ଓଟିଟିପ୍ରେମୀଙ୍କ ପାଇଁ ଡିସେମ୍ବର ପ୍ରଥମ ସପ୍ତାହ ରହିବ ବେଶ୍ ଆନନ୍ଦଦାୟକ । କାରଣ ଏ ସପ୍ତାହରେ ପ୍ରମୁଖ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରୁଛି ସୁନ୍ଦର ସୁନ୍ଦର ସିନେମା ଓ ୱେବସିରିଜ୍ । ସପ୍ତାହସାରା ଭିନ୍ନ ଭିନ୍ନ ସ୍ୱାଦର ଫିଲ୍ମ ଓ ସିରିଜ ଦେଖିବାକୁ ପାଇବେ ଦର୍ଶକ । ଏହାରି ମଧ୍ୟରେ ରହିଛି ହରର୍ କମେଡି ‘ଥାମା’ଠାରୁ ଆରମ୍ଭ କରି ରଶ୍ମିକା ମନ୍ଦାନା ଷ୍ଟାରର୍ ‘ଦ ଗର୍ଲଫ୍ରେଣ୍ଡ’ ପର୍ଯ୍ୟନ୍ତ । ଆସନ୍ତୁ ଏ ପୂରା ତାଲିକା ପଢ଼ିବା ଓ ଜାଣିବା କେଉଁ ସିନେମା ବା ସିରିଜ୍ କେଉଁ ଦିନ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି ।
ଥାମା
ଆୟୁଷ୍ମାନ ଖୁରାନା ଓ ରଶ୍ମିକା ମନ୍ଦାନା ଷ୍ଟାରର୍ ଏହା ଏକ ଭାମ୍ପାୟାର ଲଲଷ୍ଟୋରୀ । ଜଣେ ମଣିଷ ଓ ଭୂତୁଣୀଙ୍କ ମଧ୍ୟରେ ଯେଉଁ ରୋମାଞ୍ଚକର ପ୍ରେମ କାହାଣୀ, ତାହା ଏ ଫିଲ୍ମରେ ଦେଖିବେ ଦର୍ଶକ । ‘ଥାମା’ ସୁପରହିଟ ମ୍ୟାଡକ୍ ହରର୍ କମେଡି ୟୁନିଭର୍ସର ପଞ୍ଚମ ଫିଲ୍ମ । ବଡ଼ ପରଦାରେ ଚହଳ ସୃଷ୍ଟି କରିବା ପରେ ବର୍ତ୍ତମାନ ଏ ଫିଲ୍ମ ଓଟିଟିରେ ରିଲିଜ ହେଉଛି । ସୂତ୍ର ଅନୁସାରେ ଡିସେମ୍ବର ୨ ତାରିଖରେ ଏ ଫିଲ୍ମ ଷ୍ଟ୍ରିମିଂ ଡେବ୍ୟୁ କରିଛି । କିନ୍ତୁ ପ୍ରଥମ ସପ୍ତାହ ପାଇଁ ଏହା ରେଣ୍ଟରେ ଉପଲବ୍ଧ ହେବ । ‘ଥାମା’ ଡିସେମ୍ବର ୧୬ ତାରିଖଠାରୁ ପ୍ରାଇମ୍ ଭିଡିଓ ସବସ୍କ୍ରାଇବ୍ ନେଇଥିବା ଦର୍ଶକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ ।
ଦ ଗର୍ଲଫ୍ରେଣ୍ଡ
ରଶ୍ମିକା ମନ୍ଦାନା ଅଭିନୀତ ‘ଦ ଗର୍ଲଫ୍ରେଣ୍ଡ’ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରିଥିଲା । ସିନେ ସମୀକ୍ଷକ ମଧ୍ୟ ଏ ଫିଲ୍ମକୁ ଖୁବ୍ ପ୍ରଶଂସା କରିଥିଲେ । ବର୍ତ୍ତମାନ ସମୟରେ ସମ୍ପର୍କ ଓ ପ୍ରେମରେ ଘଟୁଥିବା ଛୋଟ ଛୋଟ କନ୍ଦଳ, ଭୁଲ ବୁଝାମଣା ଓ ଦ୍ୱନ୍ଦ୍ୱକୁ ନେଇ ଆଧାରିତ । ଏହି ଫିଲ୍ମ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବାକୁ ଯାଉଛି ‘ଦ ଗର୍ଲଫ୍ରେଣ୍ଡ’ ।
