ନୂଆଦିଲ୍ଲୀ, ୨୦।୪: ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର । ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଠକେଇ ଏବଂ ସ୍ପାମ୍ କଲ୍କୁ ରୋକିବା ପାଇଁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (TRAI) ଏକ ବଡ଼ ନିୟମ ଲାଗୁ କରିଛନ୍ତି । ଯଦି ଆପଣଙ୍କ ପାଖକୁ ବ୍ୟାଙ୍କ ନାଁରେ କୌଣସି କଲ୍ ଆସୁଛି, ତେବେ ତାହା ଅସଲି ନା ନକଲି, ତାହା ଆପଣ ମାତ୍ର କେଇ ସେକେଣ୍ଡରେ ଜାଣିପାରିବେ । ଏଣିକି ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ କେବଳ ଏକ ନିର୍ଦ୍ଦିଷ୍ଟ ସିରିଜ୍ ନମ୍ବରରୁ ହିଁ ଗ୍ରାହକଙ୍କୁ ଯୋଗାଯୋଗ କରିବେ ।
କ’ଣ ଏହି ‘1600’ ସିରିଜ୍ ନମ୍ବର ?
TRAIର ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କ୍, ବୀମା କମ୍ପାନୀ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ପାଇଁ ଏବେ ‘1600’ ସିରିଜ୍ ନମ୍ବର ବାଧ୍ୟତାମୂଳକ କରାଯାଇଛି । ସାଧାରଣତଃ ଠକମାନେ ୧୦ ଅଙ୍କ ବିଶିଷ୍ଟ ସାଧାରଣ ନମ୍ବରରୁ କଲ୍ କରି ଗ୍ରାହକଙ୍କୁ ବ୍ୟାଙ୍କ୍ ଅଫିସର ବୋଲି କହି ହଇରାଣ କରନ୍ତି । କିନ୍ତୁ ଏଣିକି ଯଦି କୌଣସି କଲ୍ 1600ରୁ ଆରମ୍ଭ ହୋଇଛି, ତେବେ ଜାଣିବେ ଯେ ଏହା ବ୍ୟାଙ୍କରୁ ଆସିଛି ।
ବ୍ୟାଙ୍କମାନଙ୍କ ପକ୍ଷରୁ ସଚେତନତା:
ଦେଶର ବଡ଼ ବଡ଼ ବ୍ୟାଙ୍କମାନେ ନିଜ ଗ୍ରାହକଙ୍କୁ ଏହି ନୂଆ ସିରିଜ୍ ବାବଦରେ ସୂଚନା ଦେବା ଆରମ୍ଭ କରିଛନ୍ତି:
SBI: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସୂଚନା ଦେଇଛି ଯେ, ବ୍ୟାଙ୍କ୍ ଗ୍ରାହକଙ୍କୁ କେବଳ 1600108333 ନମ୍ବରରୁ କାରବାର ସମ୍ପର୍କିତ କଲ୍ କରିବ ।
HDFC Bank: ଏହି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି କୌଣସି କଲ୍ 1600ରୁ ଆରମ୍ଭ ହେଉଛି, ତେବେ ତାହା ବ୍ୟାଙ୍କର ଜରୁରୀ ସେବା ବୋଲି ଜାଣିବେ ।
IDBI ଓ UCO Bank: ଏହି ବ୍ୟାଙ୍କଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ଅନୁରୋଧ କରିଛନ୍ତି ଯେ ୧୬୦୦ ସିରିଜ୍ରୁ ଆସୁଥିବା କଲ୍କୁ ଅଣଦେଖା ନକରି ତାହାକୁ ଉଠାନ୍ତୁ, କାରଣ ଏହା ବ୍ୟାଙ୍କର ସୁରକ୍ଷା ଟିମ୍ ପକ୍ଷରୁ ଆପଣଙ୍କ କାରବାର ଯାଞ୍ଚ ପାଇଁ କରାଯାଇଥାଏ ।
କେବେଠାରୁ ଲାଗୁ ହେଲା ଏହି ନିୟମ ?
ସମସ୍ତ RBI, SEBI ଏବଂ PFRDA ଦ୍ୱାରା ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ପରଠାରୁ ଏହି ନିୟମ ପାଳନ କରୁଛନ୍ତି । ପୂର୍ବରୁ ବ୍ୟାଙ୍କମାନେ ସାଧାରଣ ନମ୍ବର ବ୍ୟବହାର କରୁଥିବାରୁ ଗ୍ରାହକମାନେ ଅନେକ ସମୟରେ ଅସଲି କଲ୍କୁ ମଧ୍ୟ 'ସ୍ପାମ୍' ଭାବି କାଟି ଦେଉଥିଲେ । କିନ୍ତୁ, ଏବେ ଏହି ସମସ୍ୟାର ସମାଧାନ ହୋଇଛି ।
ସୁରକ୍ଷା ପାଇଁ କିଛି ଜରୁରୀ ପରାମର୍ଶ:
- ଯଦିଓ ୧୬୦୦ ସିରିଜ୍ର କଲ୍ ବ୍ୟାଙ୍କରୁ ଆସିଥାଏ, ତଥାପି ସୁରକ୍ଷା ଦୃଷ୍ଟିରୁ ନିମ୍ନଲିଖିତ କଥା ପ୍ରତି ଧ୍ୟାନ ଦିଅନ୍ତୁ
- ବ୍ୟାଙ୍କ୍ କେବେବି ଫୋନ୍ରେ ଆପଣଙ୍କୁ OTP, PIN, ପାସୱାର୍ଡ କିମ୍ବା CVV ମାଗେ ନାହିଁ ।
- ଯଦି କେହି ଏହି ସବୁ ସୂଚନା ମାଗୁଛନ୍ତି, ତେବେ ତୁରନ୍ତ କଲ୍ କାଟି ଦିଅନ୍ତୁ ।
- ନିଜର କାର୍ଡ ଡିଟେଲ୍ସ କାହା ସହ କଲ୍ରେ ସେୟାର କରନ୍ତୁ ନାହିଁ ।
ଏଣିକି ମନେ ରଖନ୍ତୁ, ବ୍ୟାଙ୍କ୍ କଲ୍ ମାନେ ହିଁ ‘1600’ ସିରିଜ୍ । ଏହା ବାହାରୁ ଆସୁଥିବା ଅନ୍ୟ କୌଣସି ବ୍ୟାଙ୍କ୍ କଲ୍କୁ ବିଶ୍ୱାସ କରିବା ପୂର୍ବରୁ ସାବଧାନ ରୁହନ୍ତୁ ।
ଆହୁରି ପଢ଼ନ୍ତୁ... AkshayaTritiya Gold Buying; ଅକ୍ଷୟ ତୃତୀୟାରେ ସୁନା କିଣୁଛନ୍ତି ? ଜାଣନ୍ତୁ ଖାସ୍ କଥା, ଲାଭରେ ରହିବେ