ଭୁବନେଶ୍ୱର,୧୨/୦୮: ସ୍ୱାଧୀନତା ଦିବସ ପାଇଁ  ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ପର୍ବ । କିଏ ଜାତୀୟ ପତାକା  କିଣୁଛନ୍ତି ତ ଆଉ କିଏ ଜାତୀୟ ପତାକା ରଙ୍ଗ ଥିବା ବିଭିନ୍ନ  ଅଳଙ୍କାର । କିଏ ଘରେ ସଜେଇବା ପାଇଁ କିଣୁଛନ୍ତି ତ  ଆଉ କିଏ ଗାଡ଼ି ସଜେଇବା ପାଇଁ । ସ୍ୱାଧୀନତାର ଏହି  ପର୍ବକୁ ପାଳିବା ପାଇଁ ସମସ୍ତଙ୍କ ମନରେ ଭରିଗଲାଣି  ଉତ୍କଣ୍ଠା । ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ‘ହର୍‌ ଘର୍‌ ତ୍ରିରଙ୍ଗ’  ପାଇଁ ଆଗୁଆ ପତାକା କିଣିବା ଆରମ୍ଭ ହୋଇଗଲାଣି ।  ସେଥପାଇଁ ବଜାର ଅଧିକାଂଶ ଦୋକନରେ ଆସ୍ଥାନ ଜମାଇ  ସାରିଲାଣି ତ୍ରିରଙ୍ଗା । ଏଥିପାଇଁ ଅନେକ ଉଠାଦୋକାନୀ  ମଧ୍ୟ ବସିଗଲାଣି ।  

ଛୋଟପିଲାଙ୍କଠୁ ଆରମ୍ଭକରି ବୟସ୍କ ପର୍ଯ୍ୟନ୍ତ  ସମସ୍ତେ ବଜାର ମୁହାଁ ହେଲେଣି । ଯୁବପିଢ଼ି ବଡ଼ ଜାତୀୟ  ପତାକା କିଣୁଥିବା ବେଳେ ଛୋଟ ପିଲାମାନେ ଛୋଟ  ପତାକା, ବେଲୁନ, ହାତ ବ୍ୟାଣ୍ଡ୍‌ ଭଳି ବିଭିନ୍ନ ସାମଗ୍ରୀ  କିଣୁଛନ୍ତି । ଛୋଟ ପତାକା ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ  ଆରମ୍ଭ କରି ୮୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ବଡ଼  ପତାକାଗୁଡ଼ିକ ଶହେ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା  ପର୍ଯ୍ୟନ୍ତ ରହିଛି । ଏହାବ୍ୟତୀତ ଟୋପି, ହେୟାର କ୍ଲିପ୍‌,  ରିବନ ଫିତା, ପତାକା ଷ୍ଟାଣ୍ଡ, ବ୍ୟାଜ୍‌, ହାତ ବ୍ୟାଣ୍ଡ୍‌,  ବେଲୁନ ଭଳି ବିଭିନ୍ନ ସାମଗ୍ରୀ ୧୦ ଟଙ୍କାରୁ ଆରମ୍ଭ  ହୋଇ ୧୫୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ଏଗୁଡ଼ିକ ମୁଖ୍ୟତଃ  ଏକ ନମ୍ବର ହାଟ, ଖଣ୍ଡଗିରି, ପଟିଆ, ରସୁଲଗଡ଼ ଭଳି  ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ସ୍ୱାଧୀନତା ଦିବସରେ  ମହିଳାମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଦୋକାନ ତଥା କେତେକ  ଘରୋଇ ସଂସ୍ଥା ବିଭିନ୍ନ ସାଜସଜ୍ଜା ସାମଗ୍ରୀ ସଜେଇ ସାରିଲେଣି । ବିଶେଷକରି ତ୍ରିରଙ୍ଗା ଶାଢି ମହିଳାମାନଙ୍କର  ପ୍ରଥମ ପସନ୍ଦ ପାଲଟିଛି । ଯାହାର ମୂଲ୍ୟ ସାଢ଼େ ୪ ଶହ  ଟଙ୍କାରୁ ଆରମ୍ଭ ।  

ଏହାବାଦ୍‌ ମହିଳାମାନଙ୍କ ପସନ୍ଦ ତାଲିକାରେ  ଯୋଡ଼ିହୋଇଛି ତ୍ରିରଙ୍ଗା ଅଳଙ୍କାର । ଯାହାର ମୂଲ୍ୟ ୫୦  ଟଙ୍କାରୁ ଆରମ୍ଭ ହୋଇ ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।  ଏଥିରେ କାନଫୁଲ, ମୁଦି, ହାର ପର୍ଯ୍ୟନ୍ତ ସବୁକିଛି  ରହୁଛି । କୁର୍ତ୍ତା ୨ଶହ ଟଙ୍କାର ଆରମ୍ଭ ହୋଇ ହଜାରେ  ଟଙ୍କା ପର୍ଯ୍ୟନ୍ତ ରହୁଛି । ସରକାରୀ ଅଧିକାରୀ ଏବଂ ସ୍କୁଲ  ଏବଂ କଲେଜଗୁଡ଼ିକ ଖଦି ପତାକା ଅଧିକ କିଣୁଛନ୍ତି । ଏକ ନମ୍ବର ବଜାରରେ ପତାକା ବିକ୍ରି କରୁଥିବା ଦୋକାନୀ ପି ରେଣୁ କୁହନ୍ତି, ସ୍କୁଲପିଲାମାନେ ନିଜ ଅଭିଭାବକଙ୍କ  ସହିକ ଏହିସବୁ ସାମଗ୍ରୀ କିଣିବାକୁ ଅଧିକ ଆସୁଛନ୍ତି । ସ୍ୱାଧୀନତା ଦିବସକୁ ଆଉ ଦିନ କେଇଟା ବାକି ଥିବାରୁ  ନିଜ ନିଜର ସମୟ କାଢ଼ି ବିଭିନ୍ନ ବର୍ଗର ଲୋକେ ଏହି  ସାମଗ୍ରୀ କିଣିବାକୁ ଆସୁଛନ୍ତି।