ହରଭଙ୍ଗା , ୯।୧୧ : ବୌଦ୍ଧ-କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ଦେଖିବାକୁ ମିଳିଛି । କାରରେ ଯାଉଥିବା ବେଳେ ଜଣେ ଡ୍ରାଇଭରଙ୍କ ମୋବାଇଲରେ  କଏଦ ହୋଇଛି ଭିଡିଓ । ଏବେ ରାସ୍ତାରେ କଲରାପତାରିଆ ବାଘ ଦେଖି ସ୍ଥାନୀୟ ଲୋକ ଆତଙ୍କିତ । 

କନ୍ଧମାଳ ଜିଲ୍ଲାରୁ ଜଣେ କାର ଡ୍ରାଇଭର ଭିଡିଓ ବନେଇ ବୌଦ୍ଧ ଜିଲ୍ଲାର ମାଧପୁରକୁ ଆସୁଥିଲେ। କନ୍ଧମାଳ-ବୌଦ୍ଧ ଜିଲ୍ଲାର ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ ହଠାତ ଏକ କଲରାପତାରିଆ ବାଘ ତାଙ୍କ ଗାଡି ଆଗରେ ରାସ୍ତା ପାର କରିଥିଲା । ସେ ବାଘକୁ ଦେଖି ଆତଙ୍କିତ ହୋଇଯାଇଥିଲେ । ଏ ଘଟଣା ବାହାରେ ପ୍ରଘଟ ହେବା ପରେ ଘାଟି ପାଖ ସ୍ଥାନୀୟ ୩ ରୁ ୪ ଖଣ୍ଡ ଗାଁ ଲୋକଙ୍କ ସମେତ ସେ ରାସ୍ତା ଦେଇ ଯାଉଥିବା ଲୋକ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଲୋକଙ୍କୁ ସଚେତନତା କରାଇବା ପାଇଁ ସାଧାରଣ ରେ ଦାବି ହୋଇଛି ।

ଅନ୍ୟପଟେ ଏ ନେଇ ମାଧପୁର ବନ ଅଧିକାରୀ ଜଣକ କହିଛନ୍ତି ଯେ  କନ୍ଧମାଳ ଅଞ୍ଚଳ ରୁ ଆମ ଅଞ୍ଚଳକୁ କଲରାପତାରିଆ ବାଘ ଚଳପ୍ରଚଳ କରୁଛି । ତାହା ଉପରେ ଆମର ନଜର ରଖିଛୁ । ଏ ଭିଡିଓ ଟି ଗୋଟିଏ ମାସ ପୂର୍ବର । କିନ୍ତୁ ଶିକାରୀ ଭୟ ଥିବାରୁ ତାହା ବାହାରେ ପ୍ରକାଶ କରାଯାଉନାହିଁ ।