ଭୁବନେଶ୍ୱର,୧୨/୦୪: ଭିଡ଼ ଲାଗିଲା, ଗହଳି  ଜମିଲା । ଉଛୁଳିଲା ପ୍ରେକ୍ଷାଳୟ ପରିସର । ଗୋଟିଏ  ପରେ ଗୋଟିଏ ପ୍ରିମିୟର୍‌ ଶୋ’ । ଜଣକ ପରେ ଜଣେ  ଦକ୍ଷ ଓ ଦମଦାର୍‌ ନାମୀଦାମୀ କଳାକାରଙ୍କ ଆଗମନ ।  ବହୁତ ଦିନ ପରେ ଓଡ଼ିଆ ସିନେମା ଜଗତର ଏମିତି  ଏକ ଖୁସିର ଦିନ ଦେଖିବାକୁ ମିଳିଥିଲା । ବିଭିନ ବଲିଉଡ୍‌ ଓ ଅନ୍ୟ ଭାଷାଭାଷୀର ସିନେମା ସତ୍ତେ୍ୱ ଦର୍ଶକ ଏକ ମୁହାଁ  ହୋଇ ମୁହାଁଇଥିଲେ ଓଡ଼ିଆ ସିନେମା ଦେଖିବାକୁ । ଲାଗୁଥିଲା,  ସତେ ଯେମିତି ଚଳଚ୍ଚିତ୍ର ମେଳା ଲାଗିଛି । ସେଭିତରେ ଭିଡ଼  ଆଡ଼େଇ ପ୍ରେକ୍ଷାଳୟକୁ ପ୍ରବେଶ କରୁଥିଲେ ଲୋକଙ୍କ ପ୍ରିୟର ସିନେ କଳାକାର । 

ଫ୍ରାଇଡେ ରିଲିଜ୍‌ ଅବସରରେ ଏକାବେଳେ ପରଦାରେ  ଶୁକ୍ରବାର ଶୁଭମୁକ୍ତି କରୁଛି ୩ ନୂଆ ଓଡ଼ିଆ ସିନେମା । ସେଥିମଧ୍ୟରେ ରହିଛି ନାୟିକା ଅର୍ଚ୍ଚିତାଙ୍କ ‘ପାଦେ ଆକାଶ’, ଓଲିଉଡ୍‌ର ୱାନ୍‌  ମ୍ୟାନ୍‌ ପପୁ ପମ୍‌ପମ୍‌ଙ୍କ ‘ଡଷ୍ଟବିନ୍‌’ ଓ ନାୟିକା ଶୀତଲ୍‌ଙ୍କ ‘ଆଜିର  ରେବତୀ’ । କଳାକାରଙ୍କ ସହ ତିନିଟି ଯାକ ସିନେମାର ପ୍ରିମିୟର୍‌  ପାଖାପାଖି ସମୟରେ ଭୁବନେଶ୍ୱରର ଏକ କମ୍ପେ୍ଲକ୍ସ ପରିସରରେ  ଅନୁଷ୍ଠିତ ହୋଇଥିଲା ।ଶୁକ୍ରବାର ଅପରାହ୍ଣ ସାଢ଼େ ୪ଟାରୁ ସନ୍ଧ୍ୟା ୭ଟା  ମଧ୍ୟରେ ସମସ୍ତ ସିନେମାର ପ୍ରିମିୟର୍‌ ହୋଇଥିଲା । ଏହାକୁ ଦେଖିବା  ପାଇଁ ଦର୍ଶକଙ୍କ ଭିଡ଼ ଲାଗିଥିଲା ବେଳେ ସବୁ ହାଉସ୍‌ ଫୁଲ୍‌ ହୋଇଥିଲା । ବିଶେଷକରି  ନିମନ୍ତ୍ରିତ ତଥା ଅତିଥି କଳାକାରମାନେ ଏପଟ ସେପଟ ହୋଇ ସମସ୍ତଙ୍କ ସିନେମାକୁ  ଦେଖି ଉପଭୋଗ କରିଥିଲେ ।   

ବଡ଼ କଥା ହେଲା³ ପ୍ରତି ସିନେମାର କାହାଣୀ ଗୋଟିଏ ଅନ୍ୟଠୁ ଭିନ୍ନ । ଯାହା  ଦେଖି ସାରିଲା ପରେ ଦର୍ଶକ ସିନେମାଗୁଡ଼ିକର ଉଚ୍ଚପ୍ରଶଂସା କରିଛନ୍ତି । ସମସ୍ତଙ୍କୁ  ହଲ୍‌ ଆସି ସିନେମା ଦେଖିବା ଲାଗି ନିବେଦନ ବି କରିଛନ୍ତି । ସିନେମାର ଲିଡ୍‌ରେ ଥିବା  ଅର୍ଚ୍ଚିତା, ପପୁ ଓ ଶୀତଲ୍‌ ବି ହଲ୍‌ ସମ୍ମୁଖରେ ଉପସ୍ଥିତ ରହି ଦର୍ଶକମାନଙ୍କୁ ପାଛୋଟିବା  ସହ ସେମାନଙ୍କ ଗହଣରେ ବସି ନିଜ ନିଜର ସିନେମା ବସି ଦେଖିଥିଲେ । ଓଡ଼ିଆ  କଳାକାରଙ୍କ ଏହିଭଳି ଅତିଥି ସଂସ୍କାର ଏବେ ଓଡ଼ିଆ ସିନେ ଇତିହାସରେ ଏକ ଭିନ୍ନ  ପରମ୍ପରା ସୃଷ୍ଟି କରିଛି । ସେମାନେ ବି ଦର୍ଶକଙ୍କୁ ସିନେମା ଦେଖିବା ଲାଗି ନିମନ୍ତ୍ରଣ  କରିଛନ୍ତି ଏବଂ ଦର୍ଶକଙ୍କ ସମର୍ଥନ ସହ ସଫଳତା ନେଇ ଆଶାବ୍ୟକ୍ତ କରିଛନ୍ତି ।  ସମସ୍ତଙ୍କର ପ୍ରଚାର ପ୍ରସାର୍‌ ବି ଜୋର୍‌ଦାର୍‌ ରହିଛି । ଏପରିକି ସିନେମାଗୁଡ଼ିକ  ସହ ସମ୍ପୃକ୍ତ ନଥିବା କଳାକାରମାନେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ସବୁର ସଫଳତା ନେଇ ଡିଜିଟାଲ୍‌ରେ ପ୍ରଚାର ଚଳାଇଛନ୍ତି । ଯାହା ଏକ ଅନୁକୂଳ ପରିବେଶ  ସୃଷ୍ଟି ସହ ଓଡ଼ିଆ ସିନେମା ସହ ସମସ୍ତଙ୍କୁ ଯୋଡ଼ିବାର ପ୍ରୟାସ ଆରମ୍ଭ ହୋଇଛି ।  

ସୂଚନାଯୋଗ୍ୟ ‘ପାଦେ ଆକାଶ’ ରାଜ୍ୟର ୧୮ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିଲା  ବେଳେ ‘ଡଷ୍ଟବିନ୍‌’ ୪୫ ଏବଂ ‘ଆଜିର ରେବତୀ’ ୨୭ଟି ହଲ୍‌ରେ ରିଲିଜ୍‌ ହେଉଛି ।