କୋରାପୁଟ,୨୧/୧୧ : ଓଡ଼ିଶାର ସମ୍ପନ୍ନ ଆଦିବାସୀ ସଂସ୍କୃତି, ପାରମ୍ପରିକ ଜ୍ଞାନ ଓ ସମୁଦାୟର କଥାକୁ ମୁଖ୍ୟଧାରାରେ ଆଣିବା ପାଇଁ କେନ୍ଦ୍ରୀୟ ଓଡ଼ିଶା ବିଶ୍ଵବିଦ୍ୟାଳୟ (ସିୟୁଓ), କୋରାପୁଟ ଓ ୟୁନିସେଫ୍ ଓଡ଼ିଶା ମଧ୍ୟରେ ‘ଜନଜାତୀୟ ସଞ୍ଚାର କେନ୍ଦ୍ର (ଟିସିସି) ସ୍ଥାପନ ପାଇଁ ଏକ ରଣନୀତିମୂଳକ ସହଯୋଗ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଜନଜାତୀୟ ସମୁଦାୟର ସାମାଜିକ ଆର୍ଥିକ ସଶକ୍ତିକରଣ, ପାରମ୍ପରିକ ଜ୍ଞାନ ଓ ପ୍ରଥାମାନଙ୍କ ସୁରକ୍ଷା ଏବଂ ସମୃଦ୍ଧି ସହିତ ସମାନ ସୁଯୋଗ ନିଶ୍ଚିତ କରି ରାଜ୍ୟର ଉନ୍ନୟନ ମୁଖ୍ୟଧାରାରେ ତାଙ୍କୁ ଅନ୍ତର୍ଭୁକ୍ତ କରିବା।

୨୦ନଭେମ୍ବର ୨୦୨୫ରେ ସୁନାବେଡ଼ାସ୍ଥିତ ସିୟୁଓ କ୍ୟାମ୍ପସରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ବ ବିଦ୍ୟାଳୟର ଭାରପ୍ରାପ୍ତ କୂଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଓ ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ଚିଫ୍ ଉଇଲିଆମ୍ ହାନ୍ଲନ୍ ଔପଚାରିକ ଭାବେ ଉଦ୍ଦେଶ୍ୟ ପତ୍ର ସ୍ବାକ୍ଷର କରିଥିଲେ । ଏହି ଅବସରରେ ବିଶ୍ବବିଦ୍ୟାଳୟର ବିତ୍ତ ଅଧିକାରୀ ଦୁର୍ଯେ୍ୟାଧନ ସେଠୀ, ପତ୍ରକାରିତା ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼. ନିଖିଲ କୁମାର ଗୌଡ଼, ଓ ଅଧ୍ୟାପକ ମଣ୍ଡଳୀ , ୟୁନିସେଫ୍ ଓଡିଶାର ଏସବିସି ବିଶେଷଜ୍ଞ ଡ଼. ସୁଗତ ରାୟ, ସିୟୁଓର ଲୋକସମ୍ପର୍କ ଅଧିଲାରୀ ଡ଼. ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପଦକ୍ଷେପକୁ ବିଶ୍ୱବିଦ୍ୟାଳୟ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ବ୍ୟାଖ୍ୟା କରି ପ୍ରଫେସର ପଣ୍ଡା କହିଥିଲେ, “ବିଶ୍ବବିଦ୍ୟାଳୟରେ ଜନଜାତୀୟ ସଂଯୋଗ କେନ୍ଦ୍ର ସ୍ଥାପନ ହେବା ଆମ ପାଇଁ ଗର୍ବର ବିଷୟ । ଏହା ଛାତ୍ରଛାତ୍ରୀ ଓ ଜନଜାତୀୟ ସମୁଦାୟ ସମସ୍ତଙ୍କୁ ସଶକ୍ତ କରିବ ଓ ଆଦିବାସୀ ବହୁଳ ଅଞ୍ଚଳମାନଙ୍କ ସାମଗ୍ରିକ ବିକାଶରେ ମୂଲ୍ୟବାନ ଭୂମିକା ନିର୍ବାହ କରିବ । ଏହା ସହ ଜନଜାତୀୟ ଅଧିକାର ଓ ପ୍ରତିନିଧିତ୍ୱକୁ ସୁଦୃଢ କରିବାରେ ଏହା ହେଉଛି ଐତିହାସିକ ପଦକ୍ଷେପ ।”

