ନୂଆଦିଲ୍ଲୀ,୧୬/୦୫; ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କ୍ଷମତା ହରାଇବା ଏବଂ ବର୍ଷ ବର୍ଷ ଧରି ସବୁଠାରୁ ବଡ଼ ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଏବେ ସଂଗଠନର ପୁନର୍ଗଠନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । କୋଲକାତାସ୍ଥିତ ତାଙ୍କ କାଲିଘାଟ ବାସଭବନରେ, ମମତା ବାନାର୍ଜୀ ସମସ୍ତ ପ୍ରତିଦ୍ୱନ୍ଦ୍ୱୀ ଦଳୀୟ ପ୍ରାର୍ଥୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି । ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପରାଜୟ ପରେ ଦଳ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ନେତାମାନେ ଦଳ ପରିବର୍ତ୍ତନ କରିବା ନେଇ କଳ୍ପନାଜଳ୍ପନା ମଧ୍ୟରେ, ମମତା ବାନାର୍ଜୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯେଉଁମାନେ ଦଳ ଛାଡିବାକୁ ଚାହାଁନ୍ତି ସେମାନେ ଏହା କରିବାକୁ ମୁକ୍ତ । ମୁଁ ଦଳକୁ ଆଉ ଥରେ ଛିଡା କରିବି ବୋଲି କହିଛନ୍ତି ଟିଏମସି ସୁ୍ପ୍ରିମୋ ତଥା ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
"ଯେଉଁମାନେ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଯିବାକୁ ଦିଅ''- ଦଳୀୟ ସୂତ୍ର ଅନୁସାରେ, ମମତା ବାନାର୍ଜୀ ବୈଠକରେ ନେତାମାନଙ୍କ ଦଳ ପରିବର୍ତ୍ତନ ରିପୋର୍ଟ ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି । ସେ କହିଛନ୍ତି, "ଯେଉଁମାନେ ଅନ୍ୟ ଦଳକୁ ଯାଉଛନ୍ତି, ସେମାନଙ୍କୁ ଯିବାକୁ ଦିଅ । ମୁଁ ଦଳକୁ ପୁନର୍ବାର ତିଆରି କରିବି। ଯେଉଁମାନେ ମୋ ସହିତ ତ ଅଛନ୍ତି ସେମାନଙ୍କୁ ମୁଁ କ୍ଷତିଗ୍ରସ୍ତ ଦଳୀୟ କାର୍ଯ୍ୟାଳୟଗୁଡ଼ିକୁ ମରାମତି କରିବାକୁ, ରଙ୍ଗ କରିବାକୁ ଏବଂ ପୁଣି ଥରେ ଖୋଲିବାକୁ ଅନୁରୋଧ କରୁଛି । ଆବଶ୍ୟକ ହେଲେ, ମୁଁ ନିଜେ ସେହି କାର୍ଯ୍ୟାଳୟଗୁଡ଼ିକୁ ରଙ୍ଗ କରିବି । ତୃଣମୂଳ କଂଗ୍ରେସ କେବେ ମୁଣ୍ଡ ନୁଆଁଇବ ନାହିଁ । ମୁଁ ଜାଣେ ଯେ ଅନେକ ଲୋକ ଅନ୍ୟ ଦଳକୁ ଯିବେ । ସେମାନଙ୍କର କିଛି ବାଧ୍ୟବଧ୍ୟକତା ଥାଇପାରେ । ଏ ବିଷୟରେ ମୋର କିଛି କହିବାର ନାହିଁ । ଯିଏ ଯିବାକୁ ଚାହୁଁଛି ସେ ଯାଇପାରିବେ । ମୁଁ କାହାକୁ ବଳପୂର୍ବକ ଅଟକାଇବାରେ ବିଶ୍ୱାସ କରେନାହିଁ । " ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ବାହାରିବା ପରେ ମମତା ବାନାର୍ଜୀ ପୂର୍ବରୁ କହିଥିଲେ, ଦଳରେ କାହାକୁ ବଳପୂର୍ବକ ରଖିବାରେ ବିଶ୍ୱାସ କରନ୍ତି ନାହିଁ ।
ଏହା ବି ପଢନ୍ତୁ...Foreign travel tax: ବିଦେଶ ଯାତ୍ରାରେ ଲାଗୁ ହେବ ଟିକସ, ଦାବିକୁ ଖଣ୍ଡନ କରି ମିଥ୍ୟା କହିଲେ ପ୍ରଧାନମନ୍ତ୍ରୀ
''ଜନତାଙ୍କ ଜନାଦେଶ ଚୋରି ହୋଇଗଲା''- ସଦ୍ୟ ସମାପ୍ତ ବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଗଡ଼ ଧ୍ୱସ୍ତ ହୋଇଗଲା । ଟିଏମସି କ୍ଷମତାରୁ ବିରୋଧୀ ଆସନକୁ ଖସିଛି । ରାଜ୍ୟର ୨୯୪ ବିଧାନସଭା ଆସନ ମଧ୍ୟରୁ ଟିଏମସି ୮୦କୁ ହ୍ରାସ ପାଇଥିଲା । ଦଳ ୨୯୧ଟି ଆସନରେ ପ୍ରାର୍ଥୀ ଦେଇଥିଲା । ଏହାର ସହଯୋଗୀ ଦଳ ବିଜିପିଏମକୁ ୩ଟି ଆସନ ଦେଇଥିଲା । ପ୍ରତିନ୍ଦ୍ୱନ୍ଦିତା କରିଥିବା ୨୧୧ ଜଣ ପ୍ରାର୍ଥୀ ପରାସ୍ତ ହୋଇଥିଲେ ଯେଉଁଥିରେ ମମତାଙ୍କ ଅନେକ ପ୍ରମୁଖ ନେତା ଏବଂ ମନ୍ତ୍ରୀ ମଧ୍ୟ ଥିଲେ । ସବୁଠାରୁ ବଡ଼ ଝଟକା ଲାଗିଲା ମମତା ବାନାର୍ଜୀଙ୍କୁ । ଯିଏ କି ତାଙ୍କ ଗଡ଼ ଭବାନୀପୁରରୁ ହାରିଥିଲେ । ପରାଜୟ ସମୀକ୍ଷା ପରେ ଟିଏମସି ପୁଣି ଥରେ ନିର୍ବାଚନ ଫଳାଫଳ ଉପରେ ପ୍ରଶ୍ନ ଉଠାଇଛି । ଏକ ବୈଠକରେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି କି, ଜନସାଧାରଣଙ୍କ ଜନାଦେଶକୁ ଚୋରି କରାଯାଇଛି ।