ନୂଆଦିଲ୍ଲୀ: ବଙ୍ଗ ନିର୍ବାଚନ ଫଳାଫଳ ପୂର୍ବରୁ ବେଶ ସରଗରମ ହୋଇଛି । ଏଗଜିଟ୍ ପୋଲର ରିପୋର୍ଟ ପରେ ପ୍ରତିଦିନ ନୂଆ ନୂଆ ଘଟଣା ସବୁ ନଜରକୁ ଆସୁଛି । ତେବେ ନିର୍ବାଚନା କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟରେ ପହଞ୍ଚିଲା ଟିଏମସି । ଭୋଟ ଗଣତି ସମୟରେ ପର୍ଯ୍ୟବେକ୍ଷକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଦିଦି । ଶୀଘ୍ର ମାମଲାର ଶୁଣାଣି କରିବାକୁ ନିବେଦନ କରିଛନ୍ତି ।

କହି ରଖୁଛୁ କି,ଟିଏମସି ପୂର୍ବରୁ ଏହି ମାମଲା ସମ୍ପର୍କରେ କଲିକତା ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲା। କିନ୍ତୁ ହାଇକୋର୍ଟ ଏହାର ଅନୁରୋଧକୁ ଖାରଜ କରି ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ । ବର୍ତ୍ତମାନ, ସେହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଦିଦି । ବାସ୍ତବରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ମୁତାବକ ଭୋଟ ଗଣତି ସମୟରେ କେବଳ କେନ୍ଦ୍ର ସରକାର ଏବଂ ସରକାରୀ କ୍ଷେତ୍ର ୟୁନିଟ୍ (PSU)ର କର୍ମଚାରୀମାନଙ୍କୁ ଗଣତି ପର୍ଯ୍ୟବେକ୍ଷକ ଏବଂ ସହାୟକ ଭାବରେ ନିୟୋଜିତ କରାଯିବ ।ଏହାକୁ ପ୍ରଥମରୁ ବିରୋଧ କରି ଆସିଛନ୍ତି ମମତା ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଟିଏମସି ଅଭିଯୋଗ କରିଛି ଯେ କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କ୍ଷମତାରେ ଥିବାରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ପ୍ରଭାବିତ ହୋଇପାରନ୍ତି, ଯାହା ଭୋଟ ଗଣତିକୁ ପ୍ରଭାବିତ କରିପାରେ । ଦଳ ଏହା ମଧ୍ୟ ଯୁକ୍ତି ଦେଇଛି ଯେ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୁହେଁ, କେବଳ ମୁଖ୍ୟ ନିର୍ବାଚନ କମିଶନର ଏପରି ନିର୍ଦ୍ଦେଶ ଜାରି କରିପାରିବେ । ମମତା ବାନାର୍ଜୀ ପୂର୍ବରୁ ଅଭିଯୋଗ କରିସାରିଛନ୍ତି ଯେ ବଙ୍ଗୀୟ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ 'ବାହ୍ୟ ପର୍ଯ୍ୟବେକ୍ଷକ' ନିୟୋଜିତ କରାଯାଉଛି ।

ଏହାସହ ପଢ଼ନ୍ତୁ : ବିସିସିଆର ଆକ୍ସନ ପରେ ଚାଲିଲା ପରାଗଙ୍କ ବ୍ୟାଟ୍