ସେ କହିଲେ ଯେ, ଟ୍ରାଇବାଲ୍ କମ୍ୟୁନିକେସନ୍ ସେଲ୍ ପ୍ରମାଣଭିତ ତଥ୍ୟ ସୃଷ୍ଟି, କ୍ଷମତା ବୃଦ୍ଧି ଏବଂ ସାରଗର୍ଭକ ଆଲୋଚନା ପାଇଁ ଅର୍ଥପୂର୍ଣ୍ଣ ମଞ୍ଚ ସୃଷ୍ଟି କରିବାରେ ପରିବର୍ତ୍ତନତ୍ମକ ଭୂମିକା ନିଭାଇବ। ଏହା ଶେଷ ପର୍ଯ୍ୟନ୍ତ ଓଡିଶାର ଜନଜାତୀୟ କ୍ଷେତ୍ରରେ ଶିଶୁମାନଙ୍କ ଏବଂ ପରିବାରମାନଙ୍କ ଅଧିକାର ସୁଦୃଢ଼ କରିବା ସହିତ ସେମାନଙ୍କର ସମୁଚିତ କଲ୍ୟାଣକୁ ବିକଶିତ କରିବାରେ ମୁଖ୍ୟଭୂମିକ ଗ୍ରହଣ କରିବ । ଏହି କେନ୍ଦ୍ରର ଉଦ୍ଦେଶ୍ୟ ସପର୍କରେ ଆଲୋକପାତ କରି, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୂଖ୍ୟ ଡ଼ଃ ନିଖିଲ କୁମାର ଗୌଡ଼ କହିଥିଲେ ଯେ, ବିଭାଗ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ଟ୍ରାଇବାଲ୍ କମ୍ୟୁନିକେସନ୍ ସେଲ୍ ଗବେଷଣା, ଡକ୍ୟୁମେଣ୍ଟେସନ୍, କ୍ଷମତା ବୃଦ୍ଧିକରଣ ଏବଂ ସମୁଦାୟ ସଂପୃକ୍ତିକରଣ ପାଇଁ ଗୋଟିଏ ଉକୃଷ୍ଟ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ୟୁନିସେଫ୍ ପକ୍ଷରୁ ପ୍ରାପ୍ତ ସହଯୋଗ ଓ ନିରନ୍ତର ସମର୍ଥନ ସହିତ, ଏହି ସେଲ୍ ଜାତୀୟ ଅନୁଭୂତି, ସାଂସ୍କୃତିକ ପରିପେକ୍ଷୀ ଓ ଆଦିବାସୀ ସମାଜର ଜୀବନ ଅନୁଭବକୁ ସଠିକ ଭାବରେ ପ୍ରତିଫଳିତ କରିଥିବା ସଂଯୋଗ ମଡେଲ୍ ବିକାଶ କରିବାକୁ ଲକ୍ଷ୍ୟ ରଖିଛି।

ଚୁକ୍ତିପତ୍ର ସ୍ବାକ୍ଷର ସମୟରେ ଡ଼ଃ ସୌରଭ ଗୁପ୍ତା, ଡ଼ଃ ପ୍ରଦୋଷ ରଥ, ଡ଼ଃ ଗୌରବ ରଞ୍ଜନ, ସୁମିତ ବେହେରା, ଡ଼ଃ ସୋନି ପାଢ଼ି, ଡ଼ଃ ତଲତ ଜହାଁ ବେଗମ୍ ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାରେ ପ୍ରାୟ ୯.୬ମିଲିଅନ୍ ଜନଜାତୀୟ ଲୋକ ରାଜ୍ୟର ୨୩ଶତାଂଶ ଜନସଂଖ୍ୟା ନିବାସ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ ଓ କିଶୋର କଳ୍ୟାଣ କାର୍ଯ୍ୟକ୍ରମରେ ଅନେକ ସମସ୍ୟା ରହିଥିବରୁ ପରିପ୍ରେକ୍ଷିତରେ ଟ୍ରାଇବାଲ୍ କମ୍ୟୁନିକେସନ୍ ସେଲ୍ ସଂସ୍କୃତି-ସେନ୍ସିଟିଭ୍ ସଂଯୋଗ, ପାରମ୍ପରିକ ଜ୍ଞାନ ପ୍ରଣାଳୀ ସୁରକ୍ଷା ଓ ଜନଜାତିୟ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ।

ଏହି ମିଳିତ ପ୍ରୟାସ ଓଡ଼ିଶାର ଜନଜାତୀୟ ସମୁଦାୟମାନଙ୍କ ସାମଗ୍ରିକ କଳ୍ୟାଣ ପାଇଁ ସମ୍ମାନପୂର୍ଣ୍ଣ ସମ୍ବାଦ, ସଚେତନ କାର୍ୟ୍ୟ ଓ ତଥ୍ୟ-ଭିତ୍ତିକ ଉପସ୍ଥାପଣକୁ ମଜବୁତ କରିବାରେ ଏକ ଦୃଢ଼ ପଦକ୍ଷେପ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣାଇଛନ୍ତି ।