ଉପନ୍ୟାସ ‘ଟାଇମ୍ ସେଲ୍ଟର୍’କୁ ଅନ୍ତଃରାଷ୍ଟ୍ରୀୟ ବୁକର୍ ପୁରସ୍କାର ୨୦୨୩, ପ୍ରଥମ ବୁଲ୍ଗେରୀୟ ଲେଖକ ପୁରସ୍କୃତ

ଲଣ୍ଡନ,୨୫/୦୫: ବୁଲ୍ଗେରିଆ ଉପନ୍ୟାସ ‘ଟାଇମ୍ ସେଲ୍ଟର୍’କୁ ଅନ୍ତଃରାଷ୍ଟ୍ରୀୟ ବୁକର୍ ପୁରସ୍କାର ୨୦୨୩ ମିଳିଛି । ବୁଲ୍ଗେରିଆ ଲେଖକ ଜର୍ଜି ଗୋସ୍ପୋଡିନୋଭ ଏବଂ ଅନୁବାଦିକା ଆଞ୍ଜେଲା ରୋଡେଲ୍ଙ୍କୁ ସମ୍ମାନଜନକ ବୁକର୍ ପୁରସ୍କାର ପ୍ରାପ୍ତ ହୋଇଛି । ପ୍ରଥମ ଥର ପାଇଁ ବୁଲ୍ଗେରିଆର ଏକ ଉପନ୍ୟାସ ଏହି ସମ୍ମାନର ହକ୍ଦାର ହୋଇଛି । ଲେଖକ ଜର୍ଜି ଏହି ଉପନ୍ୟାସ ଲେଖିଥିଲା ବେଳେ ଆଞ୍ଜେଲା ରୋଡେଲ୍ ସୁନ୍ଦର ଭାବେ ଏହାକୁ ଇଂରାଜୀରେ ଅନୁବାଦ କରିଥିଲେ । ଏହା ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା । ଲଣ୍ଡନରେ ବୁଧବାର ଲେଖକ ଜର୍ଜିଙ୍କୁ ବୁକର୍ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କୁ ୫୦ ହଜାର ପାଉଣ୍ଡ (୬୨ ହଜାର ଡଲାର) ପୁରସ୍କାର ଭାବେ ମିଳିଛି । ପୁରସ୍କାର ରାଶିକୁ ସେ ଓ ଆଞ୍ଜେଲା ଉଭୟ ଗ୍ରହଣ କରିଛନ୍ତି । ଏହି ଉପନ୍ୟାସ ଅନ୍ୟ ୫ ପ୍ରମୁଖ ପୁସ୍ତକକୁ ପଛରେ ପକାଇ ଦେଇଛି ।
‘ଟାଇମ୍ ସେଲ୍ଟର’ ଏକ ହାସ୍ୟରସାତ୍ମକ ଉପନ୍ୟାସ । ଏହା ଏକ କ୍ଲିନିକ୍ର କାହାଣୀ । କ୍ଲିନିକ୍ର ନାମ ‘କ୍ଲିନିକ୍ ଫର୍ ଦ ପାଷ୍ଟ’ ରହିଛି । ଏହାକୁ ଗଷ୍ଟାଇନ୍ ଆରମ୍ଭ କରୁଛନ୍ତି । ଏଠାରେ ଆଲ୍ଝେମର୍ ପୀଡ଼ିତ ଲୋକଙ୍କୁ ସହାୟତା କରାଯାଏ । ଅତୀତକୁ ପୁଣି ଜୀବନ୍ତ ଭାବେ ପ୍ରଦର୍ଶନ କରାଯାଏ । କ୍ଲିନିକ୍ର ପ୍ରତିଟି ମହଲାରେ ଗୋଟିଏ ଦଶନ୍ଧିକୁ କେଇ ମିନିଟ୍ରେ ରୋଗୀ ସାମ୍ନାରେ ପୁଣି ଜୀବନ୍ତ କରାଯାଏ । ଫଳରେ ରୋଗୀ ଅତୀତକୁ ଯାଇ ଦେଖିପାରିବ ଯେ ତାଙ୍କ ସ୍ମୃତିରେ ଆଉ କ’ଣ ବାକି