ମୁମ୍ୱାଇ : ହିନ୍ଦୀ ସମେତ ୬ଟି ଭାଷାରେ କାମ କରି ସାରିଥିବା ଏହି ସୁପରଷ୍ଟାର ଆଜି ରାଜ୍ୟସଭାର ସଦସ୍ୟ। ଆଶ୍ଚର୍ଯ୍ୟ କରିଥିବା କଥା ଏହା ଯେ, ସେ କେବଳ ଅଷ୍ଟମ ଯାଏ ପାଠ ପଢିଛନ୍ତି। ଉଲ୍ଲେଖନୀୟ ଯେ, ଯେବେ ସେ ଛଅ ବର୍ଷ ବୟସର ହୋଇ ଥିଲେ ସେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ।
ଧୀରେ ଧୀରେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ବଢ଼ିଲା ଏବଂ ଯେତେବେଳେ ସେ ଅନୁଭବ କଲେ ଯେ, ସେ ଏଥିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସେତେବେଳେ ସେ ପାଠପଢ଼ା ଛାଡି ଦେଲେ। ହେଲେ ମଜାଦାର କଥା ଏହା ଯେ, ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଏହି ଅଭିନେତାଙ୍କ ପାଖରେ ପ୍ରତ୍ୟେକ କ୍ଷେତ୍ରର ଜ୍ଞାନ ରହିଛି। ତାଙ୍କୁ ଜାଣନ୍ତି ସେ କିଏ ? ତାଙ୍କର ନାଁ ହେଉଛି କମଲ ହାସନ। ସେ ୨୨୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଜଣେ ଅଭିନେତା ଭାବେ କମଲ ହାସନଙ୍କୁ ଚାରୋଟି ରାଷ୍ଟ୍ରୀୟ ପୁରସ୍କାର, ନିର୍ମାତା ଭାବେ ଗୋଟିଏ ନ୍ୟାସନାଲ ପୁରସ୍କାର ଓ ୧୦ଟି ଷ୍ଟେଟ୍ ଆୱାର୍ଡର ସମ୍ମାନିତ କରାଯାଇଛି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ନାଗରିକ ସମ୍ମାନ ମଧ୍ୟ ମିଳିଛି। ୨୦୦୫ ମସିହାରେ କମଲ ହାସନଙ୍କୁ ଚେନ୍ନାଇର ସତ୍ୟଭାମା ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ମିଳି ଥିଲା। ଏହି ଉପାଧି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବୈଷୟିକ ଜ୍ଞାନ ଏବଂ କ୍ରିଏଟିଭିଟିର କାରଣ ଦିଆଯାଇ ଥିଲା।
ସେପଟେ ନଭେମ୍ୱର ୨୦୧୯ରେ ଓଡିଶାର KIIT ବିଶ୍ୱବିଦ୍ୟାଳୟ ତାଙ୍କୁ ଚଳଚ୍ଚିତ୍ର, ସଂସ୍କୃତି ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଦୀର୍ଘକାଳୀନ କାର୍ଯ୍ୟ ପାଇଁ ଡକ୍ଟରେଟ୍ ଡିଗ୍ରୀରେ ସମ୍ମାନିତ କରିଥିଲା। ୨୦୨୪ ମସିହାରେ, କମଲ ହାସନ ଆମେରିକାର ଏକ କଲେଜରେ AI ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ। ଏହି ସର୍ଟ କୋର୍ସ ମାଧ୍ୟମରେ, ସେ ନିଜକୁ ବଦଳୁଥିବା ପ୍ରଯୁକ୍ତିବିଦ୍ୟା ସହ ଅପଡେଟ୍ କରିବାକୁ ଚାହୁଁ ଥିଲେ।