ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ବା ଟିଏମସି ଏହାର ଇସ୍ତାହାର ଜାରି କରିଛି । ଇସ୍ତାହାର ଜାରି କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କି, "ମୁଁ ବେଙ୍ଗଲର ଲୋକ ମାନଙ୍କୁ ଏକତ୍ରିତ ହୋଇ ବେଙ୍ଗଲକୁ ରକ୍ଷା କରିବା ପାଇଁ ବିଜେପି ବିରୁଦ୍ଧରେ ଲଢ଼ିବାକୁ ନିବେଦନ କରୁଛି। ଯଦି କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ଆପଣଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଭୟ କରନ୍ତୁ ନାହିଁ। ଯଦି ସେମାନେ ଆପଣଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରୁଛନ୍ତି, ତେବେ ଏହାକୁ ଗ୍ରହଣ କରନ୍ତୁ ନାହିଁ। ସେମାନେ ସୀମାନ୍ତ ଅଞ୍ଚଳରୁ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର, ମାଫିଆ ଆଣନ୍ତି ଏବଂ ଏଠାରେ ଅଶାନ୍ତି ଏବଂ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ମୁଁ ବିଭାଜନକାରୀ ରାଜନୀତି କରୁନାହିଁ। ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନ ସମସ୍ତେ ସମାନ।"

ଇସ୍ତାହାର ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ 'ଲକ୍ଷ୍ମୀ ଭଣ୍ଡାର' ଯୋଜନା ଅଧୀନରେ, ସାଧାରଣ ବର୍ଗର ମହିଳା ମାନେ ପ୍ରତି ମାସରେ ୧୫୦୦ ଟଙ୍କା ଏବଂ ଏସସି/ଏସଟି ବର୍ଗର ମହିଳା ମାନେ ପ୍ରତି ମାସରେ ୧୭ ଶହ ପାଇବେ। ବେକାର ଯୁବକ ମାନେ ପକେଟ ମନି ଭାବରେ ପ୍ରତି ମାସରେ ୧୫୦୦ ଟଙ୍କା ପାଇବେ। ଶିଳ୍ପ ପାଇଁ ବେଙ୍ଗଲ ଏକ ପସନ୍ଦିତ ସ୍ଥାନ। ଆମେ MSME କ୍ଷେତ୍ରରେ ପ୍ରଥମ ସ୍ଥାନରେ ଅଛୁ। MSME ଦେଢ କୋଟି ଲୋକଙ୍କୁ ନିଯୁକ୍ତି ଦିଏ। ବେଙ୍ଗଲର ଚମଡ଼ା ଶିଳ୍ପ ହେଉଛି ସବୁଠାରୁ ବଡ଼ ଶିଳ୍ପ।

ସୂଚନାଥାଉକି ବେଙ୍ଗଲରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖରେ ୧୫୨ ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ, ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ୧୪୨ ବିଧାନସଭା ଆସନ ପାଇଁ ଭୋଟ୍ ଦିଆଯିବ। ନିର୍ବାଚନ ଫଳାଫଳ ମେ ୪ ତାରିଖରେ ଘୋଷଣା କରାଯିବ।