ରହିଯାଇଛି । ଏହାପରେ ଆହୁରି ଅନେକ ରୋଗୀ ଜୀବନ ପ୍ରତି ବିତୃଷ୍ଣା ହୋଇ କ୍ଲିନିକ୍ ଆସିବା ଆରମ୍ଭ କରିଦିଅନ୍ତି । ବର୍ତ୍ତମାନରେ ଅତୀତର ପ୍ରାଧାନ୍ୟ ବଢ଼ିବା ଯୋଗୁ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଯାଏ ।
ବୁକର୍ ପୁରସ୍କାରର ଜୁରି କମିଟି ଅଧ୍ୟକ୍ଷ ଲୀଲା ସ୍ଲିମାନୀ କହିଛନ୍ତି, ଉପନ୍ୟାସରେ ଅତୀତର ସ୍ମୃତିକୁ ଅନନ୍ୟ ଭାବେ ଉପସ୍ଥାପନ କରାଯାଇଛି । ହୃଦୟକୁ ଛୁଇଁଗଲା ଭଳି ଏଥିରେ ଅନେକ କଥା ରହିଛି । ପୁରୁଣା ସ୍ମୃତି କିଭଳି ଜଣେ ବ୍ୟକ୍ତିର ପରିଚୟକୁ ବଜାୟ ରଖିପାରେ ତାହା ‘ଟାଇମ୍ ସେଲ୍ଟର୍’ରେ ଦର୍ଶାଯାଇଛି । ୫୫ ବର୍ଷୀୟ ଲେଖକ ଗୋସ୍ପୋଡିନୋଭ୍ ଏହି ଉପନ୍ୟାସକୁ ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ଏବଂ ବ୍ରେକ୍ଜିଟ୍ ଉପରେ ଜନମତ ସଂଗ୍ରହ ବେଳେ ଲେଖିଥିଲେ ।
ବୁକର୍ ପ୍ରାଇଜ୍ ଦୌଡ଼ରେ ଲେଖିକା ମ୍ୟାରିସ୍ କୋଣ୍ଡେଙ୍କ ‘ଦ ଗସ୍ପେଲ୍ ଆକର୍ଡିଂ ଟୁ ଦ ନ୍ୟୁ ୱାର୍ଲଡ’ ବି ସାମିଲ ଥିଲା । ଏହାକୁ ରିଚାର୍ଡ ଫିଲ୍କୋକ୍ସ ଅନୁବାଦ କରିଥିଲେ । ଏହାବ୍ୟତୀତ ଇଭା ବାଲ୍ଟାସର୍ଙ୍କ ‘ବୋଲ୍ଡର’ ମଧ୍ୟ ସର୍ଟଲିଷ୍ଟ ହୋଇଥିଲା । ଏହାକୁ ଜୁଲିଆ ସାଞ୍ଜେଜ୍ କ୍ୟାଟଲନ ଭାଷାରୁ ଇଂରାଜୀରେ ଅନୁବାଦ କରିଥିଲେ । ଦୌଡ଼ରେ ଗୌଜଙ୍କ ଉପନ୍ୟାସ ‘ଷ୍ଟାଣ୍ଡିଙ୍ଗ୍ ହେଭି’, ଗ୍ୱାଡାଲୁପ୍ ନେଟେଲଙ୍କ ‘ଷ୍ଟିଲ୍ ବର୍ନ’, ଚେଓନ୍ ମ୍ୟୋଙ୍ଗ୍-କ୍ୱାନ୍ଙ୍କ ‘ହ୍ୱେଲ୍’ ମଧ୍ୟ ସାମିଲ ଥିଲା । ୨୦୨୨ର ବୁକର୍ ପୁରସ୍କାର ଭାରତର ଲେଖିକା ଗୀତାଞ୍ଜଳି ଶ୍ରୀ ଜିତିଥିଲେ । ତାଙ୍କ ଉପନ୍ୟାସ ‘ଟମ୍ବ୍ ଅଫ୍ ସ୍ୟାଣ୍ଡ୍’ ପାଇଁ ଏହି ପୁରସ୍କାର ମିଳିଥିଲା । ହିନ୍ଦୀରେ ଏହା ‘ରେତ୍ ସମାଧି’ ନାମରେ ପ୍ରକାଶ ପାଇଥିଲା ।