ଡାଇସ୍ ଇରା
ପ୍ରଣବ ମୋହନଲାଲଙ୍କ ସୁପରହିଟ୍, ମଲାୟାଲମ ହରର୍ ଫିଲ୍ମ ‘ଡାଇସ୍ ଇରା’ ବିଭିନ୍ନ ଭାଷାରେ ଡିଜିଟାଲ ପ୍ଲାଟଫର୍ମରେ ଷ୍ଟ୍ରିମ ହେବାକୁ ଯାଉଛି । ଜଣେ ମହିଳାଙ୍କ ଆତ୍ମହତ୍ୟା ପରେ ତାଙ୍କର ଜିନିଷପତ୍ରକୁ ସୁରକ୍ଷିତ କରି ରଖିଛନ୍ତି ଫିଲ୍ମର ମୁଖ୍ୟ ଚରିତ୍ର । ତେବେ ପରେ ସେ ଲକ୍ଷ୍ୟ କରନ୍ତି ଯେ, ମୃତ ମହିଳାଙ୍କ ଜିନିଷପତ୍ର ସାଇତି ରଖିବା ପରେ ନାନା ଅଲୌକିକ ଘଟଣା ଘଟୁଛି । ଡିସେମ୍ବର ୫ ତାରିଖ ପରଠୁ ସିନେପ୍ରେମୀ ଓଟିଟି ପ୍ଲାଟଫର୍ମ ଜିୟୋ ହଟଷ୍ଟାରରେ ଏ ଫିଲ୍ମ ଦେଖିପାରିବେ ।
କୁଟ୍ଟୁମ ପୁରିନ୍ଧାବନ
ଜଣାଶୁଣା ଅଭିନେତା ପଶୁପତି ଏହି ଜବରଦସ୍ତ ତାମିଲ କ୍ରାଇମ ଡ୍ରାମାରେ ଭାସ୍କର ନାମକ ଚରିତ୍ର ନିର୍ବାହ କରିଛନ୍ତି , ଯିଏ ପ୍ରଥମେ ଜଣେ ପୁଲିସ ଥିଲେ । ଜଣେ ଛୋଟ ଝିଅ ନିଖୋଜ ହୋଇଯିବା ପରେ ଏହି ପୁଲିସ ଅଧିକାରୀଙ୍କ ଭଲ ପ୍ରୟାସ ମଧ୍ୟ କିଭଳି ମନ୍ଦରେ ପରିଣତ ହୋଇଯାଏ, ତାହା ଦେଖିବାକୁ ମିଳିଛି । କାହାଣୀ ଆଗକୁ ବଢ଼ିବା ସହିତ ଭାସ୍କରଙ୍କ ଉପରେ ପ୍ରବଳ ଚାପ ପଡ଼େ । ସେ ଏଭଳି ଏକ କଷ୍ଟକର ଇନଭେଷ୍ଟିଗେସନରେ ଫସି ଯାଆନ୍ତି, ଯାହା କର୍ତ୍ତବ୍ୟ ଓ ସଚ୍ଚୋଟତା ମଧ୍ୟରେ ସମସ୍ୟା ହୋଇ ଠିଆ ହୁଏ । ଏଥିରେ ବିଦାର୍ଥ ଇନଭେଷ୍ଟିଗେସନ ଅଫିସର ଓ ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରମୌଲି ବ୍ୟସ୍ତ ବିବ୍ରତ ମା’ ଚରିତ୍ର ନିର୍ବାହ କରିଛନ୍ତି । ଏହି ତାମିଲ କ୍ରାଇମ୍ ଥ୍ରୀଲର ସୋ’ର ପ୍ରଥମ ସିଜନ ଡିସେମ୍ବର ୫ ତାରିଖରେ ଓଟିଟି ପ୍ଲାଟଫର୍ମ ସୋନି ଲିଭ୍ ରେ ଦେଖି ମଜା ନେଇପାରିବେ ନର୍ଶକ ।
ଧୂଲପେଟ ପୁଲିସ ଷ୍ଟେସନ
ଏହି ୱେବସିରିଜ୍ ଉଭୟ ତାମିଲ ଓ ତେଲୁଗୁରେ ରିଲିଜ ହେବ । ଏହା ପୁଲିସ ପ୍ରୋସିଜରଲ୍ ଉପରେ ଏକ ନୂଆ ତଥା ମଜାଦାର ଦୃଷ୍ଟିକୋଣ । ସୋ’ରେ ପ୍ରତି ସପ୍ତାହର ଏପିସୋଡରେ ପ୍ରଦର୍ଶିତ ହେବ, ପରବର୍ତ୍ତୀ ସମୟରେ କ’ଣ ହେବାକୁ ଯାଉଛି । ଦର୍ଶକ ଏହାକୁ ଉତ୍କଣ୍ଠାରା ସହ ଅପେକ୍ଷା କରିବେ । ଡିସେମ୍ବର ୫ ତାରିଖରୁ ଓଟିଟି ପ୍ଲାଟଫର୍ମ ଆହାରେ ଏହା ଷ୍ଟ୍ରିମ ହେବ ।
