ମଧ୍ୟପ୍ରଦେଶ, ୨୦।୪: ସୋସିଆଲ ମିଡିଆରେ ରିଲ୍ ବନାଇବାର ନିଶା ଏବେ ଯୁବପିଢ଼ିଙ୍କ ପାଇଁ କାଳ ସାଜୁଛି । ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ହାଇୱେରେ ଷ୍ଟଣ୍ଟ୍ କରିବା ପରେ ୩ ଜଣ ଭାଇଙ୍କ ପ୍ରାଣହାନି ଘଟିଛି । ଗତ ଏପ୍ରିଲ ୧୪ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ମଉଗଞ୍ଜ ଥାନା ଅନ୍ତର୍ଗତ ପନ୍ନି ପଥରିଆ ଅଞ୍ଚଳର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଏହା ବି ପଢ଼ନ୍ତୁ... ବ୍ୟାଙ୍କ କଲ୍ ଚିହ୍ନିବା ଏବେ ଅତି ସହଜ: ଆପଣଙ୍କ ପାଖକୁ '1600' ନମ୍ବରରୁ ଫୋନ୍ ଆସୁଛି କି ? ଜାଣନ୍ତୁ TRAIର ନୂଆ ନିୟମ

ପୁଲିସର ସୂଚନା ଅନୁଯାୟୀ, ଦୁଇଟି ମୋଟରସାଇକେଲରେ ମୋଟ୍ ୫ ଜଣ ଯୁବକ ଯାଉଥିଲେ । ସେମାନେ ଏକ ଦ୍ରୁତଗାମୀ ପଲସର ବାଇକରେ ବସି ହାଇୱେରେ ବିପଜ୍ଜନକ ଭାବେ ରିଲ୍ ସୁଟିଂ କରୁଥିଲେ । ଦୁର୍ଘଟଣା ସମୟର ଭିଡିଓରୁ ଜଣାପଡ଼ିଛି ଯେ, ବାଇକ୍ର ପଛରେ ବସିଥିବା ଜଣେ ଯୁବକ ହାତରେ ଏକ ଦେଶୀ ବନ୍ଧୁକ ଧରି ଷ୍ଟଣ୍ଟ୍ କରୁଥିଲେ । ଏହି ସମୟରେ ବାଇକ୍ଟି ଅତି ଦ୍ରୁତ ଗତିରେ ଏକ ଟ୍ରକ୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲା । ମାତ୍ର ସାମ୍ନାରେ ଇଟା ବୋଝେଇ ହୋଇ ଛିଡ଼ା ହୋଇଥିବା ଏକ ଟ୍ରଲରକୁ ଚାଳକ ଦେଖିପାରିନଥିଲେ । ବାଇକଟି ନିୟନ୍ତ୍ରଣ ହରାଇ ସିଧାସଳଖ ଟ୍ରଲର ପଛ ଭାଗରେ ପିଟି ହୋଇଯାଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ବାଇକ୍ରେ ଥିବା ୩ ଜଣ ଯୁବକ ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ, ସେମାନଙ୍କ ପଛରେ ଅନ୍ୟ ଏକ ବାଇକ୍ରେ ରିଲ୍ ସୁଟିଂ କରୁଥିବା ଅନ୍ୟ ଦୁଇ ଯୁବକ ମଧ୍ୟ ସେହି ଛିଡ଼ା ହୋଇଥିବା ଟ୍ରଲରରେ ପିଟି ହୋଇ ଗୁରୁତର ଆହତ ହୋଇଛନ୍ତି ।

ମୃତ୍ୟୁ ହୋଇଥିବା ୩ ଜଣ ଯୁବକ ୧୭ ବର୍ଷୀୟ ଉପଲକ୍ଷ କୋଲ୍, ୨୨ ବର୍ଷୀୟ ଅମରିଶ କୋଲ୍, ୧୭ ବର୍ଷୀୟ ହେମରାଜ କୋଲ୍ । ସମସ୍ତ ମୃତକ ବେଲା ଗ୍ରାମର ନିବାସୀ ବୋଲି ଜଣାପଡ଼ିଛି । ଚିତପୁରବା ଗ୍ରାମର ପ୍ରଶାନ୍ତ ଦ୍ୱିବେଦୀ ଏବଂ ତାଙ୍କ ଭାଇ ପ୍ରଦୀପ ଦ୍ୱିବେଦୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଉନ୍ନତ ଚିକିତ୍ସା ପାଇଁ ରୀୱାର ସଞ୍ଜୟ ଗାନ୍ଧୀ ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମଉଗଞ୍ଜ ଏସଡିପିଓ ସାଚି ପାଠକ କହିଛନ୍ତି ଯେ, କେବଳ ସୋସିଆଲ ମିଡିଆରେ ଲୋକପ୍ରିୟତା ପାଇବା ପାଇଁ ବିପଜ୍ଜନକ ଭାବେ ଗାଡ଼ି ଚଳାଇବା ଯୋଗୁଁ ଏହି ବଡ଼ ଦୁର୍ଘଟଣା ଘଟିଛି । ପୁଲିସ ବନ୍ଧୁକ ପ୍ରଦର୍ଶନ ଏବଂ ବେପରୁଆ ଗାଡ଼ି ଚାଳନା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।