ମାଲକାନଗିରି ,୩/୨ : ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଙ୍ଗଳବାର ଦର୍ଶକଙ୍କ ମନ ମୋହିଛି ସାସ୍ୱତ ଯୋଶୀଙ୍କ ଓଡ଼ିଶୀ ନୃତ୍ୟ, କୁଲଦୀପ ପଟ୍ଟନାୟକଙ୍କ ସୁମଧୁର ସଙ୍ଗୀତ ସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି କୋୟା କୁଟୀର।
ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ଆଜି ତୃତୀୟ ସନ୍ଧ୍ୟାରେ ପହଞ୍ଚିଛି । ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ, କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ, ସଚିନ ରାଉତ, ଗାୟିକା ଶୀତଲ କୁନମୁନଙ୍କ ସଙ୍ଗୀତ ଓ ଆସାମର ବିହୁ, ରାଜସ୍ଥାନର ଘୁମୁରା ନୃତ୍ୟ, ଅରଣ୍ୟ ଡ୍ୟାନ୍ସ ଗୃପ, ମାଲକାନଗିରିର ପରଜା ନୃତ୍ୟ, ସରଗିଫୁଲ ସୁରଭି ଦର୍ଶକଙ୍କ ମନ ମୋହିଛି । ପଲ୍ଲୀଶ୍ରୀ ମେଳାରେ ୧୨୦ଟି ଷ୍ଟଲ ଖୋଲାଯାଇଛି, ସେଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମିତ କୋୟା ଆଦିବାସୀ ସମ୍ପ୍ରଦାୟଙ୍କ କୁଟୀର ଓ ସେମାନଙ୍କ ବ୍ୟବହୃତ ପାରମ୍ପରିକ ସାମଗ୍ରୀ ପ୍ରଦର୍ଶନ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ଥିଲା, ସେ କୁଟୀରକୁ ବୁଲି ଦେଖିବା ସହ ଫଟୋ ଓ ସେଲ୍ଫି ନେଉଥିଲେ ଦର୍ଶକ।
ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଉପାଧ୍ୟକ୍ଷ ପତିତପାବନ ବୈଦ ଓ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାମାନେ ଓ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ମଞ୍ଚରେ ଅତିଥି ଭାବେ ଥିଲେ । ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ଓ ଦୁଇଟି କାର୍ଯ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ। ଅତିଥିମାନେ ମଞ୍ଚରେ କଳାକାରଙ୍କୁ ଓ ମାଲ୍ୟବନ୍ତ ଦେଶିଆ ନାଟ ଗୁରୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମାଲ୍ୟବନ୍ତ ମଣ୍ଡପ ସହ ଜିଲ୍ଲାରେ କଢା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଏସଏଫ ଯବାନମାନଙ୍କ ସହ ଏସଓଜି, ଓ ବହୁ ପରିମାଣରେ ଜିଲ୍ଲା ପୁଲିସଙ୍କୁ ମୁତୟନ କରାଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗି ଯାଇଥିଲା ।