ଦ ନାଇଟ୍ ମାଇ ଡାଡ ସେଭ୍ଡ କ୍ରିସମସ ୨
ଏହା ଏକ ପୂରାପୂରି କ୍ରିସମସ ମୁଭି । ‘ଦ ନାଇଟ ମାଇ ଡାଡ ସେଭ୍ଡ କ୍ରିସମସ ୨’ ଡିସେମ୍ବର ୫ ତାରିଖରେ ନେଟଫ୍ଲିକ୍ସରେ ଷ୍ଟ୍ରିମ ହେବ । ଏହାର କାହାଣୀ ଜଣେ ବାପା, ତାଙ୍କର କିଶୋର ପୁଅ ଓ ତା’ର ସାଙ୍ଗମାନଙ୍କୁ ନେଇ ଗତିଶୀଳ ହୋଇଛି । ଏହି ପିଲାମାନେ କ୍ରିସମସ ପାଳନ କରିବାକୁ ଯାଇ ସାନ୍ତାଙ୍କୁ କିଭଳି ସୁରକ୍ଷା ଦେଉଛନ୍ତି, ତାହାର କାହାଣୀ ଦେଖିବାକୁ ମିଳିବ ।
ଦ ବ୍ୟାଡ ଗଏଜ୍ ୨
‘ଦ ବ୍ୟାଡ ଗଏଜ୍ ୨’ଏକ ଆନିମେଟେଡ ହରର୍ କମେଡି ଫିଲ୍ମ, ଯାହା ପିଲାଙ୍କ ବୁକ୍ ସିରିଜ ‘ଦ ବ୍ୟାଡ ଗଏଜ୍’ ଉପରେ ଆଧାରିତ । ଏଥିରେ ନତାଶା ଲିୟୋନ, ଶ୍ୟାମ ରକୱେଲ, ଡାନିଏଲ ବ୍ରୁକ୍ସ, ମାରିୟା ୱାକାଲୋବା ଓ ଆହୁରି ଅନେକ କଳାକାର ଅଛନ୍ତି । ଡିସେମ୍ବର ୧ ତାରିଖରେ ଏହା ଓଟିଟି ପ୍ଲାଟଫର୍ମ ଜିୟୋ ହଟଷ୍ଟାରରେ ଷ୍ଟ୍ରିମ ହୋଇଛି ।
ଘରୱାଲି ପେଡୱାଲି
ନିଆରା ଫ୍ୟାମିଲି ହରର୍ କମେଡି ସୋ’ ‘ଘରୱାଲି ପେଡୱାଲି’ ବାରାଣସୀ ପୃଷ୍ଠଭୂମିରେ ନିର୍ମିତ । ଜିତୁ ପାଣ୍ଡେ ଏଥିରେ ମୁଖ୍ୟ ଚରିତ୍ର ନିର୍ବାହ କରିଛନ୍ତି । ତାଙ୍କର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ତେବେ କୁଣ୍ଡଳିରେ ଅସୁବିଧା ଥିବା ଯୋଗୁଁ ତାହା ଦୂର କରିବା ପାଇଁ କନ୍ୟାକୁ ବିବାହ କରିବା ପୂର୍ବରୁ ଏକ ଅଶ୍ୱତ୍ଥ ଗଛ ସହିତ ବିବାହ କରାଯିବାକୁ ତାଙ୍କୁ ବାଧ୍ୟ କରାଯାଏ । ତାଙ୍କୁ ବିଲକୁଲ ଜଣାନଥାଏ ଯେ, ସେହି ଗଛରେ ଦଶବର୍ଷରୁ ଅଧିକ ସମୟ ଧରି ଲତିକା ନାମକ ଜଣେ ଭୂତୁଣୀ ରହୁଥାଏ । ବିବାହ ପରେ ଯେଉଁ ସବୁ ଦ୍ୱନ୍ଦ୍ୱ ଉପୁଜେ, ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି । ଜୀ୫ ଓଟିଟି ପ୍ଲାଟଫର୍ମରେ ୫ ତାରିଖଠାରୁ ଦର୍ଶକ ଏହାକୁ ଦେଖିପାରିବେ ।