ମୁମ୍ବାଇ,୦୯/୦୧: ଭାରତୀୟ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଳର ସଦସ୍ୟ ତିଲକ ବର୍ମା ସମ୍ପ୍ରତି ଏକ ଜରୁରି ଅସ୍ତ୍ରୋପଚାର (ଟେଷ୍ଟିକୁଲାର ସର୍ଜରୀ) କରାଇଛନ୍ତି । ତାଙ୍କୁ ସୁସ୍ଥ ହେବା ପାଇଁ ୩ରୁ ୪ ସପ୍ତାହ ସମୟ ଲାଗିବ ବୋଲି ପ୍ରାଥମିକ ପର୍ଯ୍ୟାୟରେ ଅନୁମାନ କରାଯାଉଛି । ଫଳରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ଏପରିକି ଆସନ୍ତା ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଖେଳିବା ସମ୍ଭାବନା କ୍ଷୀଣ ମନେ ହେଉଛି ।

ଆଗାମୀ ଫେବ୍ରୁଆରୀ ୭ ତାରିଖରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହେବ । ଭାରତ ପ୍ରଥମ ମ୍ୟାଚ୍ରେ ୟୁଏସଏକୁ ଭେଟିବ । ୧୨ ତାରିଖରେ ଭାରତ ଦ୍ୱିତୀୟ ମ୍ୟାଚ୍ ଖେଳିବ। ବିଜୟ ହଜାରେ ଟ୍ରଫିରେ ହାଇଦ୍ରାବାଦ ଦଳର ନେତୃତ୍ୱ ନେଉଥିବା ତିଳକ ବର୍ମା ମଙ୍ଗଳବାର ଅନୁଷ୍ଠିତ ବେଙ୍ଗଲ୍ ବିପକ୍ଷ ମ୍ୟାଚ୍ ପରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ଯନ୍ତ୍ରଣା ସ୍ଥାନର ସ୍କାନ କରାଯାଇଥିଲା ଓ ଯଥା ସମ୍ଭବ ଅସ୍ତ୍ରୋପଚାର ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଥିଲେ ।

ବିସିସିଆଇ ଅନୁମତି ପରେ ତିଲକଙ୍କ ଯନ୍ତ୍ରଣା ସ୍ଥାନର ଅସ୍ତ୍ରୋପଚାର କରାଯାଇଛି ଓ ସେ ସୁସ୍ଥ ଥିବା ବିସିସିଆଇ ଘୋଷଣା କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ୩ଟି ମ୍ୟାଚ୍ରୁ ତିଲକଙ୍କୁ ବାଦ ଦିଆଯାଇଥିବା ପ୍ରାଥମିକ ରିପୋର୍ଟ ପାଇବା ପରେ ବିସିସିଆଇ ସ୍ପଷ୍ଟ କରିଛି । ତିଲକ ଡାକ୍ତରଖାନାରୁ ଫେରିବା ପରେ କିଛି ଦିନ ବିଶ୍ରାମ ନେବା ପରେ ଜାତୀୟ କ୍ରିକେଟ୍ ଏକାଡେମୀରେ ଯୋଗ ଦେବେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।