କଏଦୀମାନେ କେବଳ ବନ୍ଦୀ ଭାବରେ ରୁହନ୍ତି ନାହିଁ ବରଂ ସେମାନେ ଏକ ବ୍ୟବସ୍ଥା ଅଧୀନରେ ରୁହନ୍ତି, ଯାହା ସେମାନଙ୍କୁ ବିଭିନ୍ନ ଦାୟିତ୍ୱ ସହ ସ୍ୱାଧୀନତା ପ୍ରଦାନ କରିଥାଏ । ତେବେ ଏଠାରେ କଏଦୀମାନଙ୍କ ପାଇଁ କିଛି ନିୟମ ରହିଛି । ଯେଉଁ କଏଦୀମାନେ ସେମାନଙ୍କୁ ମିଳିଥିବା ଦଣ୍ଡର ଏକ ତୃତୀୟାଂଶ ସମୟ ଭଲ ଆଚରଣ ବଜାୟ ରଖି ଅତିବାହିତ କରିଥାନ୍ତି, କେବଳ ସେମାନଙ୍କୁ ଡକ୍ଟର ସମ୍ପୂର୍ଣ୍ଣାନନ୍ଦ ଖୁଲା ବନ୍ଦୀ ଶିବିରକୁ ସ୍ଥାନାନ୍ତରିତ କରାଯିବା ସହ ନିଜ ପରିବାର ସହ ରହିବାକୁ ଅନୁମତି ମିଳିଥାଏ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କଏଦୀମାନେ ନିଜ ଜୀବିକା ନିର୍ବାହ କରିବା ପାଇଁ ଦିନରେ ବାହାରକୁ ଯାଇ ଧାର୍ଯ୍ୟ ସମୟ ଭିତରେ ଜେଲକୁ ଫେରିଥାନ୍ତି । ଜେଲ୍ ଭିତରେ କଏଦୀମାନଙ୍କୁ ମୋବାଇଲ୍ ଫୋନ୍ର ବ୍ୟବହାର କରିବାକୁ ଅନୁମତି ଥିବାବେଳେ, ଟିଭି ଦେଖିପାରନ୍ତି ଏବଂ ନିଜ ପିଲାଙ୍କୁ ସ୍କୁଲ ମଧ୍ୟ ପଠାଇପାରନ୍ତି । ଏହି ଜେଲର ନିଜସ୍ୱ ପଞ୍ଚାୟତ ମଧ୍ୟ ରହିଛି । ଜେଲ ଭିତରେ ଦେଖା ଦେଉଥିବା ବିଭିନ୍ନ ବିବାଦର ସମାଧାନ ପାଇଁ କଏଦୀମାନେ ନିଜ ମଧ୍ୟରୁ ଜଣଙ୍କୁ ସରପଞ୍ଚ ଭାବେ ଭୋଟ୍ ଦେଇ ଜିତାଇଥାନ୍ତି । ନିର୍ବାଚିତ ସରପଞ୍ଚ କଏଦୀମାନଙ୍କ ମଧ୍ୟରେ ଶାନ୍ତି ବଜାୟ ରଖିବା ସହ ବିଭିନ୍ନ ବିବାଦର ମଧ୍ୟସ୍ଥତା କରିବାରେ ସାହାଯ୍ୟ କରନ୍ତି । ପାରମ୍ପରିକ ଭାରତୀୟ ଗ୍ରାମସଭା ପରି ଆଲୋଚନା ଏବଂ ସହମତି ମାଧ୍ୟମରେ ଏହି ଜେଲ ମଧ୍ୟରେ ଦେଖାଦେଇଥିବା ବିଭିନ୍ନ ମତଭେଦର ସମାଧାନ ହୋଇଥାଏ । ଏହି ବ୍ୟବସ୍ଥା କଏଦୀମାନଙ୍କୁ ସମାଜ ସହ ଯୋଡ଼ି ହୋଇ ରହିବାକୁ ଅନୁମତି ଦେଇଥାଏ । ଏହି ମଡେଲକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି ।