ସୁନ୍ଦରଗଡ ୮/୧୨ : ଫେସବୁକ ସହ ବିଭିନ୍ନ ସମାଜିକ ଗଣମାଧ୍ୟମରେ ନିଯୁକ୍ତି ସମ୍ପର୍କୀତ ବିଜ୍ଞାପନ ଛାଡୁଥିଲେ । ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ସରକାରୀ ଲୋଗୋ, ଜିଲ୍ଲା ପ୍ରଶାସନର ନାମ ମଧ୍ୟ ଏଥିରେ ଦେଉଥିଲେ । ଆକର୍ଷଣୀୟ ଦରମା ସହ ରହିବା, ଖାଇବା ବ୍ୟବସ୍ଥାର ମଧ୍ୟ ପ୍ରଲୋଭନ ଦେଖାଉଥିଲେ । ଏପରି ଏକ ଠକେଇର ପର୍ଦ୍ଦାଫାଶ କରିଛନ୍ତି ସୁନ୍ଦରଗଡ ଆରକ୍ଷୀ ଅଧୀକ୍ଷକ ଅମ୍ରିତାପାଲ କୌର। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଏପରି ସନ୍ଦେହଜନକ ବିଜ୍ଞାପନର ତଦନ୍ତ କରି ଏହାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛନ୍ତି। ସେ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ସଂଗ୍ରାମ କୁମାର ବେହେରା (୨୬)। କିଛି ଦିନ ହେବ ସାମାଜିକ ଗଣ ମାଧ୍ୟମରେ ସୁନ୍ଦରଗଡ, ବଲାଙ୍ଗିର, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, ବରଗଡ ଜିଲ୍ଲାରେ ଡାଟା ଏଂଟ୍ରି ଅପରେଟର, ସିକ୍ୟୁରିଟି ଗାର୍ଡ, ନର୍ସିଂ ଆସିଷ୍ଟାଂଟ ଆଦି ନିଯୁକ୍ତି ସମ୍ପର୍କୀୟ ବିଜ୍ଞାପନ ଘୁରି ବୁଲୁଥିଲା। ଏହା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟିକୁ ଆସିବା ପରେ ବିଜ୍ଞାପନର ସତ୍ୟତା ନେଇ ତାଙ୍କ ସନ୍ଦେହ ହୋଇଥିଲା। ଏଣୁ ଏହାର ତଦନ୍ତ କରିବା ପାଇଁ ଟାଉନ ଥାନା ଆଇଆଇସି ପ୍ରୀତିମଞରୀ ମେଣ୍ଡୁଳିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରିଥିଲେ। ଉକ୍ତ ଟିମ ଏହାର ତଦନ୍ତ କରି ମିଥ୍ୟା ବିଜ୍ଞାପନ ବୋଲି ଜାଣିବାକୁ ପାଇଥିଲେ। ସେହିପରି ଆଶାୟୀଙ୍କ ଠାରୁ ୩୫୦୦ ଟଙ୍କା ଲେଖାଏଁ ଆଦାୟ କରା ଯାଉଥିବା ଜଣା ପଡିଥିଲା। ସଂଗ୍ରାମ ଏହି ରାକେଟର ମାଷ୍ଟର ମାଇଣ୍ଡ ବୋଲି ଜଣା ପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଏକ ମୋବାଇଲ ସହ ୨୦ଟି ବିଭିନ୍ନ ନିଯୁକ୍ତି ବିଜ୍ଞାପନର ସ୍କ୍ରିନ ସଟ୍ ଜବତ ହୋଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ଜାମିନ ନ ମିଳିବାରୁ ସ୍ଥାନୀୟ ବିଚାର ବିଭାଗୀୟ ଜେଲ ହାଜତକୁ ଯିବାକୁ ପଡିଛି । ଉକ୍ତ ପୁଲିସ ଟିମରେ ଅନ୍ୟ ମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଡୋଲାମଣି ନାଏକ ଓ ଅନୀଲ ସାମଲଙ୍କ ସମେତ ସବ୍ ଇନ୍ସପେକ୍ଟର ଭାବଗ୍ରାହୀ ଜେନା, ପ୍ରତାପ କାଲୋ ସାମିଲ ଥିଲେ । ପୁଲିସ ପକ୍ଷରୁ ସ୍ଥାନୀୟ ନିଯୁକ୍ତି ଆଶାୟୀ ମାନଙ୍କୁ ଏପରି ମିଥ୍ୟା ନିଯୁକ୍ତି ବିଜ୍ଞାପନ ପ୍ରତି ସତର୍କ ରହିବା ଏବଂ ସ୍ଥାନୀୟ ଥାନା କିମ୍ବା ସାଇବର କ୍ରାଇମ ପୋର୍ଟଲରେ ତୁରନ୍ତ ଅଭିଯୋଗ ଦର୍ଜ କରିବାକୁ ପରାମର୍ଶ ଦିଆ ଯାଇଛି । ଆରକ୍ଷୀ ଅଧୀକ୍ଷକଙ୍କ ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ଲୋକେ ପ୍ରଶଂସା କରୁଛନ୍ତି ।