ନୀଳଗିରି,୨୭/୧୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠଚାଲାଣବେଳେ ମାଡ଼ି ବସିଲା ନୀଳଗିରି ବନ ବିଭାଗ । ବନ ବିଭାଗ ଗାଡ଼ିର କାଚକୁ କାଠମାଫିଆମାନେ ଭାଙ୍ଗି ଦେଇଥିବାବେଳେ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ମାଫିଆ। ଏପରିକି ଜବତ ଗାଡ଼ିକୁ ମଧ୍ୟ ଛଡ଼ାଇ ନେଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ନୀଳଗିରି ବ୍ଲକ ପିଠାହତା ପଞ୍ଚାୟତ ଶିମିଳିହୁଡ଼ା ଅଞ୍ଚଳରେ ଆଜି ରାତିରେ ମୂଲ୍ୟବାନ ଶାଗୁଆନ ଗଛ କାଟି ବାହାରକୁ ଚାଲାଣ କରିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ନୀଳଗିରି ବନ ବିଭାଗ ଅତର୍କିତ ଚଢ଼ଉ କରିଥିଲା । ଏକ ଗାଡ଼ିରେ ଶାଗୁଆନ କାଠ ବୋଝେଇ ହୋଇଥିବାବେଳେ ତଳେ ପିଆଶାଳ କାଠ ପଡ଼ିଥିଲା । ଗାଡ଼ିକୁ ଜବତ କରିଥିବାବେଳେ ସଂଘ ବଦ୍ଧ ହୋଇ ବନ ବିଭାଗର ଗାଡ଼ିର କାଚକୁ ଭାଙ୍ଗି ବନବିଭାଗ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।
ଏପରିକି ଜବତ କାଠ ବୋଝେଇ ଗାଡ଼ିକୁ ଛଡ଼ାଇ ନେଇ ଯାଇଥିଲେ। ଫଳରେ ସଜନାଗଡ଼ ଫରେଷ୍ଟର ବୁଦ୍ଧିରାମ ହାସଦା ଆହତ ହୋଇଥିବା ଜଣାପଡ଼ିଛି । ବରମପୁର ପୁଲିସ ଓ ରେଞ୍ଜର ମନ୍ବର ଖାଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପଡ଼ିଥିବା ପିଆଶାଳ କାଠ ଜବତ କରାଯାଇଛି ।