ଦଶପଲ୍ଲା,୨୭/୦୪ : ଦଶପଲ୍ଲା ଥାନା ଶିମିଳିସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଡ଼ିବିଡା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହୋଉଛନ୍ତି ଗୋଡ଼ିବିଡା ଗ୍ରାମର ବିଜୟ କୁମାର ନାୟକଙ୍କ ପୁଅ ଉମାକାନ୍ତ ନାୟକ (୧୧), ନୂଆଗାଁ ଥାନା ଖାଲମଡ଼ା ଗ୍ରାମର ଦିଲ୍ଲିପ କୁମାର ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ପୋଡ଼ା ସାହି ଗ୍ରାମର କାଳୁ ଖିଲାରଙ୍କ ପୁଅ ଶୁଭ ଖିଲାର (୧୪) ।
ସୂଚନା ମୁତାବକ, ସେହି ଗ୍ରାମର ବିଜୟ କୁମାର ନାୟକଙ୍କ ପରିବାରରେ ବିବାହ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରୁ ବନ୍ଧୁ ବାନ୍ଧବ ଆସିଥିଲେ। ତେବେ ଆଜି ସକାଳେ ଗୋଡ଼ିବିଡା ଗ୍ରାମର ବିଜୟ କୁମାର ନାୟକଙ୍କ ପୁଅ ଉମାକାନ୍ତ ନାୟକ (୧୧), ନୂଆଗାଁ ଥାନା ଖାଲମଡ଼ା ଗ୍ରାମର ଦିଲ୍ଲିପ କୁମାର ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ପୋଡ଼ା ସାହି ଗ୍ରାମର କାଳୁ ଖିଲାରଙ୍କ ପୁଅ ଶୁଭ ଖିଲାର (୧୪) ଏକାଠି ହୋଇ ଗୋଡ଼ିବିଡା ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧନତା ବଶତଃ ପୋଖରୀର ଗଭୀର ଜଳକୁ ଚାଲିଯିବା ଯୋଗୁଁ ବୁଡ଼ି ଯାଇଥିଲେ। ପରିବାର ଲୋକ ଓ ଗ୍ରାମବାସୀଙ୍କ ପକ୍ଷ୍ୟରୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ଶେଷରେ ପୋଖରୀରେ ଜଣେ ନାବାଳକ ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ଗାଁ ଲୋକେ ପୋଖରୀ ଭିତରେ ଖୋଜି ତିନି ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।