ନୂଆଦିଲ୍ଲୀ,୫।୮: ଭାରତୀୟ ସେନା ଉପରେ ମନ୍ତବ୍ୟ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ଦେଶର ସର୍ବୋଚ୍ଚ ଅଦାଲତ ରାହୁଲଙ୍କ ବୟାନକୁ ନିନ୍ଦା କରି କହିଥିଲେ, କୌଣସି ସଚ୍ଚା ଭାରତୀୟ ଏପରି କହିବେ ନାହିଁ। କୋର୍ଟଙ୍କ ଏହି ବୟାନ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସପକ୍ଷରେ ବାହାରି ଆସିଛନ୍ତି। ସଂସଦ ପରିସରରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ପ୍ରିୟଙ୍କା କହିଛନ୍ତି, କିଏ ପ୍ରକୃତ ଭାରତୀୟ ଏବଂ କିଏ ନୁହେଁ ତାହା ଯେ କୋର୍ଟର ବିଚାରପତି ସ୍ଥିର କରିପାରିବେ ନାହିଁ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନଡିଏ ବୈଠକ ସମୟରେ ସୁପ୍ରିମକୋର୍ଟଙ୍କ ଏହି ବୟାନକୁ ଉଲ୍ଲେଖ କରି ଏହାକୁ ସବୁଠାରୁ ବଡ଼ ଭର୍ତ୍ସନା ବୋଲି କହିଥିଲେ।
ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମାନ୍ୟବର ବିଚାରପତିମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନର ସହିତ, ମୁଁ କହିବାକୁ ଚାହୁଁଛି ଯେ ସେମାନେ ପ୍ରକୃତ ଭାରତୀୟ କିଏ ତାହା ନିର୍ଣ୍ଣୟ କରିବେ ନାହିଁ। ସରକାରଙ୍କୁ ପ୍ରଶ୍ନ କରିବା ବିରୋଧୀ ନେତାଙ୍କ କର୍ତ୍ତବ୍ୟ। ମୋ ଭାଇ କେବେ ସେନା ବିରୋଧରେ କହିବେ ନାହିଁ, ତାଙ୍କର ସେନା ପ୍ରତି ବହୁତ ସମ୍ମାନ ଅଛି। ଏହାକୁ ଭୁଲ ବ୍ୟାଖ୍ୟା କରାଯାଇଛି।
‘ଭାରତ ଯୋଡୋ’ ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୨ ରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ଲୋକମାନେ ‘ଭାରତ ଯୋଡୋ’ ଯାତ୍ରା ବିଷୟରେ ପଚାରିବେ, କିନ୍ତୁ ଚୀନ୍ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଦଖଲ କରିବା, ୨୦ ଜଣ ସୈନିକଙ୍କୁ ହତ୍ୟା କରିବା ଏବଂ ଅରୁଣାଚଳରେ ଆମର ସୈନିକମାନଙ୍କୁ ମାଡ଼ ମାରୁଥିବା ବିଷୟରେ କେହି କହିବେ ନାହିଁ। ରାହୁଲଙ୍କ ଏହି ବୟାନକୁ ନେଇ ୟୁପିର ବାସିନ୍ଦା ଉଦୟ ଶଙ୍କର ଶ୍ରୀବାସ୍ତବ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ । ଏକ ନିମ୍ନ ଅଦାଲତ ରାହୁଲଙ୍କ ବିରୁଦ୍ଧରେ ସମନ ଜାରି କରିଥିଲେ। ରାହୁଲ ଏହି ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ମଧ୍ୟ କରିଥିଲେ, ଯାହାର ଶୁଣାଣି ସମୟରେ କୋର୍ଟ ତାଙ୍କ ସଚ୍ଚା ଭାରତୀୟତା ଉପରେ ପ୍ରଶ୍ନ ଉଠାଇଥିଲେ।
ସୁପ୍ରିମକୋର୍ଟ ୪ ଅଗଷ୍ଟ ସୋମବାର ଦିନ କହିଥିଲେ , ଆପଣ ବିରୋଧୀ ଦଳର ନେତା, ଆପଣ ସଂସଦରେ ଏହି କଥା କାହିଁକି କହୁନାହାଁନ୍ତି? ସୋସିଆଲ ମିଡିଆର ଆବଶ୍ୟକତା କ'ଣ? ସୁପ୍ରିମକୋର୍ଟ ରାହୁଲଙ୍କୁ ପଚାରିଥିଲେ, ଆପଣ କିପରି ଜାଣିଲେ ଯେ ଚୀନ୍ ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଦଖଲ କରିଛି ? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ ଏହାର କୌଣସି ପ୍ରମାଣ ଅଛି କି? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କଥା କହିନଥାନ୍ତେ।