କୋଲକାତା,୧୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମ୍ସି ଘୋଷଣା କରିଛି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ମମତା ବାନାର୍ଜୀଙ୍କ ଦଳ ୨୯୧ ପ୍ରାର୍ଥୀ ନାଁ ଘୋଷଣା କରିଛି। ପ୍ରଥମ ଲିଷ୍ଟରେ ୪୭ ଜଣ ସଂଖ୍ୟାଲଘୁ ପ୍ରାର୍ଥୀଙ୍କ ନାଁ ରହିଛି। ଏହ ସହ ମମତା ଏଥର ପୁଣିଥରେ ଭବାନୀପୁର ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି, ଯେଉଁଠି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି।

ଭବାନୀପୁରରୁ ବିଜେପି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି। ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ନେଇ ଆଲୋଚନା ଜୋର ଧରିଛି। କୋଲକାତାର ଭବାନୀପୁର ଆସନକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗଡ଼ ବୋଲି କୁହାଯାଏ। ଏହା ତାଙ୍କର ଘର ଏବଂ ରାଜନୈତିକ ନିର୍ବାଚନମଣ୍ଡଳୀ ଉଭୟ ରହିଛି। ଗତ ବିଧାନସଭା ନିର୍ବାଚନରେ, ମମତା ନନ୍ଦିଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ। ପରବର୍ତ୍ତୀ ସମୟରେ, ଶୋଭନଦେବ ଚଟ୍ଟୋପାଧ୍ୟାୟ ମମତା ବାନାର୍ଜୀଙ୍କ ପାଇଁ ଭବାନୀପୁର ଆସନ ଛାଡି ଦେଇଥିଲେ, ଯେଉଁଠାରେ ସେ ଉପନିର୍ବାଚନରେ ବିଜୟୀ ହୋଇଥିଲେ।

୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ବହୁ ନେତା ଟିଏମସି ଛାଡି ବିଜେପି ଚାଲି ଆସିଥିଲେ। ଶୁଭେନ୍ଦୁ ଅଧିକାରୀ ତାଙ୍କର ଭିତରୁ ଅନ୍ୟତମ ନେତା। ଯେତେବେଳେ ନିର୍ବାଚନରେ ଟିଏମ୍ସିଓ ବିଜେପି ଭିତରେ ମୁକାବିଲାକୁ ନେଇ ଚର୍ଚ୍ଚା ହୋଇଥିଲା ସେତେବେଳେ ମମତା ତାଙ୍କର ଭବାନୀପୁର ଆସନ ଛାଡି ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ମମତାଙ୍କ ମୁକାବିଲା ସିଧାସଳଖ ଭାବରେ ଶୁଭେନ୍ଦୁ ଅଧିକାରୀଙ୍କ ସହ ହୋଇଥିଲା। ମମତାଙ୍କୁ ଶୁଭେନ୍ଦୁ ୧୯୫୬ ଭୋଟ୍ରେ ହରାଇଥିଲେ। ତେବେ ଏହି ଭୋଟ ଫଳାଫଳକୁ ନେଇ ବିବାଦ ହୋଇଥିଲା। ମମତା କୋର୍ଟରେ କେସ୍ ମଧ୍ୟ କରିଥିଲେ। ୫ ବର୍ଷରେ ଶୁଭେନ୍ଦୁ ନନ୍ଦିଗ୍ରାମରେ ଟିଏମ୍ସି ସୁପ୍ରିମୋଙ୍କୁ ତାଙ୍କର ବିଜୟ ପାଇଁ ବହୁବାର ଚ୍ୟାଲେଞ୍ଜ କରିସାରିଛନ୍ତି। ପାଞ୍ଚ ବର୍ଷ ପରେ, ସ୍ଥାନ ପରିବର୍ତ୍ତନ ହୋଇଛି, କିନ୍ତୁ ଉଭୟ ଦଳର ଦୁଇ ପ୍ରମୁଖ ନେତା ପୁଣି ଥରେ ପରସ୍ପର ବିପକ୍ଷରେ ମୁହାଁମୁହିଁ ହେବେ। ପାଞ୍ଚ ବର୍ଷ ପୂର୍ବେ ମମତା ନନ୍ଦଗ୍ରାମ ଯାଇଥିଲେ, ଏଥର ଶୁଭେନ୍ଦୁ ଭବାନୀପୁର ଆସିଛନ୍ତି। ଭବାନୀପୁର କଥା ଯଦି ହେବା ତେବେ ମମତା ଏହାକୁ ନିଜର ବଡ଼ ଭଉଣୀ ବୋଲି କୁହନ୍ତି। ୨୦୧୧ ରେ ମୁଖ୍ୟମନ୍ତ୍ରୀ ହେବାପରେ ସେ ଏହି ଭବାନୀପୁରରୁ ଉପନିର୍ବାଚନ ଜିତିଥିଲେ। ସେ ସିପିଏମ୍ ପ୍ରାର୍ଥୀ ନନ୍ଦିନୀ ମୁଖାର୍ଜୀଙ୍କଠାରୁ ମମତାଙ୍କୁ ୫୪ ହଜାର ଅଧିକ ଭୋଟ୍ ମିଳିଥିଲା।୨୦୧୬ ବିଧାନସଭା ନିର୍ବାଚନରେ ମମତା ଭବାନୀପୁରରୁ ନିର୍ବାଚନ ଲଢିଥିଲେ। ଏଥିରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କଠାରୁ ୨୫ହଜାର ଭୋଟରେ ଜିତିଥିଲେ। ତେବେ ୨୦୨୧ରେ ସେ ଏହି ଆସନରୁ ନିର୍ବାଚନ ଲଢିନଥିଲେ। କାରଣ ମମତା ନନ୍ଦିଗ୍ରାମରୁ ଲଢିଥିଲେ। ସେଠାରେ ତାଙ୍କୁ ହରାଇଥିଲେ ଶୁଭେନ୍ଦୁ ଅଧିକାରୀ। ଭବାନୀପୁରରୁ ଶୋଭନଦେବ ଚାଟାର୍ଜୀ ଟିଏମସିର ଟିକେଟରେ ନିର୍ବାଚନ ଲଢିଥିଲେ। ତାଙ୍କୁ ୭୩,୫୦୫ ଭୋଟ ମିଳିଥିଲା।ତେବେ ମମତାଙ୍କ ପାଇଁ ସେ ଆସନ ଛାଡି ଦେଇଥିଲେ। ଉପ ନିର୍ବାଚନରେ ମମତା ପୁଣିଥରେ ଭବାନୀପୁରରୁ ଜିତିଥିଲେ। 

ପଶ୍ଚିମବଙ୍ଗର ମୋଟ ୨୯୪ଟି ଆସନ ପାଇଁ ୨୩ ଏବଂ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ମେ ୪ ତାରିଖରେ ଭୋଟ୍ ଗଣନା କରାଯିବ। ସେଭଳି  ଟିଏମସି ଖରଦାହ ଆସନରୁ ସାମ୍ବାଦିକ ଦେବଦୀପ ପୁରୋହିତ,ରାଜଗାଭ୍ଗ ଆସନରୁ ଆଥଲେଟ୍ ସପନା ବର୍ମନ,ତୁଫାନଗଞ୍ଜ ଆସନରୁ କ୍ରିକେଟର ଶିବ ଶଙ୍କର ପଲ୍, ବେଲେଘାଟା ଆସନରୁ କୃଣାଲ ଘୋଷ, ନନ୍ଦିଗ୍ରାମ୍ ଆସନରୁ ପବିତ୍ର କର ଓ ଶ୍ୟାମମୁକୁର ଆସନରୁ ଶଶି ପାଞ୍ଜାଙ୍କୁ ପ୍ରାର୍ଥୀ କରିଛି।